ଦୁଇ ବର୍ଷର ବ୍ୟବଧାନ ପରେ ଆଜିଠାରୁ ଅମରନାଥ ଯାତ୍ରା ଆରମ୍ଭ

ନୂଆଦିଲ୍ଲୀ: ଦୁଇ ବର୍ଷର ବ୍ୟବଧାନ ପରେ ଆଜିଠାରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ପ୍ରାୟ ୧୦ ହଜାର ତୀର୍ଥଯାତ୍ରୀ ପହଲଗାମ ବେସ କ୍ୟାମ୍ପରେ ପହଞ୍ଚିଛନ୍ତି। ଦୁଇ ବର୍ଷ ପରେ ଅମରନାଥ ଯାତ୍ରା ହେଉଥିବାରୁ ଭକ୍ତଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି । ଅମରନାଥ ଯାତ୍ରା ୪୩ ଦିନ ପର୍ଯ୍ୟନ୍ତ ଚାଲିବ। ଆଜିଠାରୁ ଆରମ୍ଭ ହୋଇଥିବା ଯାତ୍ରା ଅଗଷ୍ଟ ୧୧ରେ ଶେଷ ହେବ । ଏଥର ୭-୮ ଲକ୍ଷ ଭକ୍ତ ଅମରନାଥଙ୍କ ଦର୍ଶନ କରିବେ ବୋଲି ଆକଳନ କରାଯାଇଛି।

ପ୍ରତିଦିନ ୧୦-୧୦ ହଜାର ଭକ୍ତ ପହଲଗାମ ଏବଂ ବାଲଟାଲ୍ ବେସ କ୍ୟାମ୍ପରୁ ବାବା ବର୍ଫାନି(ବରଫ ଲିଙ୍ଗ)ଙ୍କୁ ଦେଖିବାକୁ ଯିବେ । ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଦୃଷ୍ଟିରୁ ଯାତ୍ରାର ସବୁ ରୁଟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅଧିକାରୀ କହିଛନ୍ତି ଯେ ପବିତ୍ର ଗୁମ୍ଫାରେ ପ୍ରାକୃତିକ ଭାବରେ ଗଠିତ ବରଫ ଶିବଲିଙ୍ଗର ଦର୍ଶନ ପାଇଁ ଶ୍ରୀ ଅମରନାଥ ଶ୍ରୀମନ୍ଦିର ବୋର୍ଡ (ଏସ୍ଏଏସବି) ସମସ୍ତ ପ୍ରସ୍ତୁତି କରିଛି।

ଜମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ବୁଧବାର ଜାମ୍ମୁ ବେସ୍ କ୍ୟାମ୍ପରୁ ପତାକା ଦେଖାଇ ୪,୮୯୦ ତୀର୍ଥଯାତ୍ରୀଙ୍କ ପ୍ରଥମ ବ୍ୟାଚ୍ ଯାତ୍ରାର ଶୁଭାରମ୍ଭ କରିଥିଲେ । ପ୍ରଥମ ବ୍ୟାଚ୍ ତୀର୍ଥଯାତ୍ରୀଙ୍କୁ ନେଇ ବୁଧବାର ଭୋର୍ ୪ ଟାରେ ୧୭୬ଟି ଗାଡ଼ି ଭଗବତ ନଗର ବେସ୍ କ୍ୟାମ୍ପ ଛାଡି କାଶ୍ମୀର ଉପତ୍ୟକା ଅଭିମୁଖେ ଯାତ୍ରା କରିଥିଲା ।

ସୂଚନାଯୋଗ୍ୟ ଯେ ୨୦୧୯ ରେ ଜାମ୍ମୁ କାଶ୍ମୀର ପାଇଁ ଉଦ୍ଦିଷ୍ଟ ଧାରା ୩୭୦କୁ ସରକାର ରଦ୍ଦ କରିବା ପରେ ସେହିବର୍ଷ ଏହି ଯାତ୍ରା ମଝିରେ ସ୍ଥଗିତ ରଖାଯାଇଥିଲା। ପୁଣି ୨୦୨୦ ଏବଂ ୨୦୨୧ ମସିହାରେ କୋଭିଡ-୧୯ ମହାମାରୀ ଯୋଗୁଁ ଏହି ଯାତ୍ରା ଆୟୋଜନ ହୋଇନଥିଲା।

Comments are closed.