ଫୁଲବାଣୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନାଭିମୁଖୀ ଶାସନକୁ ଯୁବ ପ୍ରଶାସନିକ ଅଧିକାରୀମାନେ ନିଜର ଗୁରୁମନ୍ତ୍ର ଭାବେ ଗ୍ରହଣ କରି ନେଇଛନ୍ତି। ତଥାକଥିତ ସାହେବ କାଇଦା ଛାଡ଼ି ସେମାନେ ଏବେ ନିଜେ କଷ୍ଟ ସହି ମଧ୍ୟ ତୃଣମୂଳସ୍ତରକୁ ଯାଇ ଲୋକଙ୍କ ସମସ୍ୟା ବୁଝି ତାହାର ସମାଧାନ କରିବାକୁ ତତ୍ପରତା ପ୍ରକାଶ କରୁଛନ୍ତି। ଏହାର ଅନେକ ନଜିର ଦେଖିବାକୁ ମିଳିଛି। ସଦ୍ୟ ଉଦାହରଣ ସାଜିଛନ୍ତି କନ୍ଧମାଳର ଯୁବ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ।
ନିଜର ଏୟାର କଣ୍ଡିସନ୍ ଗାଡ଼ି ଛାଡ଼ି ସେ ପାଦରେ ଦେଢ଼ କିମି ଦୂରତା ଅତିକ୍ରମ କଲେ। ତାହା ପୁଣି ଜଙ୍ଗଲିଆ ଓ ପାହାଡ଼ିଆ ଅଞ୍ଚଳର ପଥୁରିଆ, ଆବଡ଼ାଖାବଡ଼ା ରାସ୍ତାରେ। ଉଦ୍ଦେଶ୍ୟ ଥିଲା ଜିଲ୍ଲାର ଅନ୍ୟତମ ମାଓପ୍ରବଣ ଦାରିଙ୍ଗବାଡ଼ି ବ୍ଲକ୍ରେ ମନରେଗା କାର୍ଯ୍ୟ କିଭଳି ଚାଲିଛି ତାହାକୁ ନିଜେ ପରଖିବେ, ଶ୍ରମିକଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବେ। ଜିଲ୍ଲାପାଲ ପାଟିଲ ବ୍ଲକ୍ ଅଫିସ୍ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଅନୁଧ୍ୟାନ କରିବା ସହ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ଚିକିତ୍ସା ସେବା ତଦାରଖ କରିଥିଲେ। ପ୍ଲିହେରୀ ପଞ୍ଚାୟତ ଅନ୍ତର୍ଗତ ପାଙ୍ଗାଲି ଗ୍ରାମକୁ ଯିବାକୁ ଚାହିଁଥିଲେ ଜିଲ୍ଲାପାଳ। ପକ୍କା ତଥା ଗାଡ଼ି ଯିବା ଭଳି ଉନ୍ନତ ସଡ଼କ ନଥିବାରୁ ଦେଢ଼ କିଲୋମିଟର କଠିନ ପଥ ଚାଲିଥିଲେ ସେ। ଉକ୍ତ ଅଞ୍ଚଳରେ ସୁବିଧାରେ ଯାତାୟାତ ନିମନ୍ତେ ଚାଲିଥିବା ବିଞ୍ଜାଲବାଡ଼ି ଠାରୁ ରାଙ୍ଗୀପାଙ୍ଗୀ ରାସ୍ତା ନିର୍ମାଣ ଅନୁଧ୍ୟାନ କରିବା ସହ ଶ୍ରମିକମାନେ ଠିକ୍ ଭାବେ ପ୍ରାପ୍ୟ ପାଉଛନ୍ତି କି ନା ତାହା ମଧ୍ୟ ପଚାରି ବୁଝିଥିଲେ। ଜିଲ୍ଲାପାଳଙ୍କୁ ଏଭଳି ସ୍ଥାନରେ ଏପରି ଭାବେ ନିଜ ନିକଟରେ ପାଇଁ ବେଶ୍ ଖୁସି ଥିଲେ ସମସ୍ତ ଶ୍ରମିକ। ଏଥିସହ ଦାରିଙ୍ଗବାଡ଼ି ପ୍ରସ୍ତାବିତ ଇକୋ ରିଟ୍ରିଟ୍ ପ୍ରକଳ୍ପ ସ୍ଥାନ ବୁଲି ଦେଖୁଥିଲେ।
କେବଳ ଏତିକି ନୁହେଁ ସରକାରୀ ଅଧିକାରୀ କିଭଳି ସଜାଗ ରହିଛନ୍ତି ତାହା ଜାଣିବାକୁ ଅଚାନକ ସେ ଦୁର୍ଗମ ଟିକାବାଲି ବ୍ଲକର ପାବୁରିଆ ପଞ୍ଚାୟତରେ ପହଞ୍ଚିଥିଲେ। ବ୍ଲକ୍ ଅଫିସ୍ରେ ବିଭିନ୍ନ ସରକାରୀ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ତାହାର ସମୀକ୍ଷା କରିଥିଲେ। ଲୋକଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେବାକୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ ପାଟିଲ।
Comments are closed.