ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମରେ ପୁରୀରେ ଅନୁଷ୍ଠିତ ହୋଇଯାଇଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା

ବହୁ ପ୍ରତୀକ୍ଷିତ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଶୃଙ୍ଖଳା ର ସହିତ ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହୋଇଯାଇଛି। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ରେ ବଡ଼ଦାଣ୍ଡରେ ଗଡିଥିଲା ଚତୁର୍ଦ୍ଧା ବିଗ୍ରହଙ୍କ ତିନି ରଥ। କୋଭିଡ କଟକଣା ର ଦୁଇବର୍ଷ ପରେ ଭକ୍ତମାନେ ମହାପ୍ରଭୁଙ୍କୁ ପାଖରେ ପାଇ ବିଭୋର ହୋଇ ଉଠିଥିଲେ।

ନିର୍ଦ୍ଧାରିତ ସମୟ ର ଯଥେଷ୍ଟ ପୂର୍ବରୁ ଶ୍ରୀଜୀଉ ମାନଙ୍କ ନୀତିକାନ୍ତି ସମ୍ପର୍ଣ୍ଣ କରାଯାଇଥିଲା। ମହାପ୍ରଭୁଙ୍କ ଖେଚୁଡ଼ି ଭୋଗ ଓ ଅନ୍ୟାନ୍ୟ ନୀତି ପରେ ଶ୍ରୀମନ୍ଦିର ପୁରୋହିତ ମାନଙ୍କ ଦ୍ୱାରା ଆନନ୍ଦ ବଜାର ସ୍ଥିତ ଚାହାଣି ମଣ୍ଡପରେ ପ୍ରଥମେ ରଥ ପ୍ରତିଷ୍ଠା କାର୍ଯ୍ୟ କରାଯାଇଥିଲା। ଏହାପରେ ସାତ ପାହାଚ ଉପରେ ମଙ୍ଗଳାର୍ପଣ ପରେ ଟାହିୟା ଲାଗି କରାଯାଇ ସର୍ବପ୍ରଥମେ ଶ୍ରୀସୁଦର୍ଶନ, ପରେ ବଡ଼ଠାକୁର ବଳଭଦ୍ର, ଭଗିନୀ ସୁଭଦ୍ରା ,ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶେଷରେ ପାଲିଙ୍କିରେ ଶ୍ରୀମଦନମୋହନ ଧାଡି ପହଣ୍ଡିରେ ରଥକୁ ବିଜେ କରିଥିଲେ। ବଳଭଦ୍ର ଓ ରାମକୃଷ୍ଣ ତାଳଧ୍ୱଜ ରଥରେ, ସୁଭଦ୍ରା ଓ ସୁଦର୍ଶନ ଦେବ ଦଲନ ରଥରେ ଶ୍ରୀଜଗନ୍ନାଥ ଓ ମଦନମୋହନ ନନ୍ଦିଘୋଷ ରଥରେ ରଥାରୂଢ ହୋଇଥିଲେ।

ଏହାପରେ ଚିତା ଲାଗି ବଢିବାପରେ ପୁରୀ ଗୋବର୍ଦ୍ଧନ ପୀଠର ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ରଥାରୁଢ଼ ଶ୍ରୀଜୀଉ ଙ୍କୁ ଦର୍ଶନ କରିଥିଲେ।

ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ପରେ ଚାରମର ଖୋଲାଯାଇ ରଥରେ ଘୋଡା ଯୋଖା ଯାଇଥିଲା। ଏହାପରେ କ୍ରମନ୍ଵୟରେ ପ୍ରଥମେ ତାଳଧ୍ୱଜ ପରେ ଦେବଦଳନ ଶେଷରେ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିଥିଲା।

ଭକ୍ତମାନେ ଆନନ୍ଦରେ ରଥ ଟାଣିବାର ଚଳିତ ବର୍ଷ ସୁଯୋଗ ମଧ୍ୟ ପାଇଥିଲେ। ଆଇନ ଶୃଙ୍ଖଳା କୁ ଦୃଷ୍ଟି ରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ବଳଭଦ୍ର ଙ୍କ ରଥ ଦାୟିତ୍ୱରେ ପୁରୀର ଆରକ୍ଷୀ ଅଧିକ୍ଷକ ରହିଥିବା ବେଳେ ଦେବଦଳନ ରଥ ଦାୟିତ୍ୱ ରେ ଥିଲେ ପୁରୀର ଅତିରିକ୍ତ ଜିଲ୍ଲାପାଳ ସେହିପରି ନନ୍ଦିଘୋଷ ରଥ ଦାୟିତ୍ୱ ରେ ଥିଲେ ଖୋଦ ପୁରୀର ଜିଲ୍ଲା ପାଳ।

ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ପୋଲିସ, ଦମକଳ, ରାପିଡି ଆକ୍ସନ ଫୋର୍ସ ଓ ଭକ୍ତଙ୍କ ମିଳିତ ସହଯୋଗରେ ରଥ ତ୍ରୟ ସନ୍ଧ୍ୟା ୭ଟା ସୁଦ୍ଧା ଶରଧା ବାଲିରେ ପହଁଚି ଥିଲା। ଆଜି ସନ୍ଧ୍ୟାରେ ମହାପ୍ରଭୁଙ୍କ ଗୁଣ୍ଡିଚା ମନ୍ଦିର କୁ ପହଣ୍ଡି ବିଜେ ହୋଇ ଯିବାର କାର୍ଯ୍ୟକ୍ରମ ରହିଛି।

Comments are closed.