ସିନ୍ଦେ ସରକାର ଆସ୍ଥା ଭୋଟରେ ବିଜୟୀ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ଏକନାଥ ସିନ୍ଦେଙ୍କ ନେତୃତ୍ଵାଧୀନ ସରକାର ସୋମବାର ଆସ୍ଥା ଭୋଟରେ ବିଜୟୀ ହୋଇଛି । ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରିବା ପାଇଁ ୧୪୩ ଭୋଟ୍ ଆବଶ୍ୟକ ଥିବା ବେଳେ ସିନ୍ଦେ ସରକାର ସପକ୍ଷରେ ୧୬୪ ଭୋଟ ପଡ଼ିଛି । ବିପକ୍ଷରେ ମାତ୍ର ୯୯ ଭୋଟ୍ ପଡ଼ିଥିଲା । ସମୟସୀମା ଶେଷ ହୋଇଯାଇଥିବାରୁ ଆସ୍ଥା ଭୋଟ ବେଳେ କିଛି ବିଧାୟକ ଗୃହକୁ ଆସିପାରିନଥିଲେ । ଆସ୍ଥା ଭୋଟରେ ସିନ୍ଦେ ସରକାରର ବିଜୟ ପରେ ଗତ ଦୁଇ ସପ୍ତାହ ଧରି ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟର ଅବସାନ ଘଟିଛି ।

ବିଧାନସଭାରେ ପ୍ରଥମେ ସିନ୍ଦେ ସରକାରର ଶକ୍ତି ପରୀକ୍ଷା ବାଚନିକ ଭୋଟ୍ ଦ୍ୱାରା ହୋଇଥିଲା । କିନ୍ତୁ ଏଥିରେ କୌଣସି ସ୍ପଷ୍ଟତା ଜଣା ନପଡିବା ଏବଂ ବିରୋଧୀଙ୍କ ଆପତ୍ତି ପରେ ଭୋଟ୍ ଦିଆଯାଇଥିଲା। ଏହା ପରେ ସପକ୍ଷ ଓ ବିପକ୍ଷ ବିଧାୟକଙ୍କ ଗଣନା ହୋଇଥିଲା ।

ଗତକାଲି ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ପଦ ପାଇଁ ନିର୍ବାଚନରେ ​​ବିଜେପି ଏବଂ ସିନ୍ଦେ ଦଳର ପ୍ରାର୍ଥୀ ରାହୁଲ ସୁରେଶ ନର୍ଭେକର ୧୬୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ଜିତିବା ପାଇଁ ତାଙ୍କୁ କେବଳ ୧୪୫ ଭୋଟ୍ ଆବଶ୍ୟକ ହେଉଥିବା ବେଳେ ନର୍ଭେକରଙ୍କୁ ୨୦ ଖଣ୍ଡ ଅଧିକ ଭୋଟ ମିଳିଥିଲା ।

ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ସିନ୍ଦେଙ୍କ ନେତୃତ୍ୱରେ ଶିବସେନାର ବହୁ ବିଧାୟକ ବିଦ୍ରୋହ କରିଥିଲେ । ଯେଉଁଥିପାଇଁ ଉଦ୍ଧବ ଠାକରେଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା ଏବଂ ମହାବିକାଶ ଅଘାଡି ସରକାରର ପତନ ହୋଇଥିଲା ।

ଏହା ପରେ ରାଜ୍ୟରେ ସିନ୍ଦେ ଗୋଷ୍ଠୀ ଏବଂ ବିଜେପିର ମିଳିତ ସରକାର ଗଠନ ହୋଇଥିଲା। ଯଦିଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଥିଲା, ତେବେ ଆଶ୍ଚର୍ଯ୍ୟଜନକ ଭାବେ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ଫଡନାଭିସଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଇଥିଲା ।

Comments are closed.