ବାଲି: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଗୁରୁବାର ତାଙ୍କ ଚୀନ୍ ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ ଭେଟିଛନ୍ତି । ଏହି ଅବସରରେ ଜୟଶଙ୍କର ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି) ସମ୍ବନ୍ଧୀୟ ସମସ୍ତ ବିଚାରାଧୀନ ସମସ୍ୟାର ଶୀଘ୍ର ସମାଧାନର ଆବଶ୍ୟକତା ବିଷୟରେ ତାଙ୍କ ଚୀନ୍ ପ୍ରତିପକ୍ଷଙ୍କୁ ଜଣାଇଥିଲେ । ଜୟଶଙ୍କର କହିଥିଲେ ଯେ ଭାରତ ଓ ଚୀନ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ପାରସ୍ପରିକ ସମ୍ମାନ, ପାରସ୍ପରିକ ସମ୍ବେଦନଶୀଳତା ଓ ପାରସ୍ପରିକ ସ୍ୱାର୍ଥ ଆଧାରିତ ହେବା ଉଚିତ୍ | ବାଲିରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀର ବୈଦେଶିକ ମନ୍ତ୍ରୀ ମାନଙ୍କ ବୈଠକ ଅବସରରେ ଜୟଶଙ୍କର ଏବଂ ୱାଙ୍ଗ ପରସ୍ପରକୁ ଭେଟିଥିଲେ । ସୀମା ସମସ୍ୟାର ସମାଧାନ ପାଇଁ ଖୁବ ଶୀଘ୍ର ଉଭୟ ପକ୍ଷ ମଧ୍ୟରେ ପରବର୍ତ୍ତୀ ସାମରିକ ସ୍ତରୀୟ ଆଲୋଚନା ହେବା ନେଇ ଦୁଇ ନେତା ଆଶା ପ୍ରକଟ କରିଛନ୍ତି। ବାଲିରେ ଜୁଲାଇ ୭ ଓ ୮ରେ ହେବାକୁ ଥିବା ଜି-୨୦ର ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗ ଦେବା ପାଇଁ ଜୟଶଙ୍କର ଇଣ୍ଡୋନେସିଆ ଯାଇଛନ୍ତି ।
ଜୟଶଙ୍କର ନିଜେ ଟ୍ୱିଟରରେ ତାଙ୍କ ଚୀନ୍ ପ୍ରତିପକ୍ଷଙ୍କ ସହ ଏହି ବୈଠକ ବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ରାଜଧାନୀ ବାଲିରେ ଦିନର ଆରମ୍ଭ ୱାଙ୍ଗ ୟିଙ୍କ ସହ ସାକ୍ଷାତରୁ ହୋଇଥିଲା। ବୈଦେଶିକ ମନ୍ତ୍ରୀଙ୍କ କହିବାନୁସାରେ, ପ୍ରାୟ ଦୁଇ ଘଣ୍ଟା ଧରି ଦୁଇ ନେତାଙ୍କ ମଧ୍ୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା |
ମଇ ୫, ୨୦୨୦ ପରଠାରୁ ପୂର୍ବ ଲଦାଖ ସୀମାରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ତିକ୍ତତା ଜାରି ରହିଛି। ସେତେବେଳେ ପାଙ୍ଗଙ୍ଗ ସୋ ଅଞ୍ଚଳରେ ଉଭୟ ପକ୍ଷ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ସେବେଠାରୁ ଏହି ଗତିରୋଧ ଜାରି ରହିଛି। ପୂର୍ବ ଲଦାଖର ରଣନୈତିକ ଗୁରୁତ୍ୱପୂର୍ଣ୍ଣ ପାଙ୍ଗଙ୍ଗ ହ୍ରଦ ଚାରିପାଖରେ ଚୀନ୍ ଏହାର ଅଧିକୃତ ଅଞ୍ଚଳରେ ଏକ ସେତୁ ନିର୍ମାଣ କରୁଛି। ଏହା ସହିତ ଚୀନ୍ ମଧ୍ୟ ଭାରତ ସହିତ ସୀମାବର୍ତ୍ତୀ ଅଞ୍ଚଳରେ ସଡ଼କ ଏବଂ ଆବାସିକ ଅଞ୍ଚଳ ଭଳି ଅନ୍ୟାନ୍ୟ ଭିତ୍ତିଭୂମି ପ୍ରତିଷ୍ଠା କରୁଛି | ସୀମାରେ ଚୀନ୍ ସେନାର ଗତିବିଧି ବଢୁଥିବା ନେଇ ବିରୋଧୀ କେନ୍ଦ୍ର ସରକାରଙ୍କ ଠାରୁ ବହୁଥର ଜବାବ୍ ମାଗିଛନ୍ତି । ଲଦାଖ ସୀମାରେ ଚୀନ୍ ଭିତ୍ତିଭୂମି ନିର୍ମାଣ କରିବା ନେଇ ଆମେରିକା ମଧ୍ୟ ଚିନ୍ତା ବ୍ୟକ୍ତ କରିଛି।
Comments are closed.