ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଇସ୍ତଫା

ଲଣ୍ଡନ: ନିଜ ଦଳ ଭିତରେ ବିରୋଧର ସମ୍ମୁଖୀନ ହେବା ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଇସ୍ତଫା ଦେଇଛନ୍ତି । ସେ କଞ୍ଜେର୍ଭେଟିଭ୍ ପାର୍ଟିର ନେତା ପଦ ଛାଡ଼ିଛନ୍ତି । ତେବେ ନୂଆ ନେତା ଚୟନ ହେବା ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବେ ।

ଇସ୍ତଫା ଦେବା ପୂର୍ବରୁ ସେ ଦେଶକୁ ସମ୍ବୋଧନ କରିଥିଲେ।ତାଙ୍କ ସମ୍ବୋଧନରେ ଜନସନ କହିଥିଲେ ଯେ ଜଣେ ନୂଆ ନେତା ବାଛିବା ପ୍ରକ୍ରିୟା ହେବା ଆରମ୍ଭ ହେବା ଉଚିତ ଏବଂ ଆସନ୍ତା ସପ୍ତାହରେ ଏହା ଆରମ୍ଭ ହେବ। ଜନସନ କହିଛନ୍ତି ଯେ ଯିଏ ବି ନୂଆ ନେତା ମନୋନୀତ ହୁଅନ୍ତୁ ନା କାହିଁକି, ସେ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିବେ।

ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନ ଶେଷରେ କହିଥିଲେ ଯେ ଯେପର୍ଯ୍ୟନ୍ତ ଜଣେ ନୂଆ ନେତା ନିର୍ବାଚିତ ନ ହୁଅନ୍ତି ସେ ପର୍ଯ୍ୟନ୍ତ ସେ ପଦରେ ରହି ଲୋକଙ୍କ ସେବା ଜାରି ରଖିବେ।

ଗତ ଦୁଇ ଦିନ ମଧ୍ୟରେ ବୋରିସ୍ ଜନସନଙ୍କ କ୍ୟାବିନେଟର ଅନେକ ମନ୍ତ୍ରୀ ଇସ୍ତଫା ଦେଇଥିଲେ ଏବଂ ବହୁ ସାଂସଦ ମଧ୍ୟ ତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ ।

ବ୍ରିଟେନରେ ମନ୍ତ୍ରୀଙ୍କ ଇସ୍ତଫାର ଧାରା ଅର୍ଥମନ୍ତ୍ରୀ ରିଷି ସୁନାକ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ସାଜିଦ ଜାଭିଦଙ୍କ ଇସ୍ତଫାରୁ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ନେତୃତ୍ୱ ଉପରେ ସେମାନଙ୍କର ଆଉ ଭରସା ନାହିଁ ବୋଲି କହି ଉଭୟେ ଇସ୍ତଫା ଦେଇଥିଲେ । ଏହା ପରେ ଜଣକ ପରେ ଜଣେ ମନ୍ତ୍ରୀ ଇସ୍ତଫା ଦେଇଥିଲେ। ଜନସନ ଏକଘରିକିଆ ହୋଇଯାଇଥିଲେ ।

ବୋରିସ ଜନସନଙ୍କୁ ନିଜ ଦଳ ଭିତରେ ଏପରି ବିରୋଧର କାରଣ ହେଉଛି ସାଂସଦ କ୍ରିସ୍ ପିଞ୍ଚରଙ୍କୁ ଡେପୁଟି ଚିଫ୍ ହ୍ବିପ୍ କରିବା ନିଷ୍ପତ୍ତି । ଏଇଠୁ ହିଁ ବୋରିସ ଜନସନଙ୍କ ଅଡ଼ୁଆ ଆରମ୍ଭ ହୋଇଥିଲା । ସାଂସଦ କ୍ରିସ ପିଞ୍ଚରଙ୍କୁ ସରକାରୀ ଦାୟିତ୍ବ ଦେଇଥିବାରୁ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମଧ୍ୟ କ୍ଷମା ମାଗିଥିଲେ। କିନ୍ତୁ ମନ୍ତ୍ରୀ ଓ ସାଂସଦମାନେ ଏଥିରେ ଶାନ୍ତ ପଡ଼ିନଥିଲେ । ବୋରିସ୍ ଜନସନ ସ୍ବୀକାର କରିଥିଲେ ଯେ ଚଳିତ ବର୍ଷ ଆରମ୍ଭରେ ପିଞ୍ଚରଙ୍କୁ ଡେପୁଟି ଚିଫ୍ ହ୍ବିପ୍ ଭାବରେ ନିଯୁକ୍ତ କରି ସେ ଏକ ବଡ଼ ଭୁଲ କରିଛନ୍ତି।

ପିଞ୍ଚରଙ୍କ ବିରୋଧରେ ଆସିଥିବା ଅଭିଯୋଗ ବିଷୟରେ ବୋରିସ୍ ଜନସନ ଜାଣି ସୁଦ୍ଧା ସେ ତାଙ୍କୁ ନିଯୁକ୍ତ କରିଥିଲେ।ବିରୋଧୀଙ୍କ ସହ ତାଙ୍କ ନିଜ ସାଂସଦ ମଧ୍ୟ ବୋରିସ୍ ଜନସନଙ୍କ ଏହି ନିଷ୍ପତ୍ତିକୁ ସମାଲୋଚନା କରୁଥିଲେ।

ପିଞ୍ଚରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଥିଲା । ଏଥିପାଇଁ ତାଙ୍କୁ ଗତ ସପ୍ତାହରେ କଞ୍ଜେର୍ଭେଟିଭ୍ ପାର୍ଟି ସାଂସଦରୁ ନିଲମ୍ବିତ କରାଯାଇଥିଲା। ତେବେ ପିଞ୍ଚର ତାଙ୍କ ବିରୋଧରେ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ ।

Comments are closed.