ସ୍ପଷ୍ଟ କଲା ‘ରେଜରପେ’, ଅଲ୍ଟ ନ୍ୟୁଜର ଆକାଉଣ୍ଟ କେବଳ ଘରୋଇ ଅନୁଦାନ ପାଇଁ ଉଦ୍ଦିଷ୍ଟ

ନୂଆଦିଲ୍ଲୀ: ଫ୍ୟାକ୍ଟ-ଚେକିଂ ୱେବସାଇଟ୍ ଅଲ୍ଟନ୍ୟୁଜ୍ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବେର ବିଦେଶରୁ ଅନୁଦାନ ଗ୍ରହଣ କରିବା ଅଭିଯୋଗ ପରେ ପେମେଣ୍ଟ ଗେଟୱେ ପ୍ଲାଟଫର୍ମ ‘ରେଜରପେ’ ସ୍ପଷ୍ଟୀକରଣ ଦେଇଛି । ‘ରେଜରପେ’ କହିଛି ଯେ ଏହି ୱେବସାଇଟର ଆକାଉଣ୍ଟ କେବଳ ଭାରତରୁ ଅନୁଦାନ ପାଇଁ ତିଆରି କରାଯାଇଛି ।

‘ରେଜରପେ’ର ସ୍ପଷ୍ଟୀକରଣ ଦିଲ୍ଲୀ ପୋଲିସ କରିଥିବା ଦାବିର ସମ୍ପୂର୍ଣ୍ଣ ବିରୋଧାଭାସ । ଅଲ୍ଟ ନ୍ୟୁଜ୍ ବିଦେଶରୁ ଅନୁଦାନ ଗ୍ରହଣ କରୁଛି ବୋଲି ଦିଲ୍ଲୀ ପୋଲିସ ଅଭିଯୋଗ କରିଥିଲା ।

ଶୁକ୍ରବାର ରାତିରେ କମ୍ପାନୀର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ‘ରେଜରପେ’ ସହ-ପ୍ରତିଷ୍ଠାତା ତଥା ସିଇଓ ହର୍ଷିଲ ମାଥୁରଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ନୋଟରେ ଏହି ସୂଚନା ଦିଆଯାଇଛି।

ଏହି ନୋଟ୍ ଅନୁଯାୟୀ, “ବର୍ତ୍ତମାନର ତଦନ୍ତ ସହ ଜଡ଼ିତ ତଥ୍ୟ ସେୟାର କରିବାକୁ ମୋତେ ଅନୁମତି ଦିଆଯାଇନଥିବାବେଳେ ମୁଁ କହିବାକୁ ଚାହେଁ ଯେ ସମ୍ପୃକ୍ତ ବ୍ୟବସାୟ (ଅଲ୍ଟନ୍ୟୁଜ୍) କେବଳ ଘରୋଇ (ଭାରତରୁ) ଅନୁଦାନ ପାଇଁ ଉଦ୍ଦିଷ୍ଟ ।”

ଏଥିରେ ସେ ଦାବି କରିଛନ୍ତି ଯେ ଏଫସିଆରଏ ଅନୁମୋଦନ ବିନା ବିଦେଶରୁ ଅନୁଦାନ ଆକାରରେ କାରବାରକୁ କମ୍ପାନୀ ଅନୁମତି ଦିଏ ନାହିଁ। ଏହା କମ୍ପାନୀର ନୀତି ରହିଆସିଛି ।

ନୋଟରେ କୁହାଯାଇଛି ଯେ ମୁଁ ବୁଝିପାରୁଛି ଯେ ସାମ୍ପ୍ରତିକ ଘଟଣା ପରିପ୍ରେକ୍ଷୀରେ ଅନେକେ ଆମର କାର୍ଯ୍ୟ ପ୍ରଣାଳୀ ଉପରେ ପ୍ରଶ୍ନ କରିଛନ୍ତି ଏବଂ କହିଛନ୍ତି ଯେ ଆମେ ଏହି ଘଟଣାକୁ ଭଲ ଭାବରେ ପରିଚାଳନା କରି ପାରିଥାନ୍ତୁ ।”

ନୋଟରେ କୁହାଯାଇଛି ଯେ ଭଲ କରିବାକୁ ଏହି ପ୍ରୟାସରେ ଗତ କିଛି ଦିନ ମଧ୍ୟରେ ଆମେ ଅନେକ ଲୋକଙ୍କ ସହ କଥା ହୋଇ ସେମାନଙ୍କ ମତାମତ ପାଇଛୁ।

ପେମେଣ୍ଟ ଗେଟୱେ ପ୍ଲାଟଫର୍ମ ଜରିଆରେ ବିଭିନ୍ନ ୱେବସାଇଟ୍ ପାଇଁ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ସହ ୟୁପିଆଇ ପେମେଣ୍ଟ, ୱାଲେଟ୍ ମାଧ୍ୟମରେ ଟଙ୍କା ପ୍ରେରଣ ବ୍ୟତୀତ ଅନଲାଇନ୍ ପେମେଣ୍ଟ କରାଯାଇପାରିବ |

Comments are closed.