ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରେସରେ ଋଷି ସୁନକ୍, କିଏ ଏହି ଭାରତୀୟ ବଂଶୋଦ୍ଭବ ନେତା ଜାଣନ୍ତୁ

ଲଣ୍ଡନ: ବ୍ରିଟେନରେ କ୍ଷମତା ପରିବର୍ତ୍ତନ ହେବାକୁ ଯାଉଛି। ବୋରିସ୍ ଜନସନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଚୟନ ପାଇଁ ଅଭିଯାନ ଆରମ୍ଭ ହୋଇଯାଇଛି। ଭାରତୀୟ ବଂଶୋଦ୍ଭବ ଋଷି ସୁନକ୍ ଏହି ଦୌଡ଼ରେ ସର୍ବାଗ୍ରେ ଅଛନ୍ତି | ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବା ପାଇଁ ସେ ନିଜ ଅଭିଯାନ ଆରମ୍ଭ କରିଦେଇଛନ୍ତି। ହାଉସ୍ ଅଫ୍ କମନ୍ସ ନେତା ମାର୍କ ସ୍ପେନ୍ସରଙ୍କ ସହ ଋଷି ସୁନକଙ୍କୁ କଂଜରଭେଟିଭ୍ ପାର୍ଟିର ପୂର୍ବତନ ସଭାପତି ଅଲିଭର ଡାଉଡେନ ଏବଂ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଲିଆମ ଫକ୍ସଙ୍କ ସମେତ ସଂସଦର ବହୁ ବରିଷ୍ଠ ସଦସ୍ୟଙ୍କ ସମର୍ଥନ ରହିଛି।

ଋଷି ସୁନକ ହେଉଛନ୍ତି ଇନଫୋସିସ୍ ସହପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀଙ୍କ ଜ୍ବାଇଁ । ଋଷିଙ୍କ ପିତାମାତା ଭାରତୀୟ ବଂଶୋଦ୍ଭବ ଥିଲେ। ତାଙ୍କ ପିତା ଯଶବୀର କେନିଆରେ ଜନ୍ମ ଏବଂ ତାଙ୍କ ମାତା ଉଷା ତାଞ୍ଜାନିଆରେ ଜନ୍ମ ହୋଇଥିଲେ। ଋଷିଙ୍କ ଜେଜେବାପା ପଞ୍ଜାବ ପ୍ରଦେଶରେ (ତତ୍କାଳୀନ ବ୍ରିଟିଶ ଇଣ୍ଡିଆ)ରେ ଜନ୍ମଗ୍ରହଣ କରିଥିଲେ। ପରେ ସେମାନେ ୧୯୬୦ ଦଶକରେ ନିଜ ପିଲାମାନଙ୍କ ସହିତ ବ୍ରିଟେନକୁ ପଳାଇଥିଲେ ।

ଋଷି ୧୨ ମଇ ୧୯୮୦ରେ ବ୍ରିଟେନର ସାଉଥମ୍ପଟନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଜଣେ ଡାକ୍ତର ଥିବାବେଳେ ତାଙ୍କ ମା ଡିସପେନସାରି ଚଳାଉଥିଲେ। ତିନି ଭାଇଭଉଣୀଙ୍କ ମଧ୍ୟରୁ ଋଷି ଜ୍ୟେଷ୍ଠ |

ଭାରତୀୟ ମୂଳର ଋଷି ବ୍ରିଟେନର ସାଉଥମ୍ପଟନରେ ଜନ୍ମଗ୍ରହଣ କରିଥିଲେ | ସେ ବ୍ରିଟେନର ୱିନ୍‌ଷ୍ଟର କଲେଜରୁ ରାଜନୀତି ବିଜ୍ଞାନ ଅଧ୍ୟୟନ କରିଥିଲେ। ଏହା ପରେ ସେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ନାମ ଲେଖାଇ ସେଠାରେ ଦର୍ଶନ ଏବଂ ଅର୍ଥନୀତି ପଢ଼ିଥିଲେ । ସେ ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟର ଫୁଲବ୍ରାଇଟ୍ ସ୍କଲାର୍ ଥିଲେ । ଏହି ବିଶ୍ବବିଦ୍ୟାଳୟରୁ ସେ ଏମବିଏ ମଧ୍ୟ କରିଥିଲେ।

ଋଷି ସୁନକ୍ ଗ୍ରାଜୁଏସନ ପରେ ଗୋଲ୍ଡମ୍ୟାନ୍ ସାକ୍ସ କମ୍ପାନୀରେ କାମ କରିଥିଲେ ଏବଂ ପରେ ହେଜ୍ ଫଣ୍ଡ୍ କମ୍ପାନୀର ପାର୍ଟନର ହୋଇଥିଲେ |

ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଋଷି ଏକ ବିଲିୟନ ପାଉଣ୍ଡର ଏକ ଇନଭେଷ୍ଟମେଣ୍ଟ କମ୍ପାନୀ ପ୍ରତିଷ୍ଠା କରିଥିଲେ।

ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟରେ ଏମବିଏ କରିବା ସମୟରେ ଋଷିିଙ୍କ ସାକ୍ଷାତ ଇନଫୋସିସର ସହପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀଙ୍କ ଝିଅ ଅକ୍ଷତା ମୁର୍ତ୍ତୀଙ୍କ ସହ ହୋଇଥିଲା ଯାହାଙ୍କୁ ସେ ପରେ ବିବାହ କରିଥିଲେ। ସେମାନଙ୍କର ଦୁଇ ଝିଅ କୃଷ୍ଣା ଏବଂ ଅନୁଷ୍କା ଅଛନ୍ତି।

ୟର୍କଶାୟାରର ରିଚମଣ୍ଡର ସାଂସଦ ଋଷି ସୁନକ ୨୦୧୫ରେ ପ୍ରଥମ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଥିଲେ । ସେହି ସମୟରେ, ବ୍ରେକ୍ସିଟ୍ କୁ ସମର୍ଥନ କରି ପାର୍ଟିରେ ତାଙ୍କର ସ୍ତର ବଢିବାକୁ ଲାଗିଥିଲା।ଋ

ଋଷି ସେତେବେଳେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଥେରେସା ମେଙ୍କ କ୍ୟାବିନେଟରେ କନିଷ୍ଠ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ତାଙ୍କୁ ସବୁବେଳେ କଂଜରଭେଟିଭ୍ ପାର୍ଟିର ଉଦୀୟମାନ ନେତା ଭାବରେ ଦେଖାଯାଉଥିଲା। ଦଳର ଅନେକ ବଡ଼ ନେତା ମଧ୍ୟ ତାଙ୍କୁ ବହୁଥର ପ୍ରଶଂସା କରିଛନ୍ତି।

ଋଷି ସୁନକ୍ ମଧ୍ୟ ଫିଟନେସ୍ ପ୍ରତି ଆଗ୍ରହୀ | କ୍ରିକେଟ୍, ଫୁଟବଲ୍ ବ୍ୟତୀତ ସେ ଫିଲ୍ମ ଦେଖିବାକୁ ଭଲ ପାଆନ୍ତି |

ବ୍ରିଟେନ ରାଜନୀତି ସମୀକ୍ଷକଙ୍କ ମତରେ ଋଷି ସୁନକ ଏହି ତିନୋଟି କାରଣ ପାଇଁ ପ୍ରଧାନମନ୍ତ୍ରୀ ଦୌଡ଼ରେ ଆଗରେ ରହିଛନ୍ତି । ପ୍ରଥମ ହେଉଛି ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ ବ୍ରେକ୍ସିଟ୍ ର ସମର୍ଥକ ସୁନକ୍ ଏପରି ଜଣେ ପ୍ରାର୍ଥୀ ଯିଏ ବିଭାଜିତ ଶାସକ ଦଳକୁ ଏକତ୍ର କରିବାରେ ଦକ୍ଷତା ରଖିଛନ୍ତି । ଦ୍ବିତୀୟତଃ, ଋଷି ସୁନକଙ୍କ ପ୍ରଶାସନିକ କାର୍ଯ୍ୟର ବେଶ ଅଭିଜ୍ଞତା ଅଛି, ତେଣୁ ସେ ବ୍ରିଟେନ ସମ୍ମୁଖୀନ ହେଉଥିବା ଅର୍ଥନୈତିକ ଆହ୍ବାନର‌ ସାମ୍ନା କରିପାରିବେ । ତୃତୀୟ କାରଣ ହେଉଛି – ଜଣେ କ୍ୟାବିନେଟ ମନ୍ତ୍ରୀ ତଥା ବ୍ରିଟେନର ପ୍ରତିରକ୍ଷା ସଚିବ ବେନ ୱାଲେସ ଆନୁଷ୍ଠାନିକ ଭାବେ ପ୍ରଧାନମନ୍ତ୍ରୀ ପଦବୀରୁ ନିଜକୁ ଦୂରେଇ ରଖିବା ପରେ ଋଷିଙ୍କ ଦାବିଦାରୀ ଆହୁରି ମଜବୁତ୍ ହୋଇଛି ।

Comments are closed.