ଅପରାଧୀଙ୍କୁ ସାବାଡ କରିବାକୁ କମିଶନରେଟ୍ ପୋଲିସର ନୂଆ ପଦକ୍ଷେପ : ପ୍ରତି ରବିବାର ଜେଲ ପରେଡ

ଭୁବନେଶ୍ବର: ଅପରାଧୀଙ୍କୁ ସାବାଡ କରିବାକୁ ଆକ୍ସନ ମୋଡରେ କମିଶନରେଟ ପୋଲିସ । ଆଜିଠାରୁ ଆରମ୍ଭ ହେଲା ଜେଲ ପରେଡ଼ । ଆଉ ଜେଲରୁ ଫେରିବା ପରେ ଅପରାଧ ଦୁନିଆରେ ପାଦ ଥାପି ପାରିବେନି ଅପରାଧୀ। ଜେଲ ଫେରନ୍ତାଙ୍କୁ ଚେକ୍ ଦେବାକୁ ଅଣ୍ଟା ଭିଡ଼ିଛି କମିଶନରେଟ ପୁଲିସ । ଏଥିପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ଏଣିକି ପ୍ରତି ରବିବାର ଜେଲ ଭିତରେ ହେବ ପହରା । ଥାନା ଅଧିକାରୀ ଏବଂ ଏସ୍‌ଆଇ ଜେଲ ପରିଦର୍ଶନ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବେ ।
ଆଜି ଝାରପଡା ଜେଲରେ ଆରମ୍ଭ ହୋଇଛି ଜେଲ ପରେଡ । ଜେଲର ରେଜିଷ୍ଟାର ଯାଞ୍ଚ କରିବା ସହ ଅଭିଯୁକ୍ତଙ୍କୁ ଛିଡ଼ା କରାଇ ସେମାନଙ୍କ ବାବଦରେ ପୋଲିସ ତଥ୍ୟ ନେଇଛି । ଅପରାଧୀଙ୍କ ଆଚରଣ, ଉଚ୍ଚାରଣ ଏବଂ କେତେ ମାମଲାରେ ସେମାନେ ସମ୍ପୃକ୍ତ ଅଛନ୍ତି ସେନେଇ ତଥ୍ୟ ନିଆଯାଇଛି । ଜେଲରେ ରହୁଥିବା ଅଭିଯୁକ୍ତମାନେ କାହା ସହ ମିଶୁଛନ୍ତି, କାହା ସହ ବନ୍ଧୁତା ସ୍ଥାପନା କରୁଛନ୍ତି । ମୁଲାକାତ ବେଳେ କାହା ସହ ଭେଟୁଛନ୍ତି । ଏ ସବୁର ତର୍ଜମା କରିଛନ୍ତି ଥାନାଧିକାରୀ । ଫଳରେ ଜାମିନରେ ଆସିବା ପରେ ଅଭିଯୁକ୍ତଙ୍କ ଗତିବିଧି ଉପରେ ଥାନାର ନଜର ରହି ପାରିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁମାନେ ଜେଲ ଯାଇଛନ୍ତି ଓ ଜାମିନରେ ବାହାରିବେ ସେମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଛି ।

Comments are closed.