ଗଞ୍ଜାମ ଜିଲ୍ଲାରେ ଗର୍ଭବତୀଙ୍କୁ ୩ ଅଲଟ୍ରାସାଉଣ୍ଡ୍ ସୁବିଧା ମାଗଣା, ୧୫ରୁ ଚାଷୀଙ୍କ ଖରିଫ ଫସଲ ପଞ୍ଜିକରଣ

ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ମାତୃ ମୃତ୍ୟୁହାର ହ୍ରାସ ନିମନ୍ତେ ଜିଲ୍ଲା ପ୍ରଶାସନ ନୂତନ ପଦକ୍ଷେପ ଘୋଷଣା କରିଛି। ଏଣିକି ଜିଲ୍ଲାରେ ସମସ୍ତ ଗର୍ଭବତୀଙ୍କୁ ମାଗଣାରେ ତିନୋଟି ଅଲଟ୍ରାସାଉଣ୍ଡ୍ ସୁବିଧା ଯୋଗାଇ ଦିଆଯିବ। ପୋଷଣ ଅଭିଯାନକୁ ଜିଲ୍ଲାରେ ଶତପ୍ରତିଶତ ସଫଳ କରାଯିବ। ସେହିପରି ବାଲ୍ୟ ବିବାହ ଏବଂ କନ୍ୟା ଭୃଣହତ୍ୟା ରୋକିବା ନିମନ୍ତେ ଜିଲ୍ଲାରେ ଚାଲୁଥିବା ନିର୍ଭୟା କଢି ଏବଂ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମକୁ ଆହୁରି ଅଧିକ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସମନ୍ବିତ ଶିଶୁ ବିକାଶ ଯୋଜନା ସମୀକ୍ଷା ବୈଠକରେ ଜିଲ୍ଲାପାଳ ଅଧ୍ୟକ୍ଷତା କରିଥିଲେ। ସେ ସମସ୍ତ ସିଡିପିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ପ୍ରତି ଶନିବାର ଅଙ୍ଗନବାଡ଼ି କେନ୍ଦ୍ରରେ ଚାଲୁଥିବା ନିର୍ଭୟା କଢି, ମୋ ଗେହ୍ଲା ଝିଅ ଏବଂ ଆଦ୍ବିକା କାର୍ଯ୍ୟକ୍ରମଗୁଡିକୁ ନିୟମ ଅନୁଯାୟୀ ପାଳନ କରାଯାଉ। ଜିଲ୍ଲାରେ ଖାଲି ଥିବା ସମସ୍ତ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକା ପଦବି ପୂରଣ ପାଇଁ ତୁରନ୍ତ ପଦକ୍ଷେପ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସେ। ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ କିପରି ପହଞ୍ଚିବ ସେ ଦିଗରେ ସମସ୍ତ ଅଧିକାରୀ ଧାନ ଦେବାକୁ କହିଛନ୍ତି ଜିଲ୍ଲାପାଳ।

ଅପରପକ୍ଷରେ ଆଗାମୀ ୧୫ ତାରିଖ ଠାରୁ ଖରିଫ୍ ଋତୁର ଧାନ ଫସଲ କ୍ରୟ ନିମନ୍ତେ ଚାଷୀଙ୍କ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବ। ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଆବେଦନ ଗ୍ରହଣ କରାଯିବ। ଚଳିତ ଖରିଫ୍ ଋତୁରେ ନୂତନ ଭାବରେ ସମସ୍ତ ଚାଷୀଙ୍କ ପଞ୍ଜିକରଣ କରାଯିବ ଅର୍ଥାତ୍ କୌଣସି ଚାଷୀଙ୍କ ନବୀକରଣ କରାଯିବ ନାହିଁ। ଗଞ୍ଜାମ ଜିଲ୍ଲାର ଚାଷୀଙ୍କ ଅନ୍‌ଲାଇନ୍‌ ପଞ୍ଜିକରଣ ନିମନ୍ତେ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପରିଡ଼ା କହିଥିଲେ ଯେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ପଞ୍ଜିକରଣ କରାଗଲେ ତାହା ନିର୍ଭୁଲ ଓ ସୁପରିଚାଳିତ ହେବ। ସମସ୍ତ ଉପଜିଲ୍ଲାପାଳ, ବିଡିଓଗଣ ନିଜ ନିଜ ସ୍ତରରେ ବୈଠକ କରି ପଞ୍ଜିକରଣ ପ୍ରକ୍ରିୟା ପରିଚାଳନା କରିବେ।

୨୦୨୨ – ୨୩ ଖରିଫ୍ ଧାନ ସଂଗ୍ରହ ସକାଶେ ପଞ୍ଜିକରଣ ଫର୍ମରେ ନୂଆ ତଥ୍ୟ ସଂଗ୍ରହ ପାଇଁ ବ୍ୟବସ୍ଥା ଓ ଅନ୍‌ଲାଇନ୍ ପଦ୍ଧତି, ପଞ୍ଜିକରଣର ସମସ୍ତ ସରଣୀ, ସମିତିର ଦାୟିତ୍ବ ସମ୍ପର୍କରେ ବୈଠକରେ ଅବଗତ କରାଯାଇଛି। ଚାଷୀମାନଙ୍କ ମୋବାଇଲ୍ ନମ୍ବରକୁ ଆସିଥିବା ଓ୍ୱାନ୍ ଟାଇମ୍ ପାସଓ୍ବାର୍ଡ ମାଧ୍ୟମରେ ସଠିକତା ଯାଞ୍ଚ କରାଯିବ। ପଞ୍ଜିକରଣ ଫର୍ମଟି ସମିତିରେ ଚାଷୀ ଦାଖଲ କରିବା ସମୟରେ ସମିତି ସମ୍ପାଦକ ବା ଡିଇଓ ଚାଷୀଙ୍କ ଆଧାର ନମ୍ବର, ନାମ ଓ ମୋବାଇଲ୍ ନମ୍ବର, ଓଟିପି ମାଧ୍ୟମରେ ସଠିକତା ଯାଞ୍ଚ କରିବେ। ଭାଗଚାଷୀ ହୋଇଥିଲେ ସମ୍ପୃକ୍ତ ଜମି ମାଲିକଙ୍କ ସହମତି ପତ୍ର ସହିତ ଜମି ମାଲିକଙ୍କ ଆଧାରକାର୍ଡ ନକଲ ଓ ମୋବାଇଲ୍ ନମ୍ବର ଦେବାକୁ ହେବ। ଏଥର ସାଟେଲାଇଟ୍ ମାଧ୍ୟମରେ ଶତପ୍ରତିଶତ ଚାଷ ହୋଇଥିବା ଜମିର ଖୈତ୍ରସ୍ତରୀୟ ଯାଞ୍ଚ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Comments are closed.