ଚିତ୍ରକୋଣ୍ଡାରେ ଆଦିବାସୀଙ୍କୁ ଏସଡିପିଓଙ୍କ ମାଡ଼ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର – ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ଏକ ଗାଁକୁ ଯାଇ ନିରୀହ ଆଦିବାସୀଙ୍କୁ ଏସଡିପିଓ ଅଂଶୁମାନ ଦ୍ୱିବେଦୀ ମାଡ଼ ମାରିବା ଘଟଣାର ତଦନ୍ତ କ୍ରାଇମବ୍ରାଂଚ କରିବ । ଆଜି ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି । ଆଜି ଶୂନ୍ୟକାଳରେ ବିରୋଧୀ ସଦସ୍ୟମାନେ ଏସଡିପିଓଙ୍କ ଏଭଳି କାର୍ଯ୍ୟକୁ କଡ଼ା ନିନ୍ଦା କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ । ଏ ପ୍ରସଙ୍ଗରେ ଗୃହରେ ଅଚଳାବସ୍ଥା ଲାଗି ରହିବାରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବିବୃତି ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠିଥିଲା। ଆଜି ଗୃହ କାର୍ଯ୍ୟ ଶେଷ ହେବା ପୂର୍ବରୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବିଧାନସଭାରେ ବିବୃତି ରଖିବାକୁ ବାଚସ୍ପତି ନିର୍ଦ୍ଦେଶ ଦେବା ପରେ ମଧ୍ୟ ବିଧାନସଭା ସ୍ୱାଭାବିକ ହୋଇପାରିନଥିଲା । ଦ୍ୱିତୀୟାର୍ଦ୍ଧରେ ଗୃହରେ ଅଚଳାବସ୍ଥା ଲାଗି ରହିବା ପରେ ଗୃହ ରାଷ୍ଟ୍ରମନ୍ତ୍ରୀ ଘଟଣାର କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ଘୋଷଣା କରିଥିଲେ । ଏହି ଘଟଣାର ତଦନ୍ତ କ୍ରାଇମବ୍ରାଂଚ ଆଇଜି କରିବେ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଯେ, ସ୍ଥାନୀୟ ଏସଡିପିଓ ଅଂଶୁମାନ ଦ୍ୱିବେଦୀ ମଦ ପିଇ ଜୁନ୍ ୫ତାରିଖ ରାତି ୨ଟାରେ ଚିତ୍ରକୋଣ୍ଡା ଅଂଚଳର ଏକ ଗାଁକୁ ଯାଇ ନିରୀହ ଆଦିବାସୀ ମହିଳାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ବିନା ମହିଳା ପୋଲିସରେ ଉକ୍ତ ଏସଡିପିଓ ମହିଳା ଓ ନାବାଳିକାଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଆଜି ଗୃହରେ ବିରୋଧୀ ବିଧାୟକମାନେ ଏ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ । ଏହି ଘଟଣାକୁ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ମଧ୍ୟ ନିନ୍ଦା କରିବା ସହ ଯିଏ ଦୋଷୀ ତା’ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।

Comments are closed.