ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପ୍ରଶାସନ ପୁଣି ଥରେ ତାର ଉତ୍ତରଦାୟିତ୍ଵ ନିର୍ବାହ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣ ଆଭିମୁଖ୍ୟ ଧାରାରେ ଅନୁପ୍ରାଣିତ ଜିଲ୍ଲା ପ୍ରଶାସନ ୪ ଜଣ ଅସହାୟ କୁନି ଭାଇ ଭଉଣୀଙ୍କ ଲାଳନପାଳନ ଦାୟିତ୍ବ ନିଜ ହାତକୁ ନେଇଛି। ସେମାନଙ୍କୁ ନିଜ ଗାଁରୁ ନିଜ ଦାୟିତ୍ବରେ ଆଣି ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ପୋଷ୍ୟ ସନ୍ତାନ କେନ୍ଦ୍ରରେ ଆଶ୍ରୟ ଦେଇଛି। ସେମାନଙ୍କ ଭବିଷ୍ୟତ ଜୀବନଯାପନ, ଶିକ୍ଷା ଓ ଲାଳନପାଳନ ସହ ଥଇଥାନ ବ୍ୟବସ୍ଥା ପାଇଁ ନିଷ୍ପତ୍ତି ନେଇଛି ଗଜପତି ପ୍ରଶାସନ।
ମୋହନା ଥାନା ଶିକୁଳିପଦର ପଞ୍ଚାୟତର ଭାଲିଆଗଣି ଗାଁରେ ପାରିବାରିକ କଳହକୁ ନେଇ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କରିଥିଲା। ମା’ଙ୍କ ମୃତ୍ୟୁ ଘଟିଥିବା ବେଳେ ବାପାଙ୍କୁ ଗିରଫ କରି ନେଇଛି ପୋଲିସ। ଏଭଳି ସ୍ଥିତିରେ ବେସାହାରା ହୋଇଯାଇଛନ୍ତି ୪ ଜଣ ଶିଶୁ। ସେହି ଗାଁରେ ପିଲାମାନଙ୍କ ମାମୁ, ମାଇଁ, ମାଉସୀ ରହୁଥିଲେ ମଧ୍ୟ କେହି ଏହି କୁନି ଛୁଆମାନଙ୍କୁ ନିଜ ପାଖରେ ରଖିବା କିମ୍ବା ସେମାନଙ୍କ ଲାଳନପାଳନ ଦାୟିତ୍ଵ ନେବାକୁ ରାଜି ହୋଇନଥିଲେ। ଏଣୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଶିଶୁ ସୁରକ୍ଷା ବିଭାଗ ସେମାନଙ୍କୁ ଉଦ୍ଧାର କରି ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ରଖିଥିବା କହିଛନ୍ତି ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ।
ପାରିବାରିକ କଳହର ଭୟଙ୍କର ପରିଣତିର ଶିକାର ହୋଇଛନ୍ତି ୬ ବର୍ଷର ବଡ଼ ଝିଅ, ୪ ବର୍ଷ, ୨ ବର୍ଷ ଏବଂ ୫ ମାସର ନିଷ୍ପାପ ପୁତ୍ର ସନ୍ତାନ। ସେମାନଙ୍କ ମା’ ଛେଉଣ୍ଡ ଓ ବାପାଙ୍କ ଗିରଫଦାରୀ ଅବସ୍ଥା ବାବଦରେ ଅବଗତ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁମାନଙ୍କୁ ସେମାନଙ୍କ ସମ୍ପର୍କୀୟଙ୍କ ଘରେ ରଖିବା ପାଇଁ ନିବେଦନ କରାଯାଇଥିଲା। ହେଲେ କେହି ରାଜି ନହେବାରୁ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସାମାଜିକ କର୍ମୀ, ଏଏନ୍ଏମ୍ ପ୍ରମୁଖ ଗାଁରେ ପହଞ୍ଚି ୪ ଅନାଥ ଶିଶୁଙ୍କୁ ଉଦ୍ଧାର କରି ଆଣିଥିଲେ। ସେମାନଙ୍କୁ ପାରଳାଖେମୁଣ୍ଡିସ୍ଥିତ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ରଖାଯାଇ ଲାଳନପାଳନ କରାଯାଉଛି। ଏହା ପୂର୍ବରୁ ମଧ୍ୟ ଘଟଣାଦିନ ଯେତେବେଳେ ପୋଲିସ ବାହିନୀ ଅଭିଯୁକ୍ତ ବାପାକୁ ଗିରଫ କରିବାକୁ ଯାଇଥିଲା ସେତେବେଳେ ୪ ଶିଶୁଙ୍କ ଦୁରାବସ୍ଥା ଦେଖି ସେମାନଙ୍କ ପାଇଁ ସମ୍ବେଦନା ଓ ସହାୟତାର ହାତ ବଢ଼ାଇଥିଲା। ମା’ ଛେଉଣ୍ଡ ହେବା ସହ ବାପାଙ୍କ ଗିରଫଦାରୀ ପରେ ପୋଲିସ ମାନବିକତା ଦେଖାଇ କିଛି ଖାଦ୍ୟ ଓ ନୂଆ ପୋଷାକ ଆଣି ଶିଶୁମାନଙ୍କୁ ଦେଇଥିଲା। ସେମାନଙ୍କ ଅବସ୍ଥା ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବା ସହ ଥଇଥାନ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲା।
Comments are closed.