୧୮ରେ ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର: ଆସନ୍ତା ୧୮ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ଯାଜଳ ନିଷ୍କାସନ କରାଯିବ। ଏନେଇ କର୍ତ୍ତୃପକ୍ଷ ଆଜି ଘୋଷଣା କରିଛନ୍ତି। ଉପରମୁଣ୍ଡରୁ କ୍ରମାଗତ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ହୀରାକୁଦ ଜଳଭଣ୍ଡାର ସ୍ଥିତି ସଂଗୀନ ହୋଇଯାଇଥିଲା। ଏପରିକି ଗତ ମାସରେ ୩ଦିନ ଧରି ବିଦ୍ୟୁତ ଉତ୍ପାଦନ ବୁର୍ଲାରୁ ଠପ୍ ହୋଇଯାଥିଲା। ଜଳସ୍ତର ଆଦୌ ବୃଦ୍ଧି ପାଉନଥିଲା। ହେଲେ କିଛିଦିନ ହେଲା ଉପରମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ଜଳସ୍ତର ତିନିଦିନରେ ୪ଫୁଟ ପାଣି ବୃଦ୍ଧି ପାଇଛି। ଜଳଭଣ୍ଡାରକୁ ବର୍ତ୍ତମାନ ୨ଲକ୍ଷ ୧୮ ହଜାର କ୍ୟୁସେକ ପାଣି ପ୍ରବେଶ କରୁଛି। ଜଳସ୍ତର ସକାଳ ୯ଟାରେ ୬୦୭.୯୧ ଫୁଟରେ ପହଞ୍ଚିଛି।

ଏହାକୁ ଦୃଷ୍ଟିରେ ରଖି ସୋମବାର ୧୮ ତାରିଖ ପୂର୍ବାହ୍ନ ୧୧ଟାରେ ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ତେଣୁ ଏହି ସମୟରେ ବନ୍ଧ ତଳ ପାର୍ଶ୍ଵକୁ ନ ଯିବାକୁ ସତର୍କ ସୂଚନା ଜାରି କରାଯାଇଛି।

Comments are closed.