ଗୁଜରାଟ ଏସଆଇଟି ସତ୍ୟପାଠରେ ଦିବଂଗତ ନେତା ଅହମ୍ମଦ ପଟେଲଙ୍କ ନାମ ଉଠିବା ନେଇ ବିବାଦ, କଂଗ୍ରେସ କହିଲା ମୃତ ବ୍ୟକ୍ତିଙ୍କୁ ବି ଛାଡ଼ୁ ନାହାଁନ୍ତି ମୋଦୀ ସରକାର

ନୂଆଦିଲ୍ଲୀ: ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ରାଜ୍ୟ ଏସଆଇଟିର ତଦନ୍ତରେ ଦିବଂଗତ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ନାମ ଉଠିବା ପରେ ବିବାଦ ସୃଷ୍ଟି ହୋଇଛି । ଏନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି। ଅହମ୍ମଦ ପଟେଲଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛି।

ଏକ ଜାତୀୟ ଇଂରାଜୀ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୦୨ ଦଙ୍ଗା ମାମଲାରେ ପ୍ରମାଣ ଜାଲିଆତି ଏବଂ ଷଡ଼ଯନ୍ତ୍ର ନେଇ ସାମାଜିକ କର୍ମୀ ତିସ୍ତା ସିତଲଓ୍ବାଡ୍, ଅବସରପ୍ରାପ୍ତ ଡିଜିପି ଆର.ବି ଶ୍ରୀକୁମାର ଏବଂ ପୂର୍ବତନ ଆଇପିଏସ୍ ସଞ୍ଜୀବ ଭଟ୍ଟଙ୍କ ବିରୋଧରେ ତଦନ୍ତ କରୁଥିବା ଗୁଜୁରାଟ ଏସଆଇଟି କୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛି । ଏଥିରେ ଏସ୍ଆଇଟି ଦାବି କରିଛି ଯେ ରାଜ୍ୟ ସରକାରଙ୍କୁ ଅସ୍ଥିର କରିବା ପାଇଁ ଏହି ଅଭିଯୁକ୍ତମାନେ ବଡ଼ ଷଡ଼ଯନ୍ତ୍ର ରଚିଥିଲେ । ଉଲ୍ଲେଖଯୋଗ୍ୟ ସେତେବେଳେ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ।

ସୂଚନାନୁସାରେ, ଏହି ଷଡଯନ୍ତ୍ର କଂଗ୍ରେସର ସ୍ୱର୍ଗତ ନେତା ଅହମ୍ମଦ ପଟେଲଙ୍କ ‘ଆଦେଶ’ ଅନୁଯାୟୀ କରାଯାଇଥିବା ଅଭିଯୋଗ ହୋଇଛି। ଅହମ୍ମଦ ପଟେଲ ସେତେବେଳେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ରାଜନୈତିକ ପରାମର୍ଶଦାତା ଥିଲେ।

ଏହି ଅଭିଯୋଗକୁ ଖଣ୍ଡନ କରି କଂଗ୍ରେସ ଏକ ବିବୃତ୍ତି ଜାରି କରିଛି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପ୍ରତିଶୋଧ ନେଉଥିବା ଅଭିଯୋଗ କରିଛି କଂଗ୍ରେସ ।

କଂଗ୍ରେସ କହିଛି, ଶ୍ରୀ ଅହମ୍ମଦ ପଟେଲଙ୍କ ବିରୋଧରେ ଆସିଥିବା ମିଥ୍ୟା ଅଭିଯୋଗକୁ କଂଗ୍ରେସ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରୁଛି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟବସ୍ଥିତ ରଣନୀତିର ଏକ ଅଂଶ, ଯେଉଁଥିରେ ସେ ୨୦୦୨ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ହୋଇଥିବା ସାମ୍ପ୍ରଦାୟିକ ନରସଂହାର ଦୋଷରୁ ମୁକୁଳିବାକୁ ଚାହୁଁଛନ୍ତି। ଉକ୍ତ ନରସଂହାରକୁ ରୋକିବାରେ ତାଙ୍କର ଅନିଚ୍ଛା ଏବଂ ଅକ୍ଷମତା ହିଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମୋଦୀଙ୍କୁ ରାଜଧର୍ମ ପାଳନ କରିବାକୁ କହିଥିଲେ।

କଂଗ୍ରେସ କହିଛି, ପ୍ରଧାନମନ୍ତ୍ରୀଙ୍କ ରାଜନୈତିକ ପ୍ରତିଶୋଧର ମେସିନ୍ ଦୁନିଆରୁ ବିଦାୟ ନେଇଥିବା ପ୍ରତିଦ୍ୱନ୍ଦ୍ୱୀଙ୍କୁ ମଧ୍ୟ ଛାଡୁନାହିଁ । ଏସ୍ଆଇଟି ଏହାର ରାଜନୈତିକ ଗୁରୁଙ୍କ ଇସାରାରେ ନାଚୁଛି ଏବଂ କେବଳ ତାଙ୍କ ନିର୍ଦ୍ଦେଶରେ ବନ୍ଦ ହେବ | ଆମେ ଜାଣୁ ଯେ ପୂର୍ବରୁ ଜଣେ ଏସ୍ଆଇଟି ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କୁ ‘କ୍ଲିନ୍ ଚିଟ୍’ ଦେବା ପରେ ତାଙ୍କୁ କୂଟନୈତିକ ପଦବୀ ସହ ପୁରସ୍କୃତ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ୨୦୦୨ ଗୁଜରାଟ ଦଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ୬୩ ଜଣଙ୍କୁ ଏସଆଇଟିର କ୍ଲିନଚିଟକୁ ଚ୍ୟାଲେଞ୍ଜ କରି ଆଗତ ଏକ ଆବେଦନକୁ ସୁପ୍ରିମକୋର୍ଟ ନିକଟରେ ଖାରଜ କରିଦେଇଥିଲେ । ଆବେଦନକାରୀଙ୍କ ଉପରେ ସୁପ୍ରିମକୋର୍ଟ କରିଥିବା କଡ଼ା ଟିପ୍ପଣୀ ଆଧାରରେ ତା’ ପରଦିନ ଗୁଜରାଟ ପୋଲିସ ତିସ୍ତା ସିତଲଓ୍ବାଡ୍ ଏବଂ ପୂର୍ବତନ ଡିଜିପି ଆରବ ଶ୍ରୀକୁମାରଙ୍କୁ ଗିରଫ କରିଥିଲା।

Comments are closed.