ବିଶିଷ୍ଟ ଗାୟକ ଭୁପିନ୍ଦର ସିଂହଙ୍କ ପରଲୋକ

ମୁମ୍ବାଇ: ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଗଜଲ ଗାୟକ ଭୁପିନ୍ଦର ସିଂହଙ୍କ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ମୁମ୍ବାଇର କ୍ରିଟି କେୟାର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ପତ୍ନୀ ମିତାଲି ସିଂହ ଏହି ଦୁଃଖଦ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଭୁପିନ୍ଦର ସିଂହ ବହୁ ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ । ତାଙ୍କୁ ୧୦ ଦିନ ପୂର୍ବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ତାଙ୍କୁ ଚିକିତ୍ସା କରିଥିବା ଜଣେ ଡାକ୍ତର କହିଛନ୍ତି ଯେ ସ୍ବାସ୍ଥ୍ୟ ପରୀକ୍ଷା ବେଳେ ତାଙ୍କୁ କୋଲନ କ୍ୟାନ୍ସର ହୋଇଥିବା ସନ୍ଦେହ କରାଯାଉଥିଲା। ସ୍କାନିଂରେ କ୍ୟାନ୍ସର ହେବାର ସମ୍ଭାବନା ଦେଖାଯାଇଥିଲା । ତାଙ୍କର ଆଉ କିଛି ଅଧିକ ଯାଞ୍ଚ୍ କରାଯିବାର ଥିଲା । ସେ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ | ସେଥିପାଇଁ କ୍ୟାନ୍ସର ସମ୍ବନ୍ଧୀୟ ଟେଷ୍ଟ ହୋଇପାରିନଥିଲା | କୋଭିଡ ସଂକ୍ରମଣ ଯୋଗୁଁ ଆଜି ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ ତାଙ୍କର ଦେହାନ୍ତ ହୋଇଥିଲା। କୋମୋବର୍ଡିଟିଜ୍ ଜନିତ ସମସ୍ୟା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି।

ଭୁପିନ୍ଦର ସିଂହ ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ ଥିଲେ । ବିଶେଷକରି ଗଜଲ ଗାୟକ ଭାବେ ତାଙ୍କର ବେଶ୍ ଖ୍ୟାତି ରହିଥିଲା। ସେ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ | ଭୁପିନ୍ଦର ସିଂହ ବାଲ୍ୟକାଳରେ ନିଜ ସଙ୍ଗୀତକାର ପିତାଙ୍କଠାରୁ ଗିଟାର ବଜାଇବା ଶିଖିଥିଲେ। ପରେ ସେ ଦିଲ୍ଲୀ ଯାଇଥିଲେ ଓ ସେଠାରେ ଅଲ ଇଣ୍ଡିଆ ରେଡିଓରେ ଗାୟକ ଏବଂ ଗିଟାର ବାଦକ ଭାବେ କାର୍ଯ୍ୟ କରିଥିଲେ। ସଂଗୀତକାର ମଦନ ମୋହନ ୧୯୬୪ରେ ତାଙ୍କୁ ତାଙ୍କର ପ୍ରଥମ ବଡ଼ ବ୍ରେକ୍ ଦେଇଥିଲେ |

ସେ କିଶୋର କୁମାର ଏବଂ ମହମ୍ମଦ ରଫିଙ୍କ ସହ କିଛି ଲୋକପ୍ରିୟ ଡୁଏଟ୍ ଗାଇଛନ୍ତି। ମୌସମ, ସତ୍ତେ ପେ ସତ୍ତା, ଆହିସ୍ତା ଆହିସ୍ତା, ଦୂରିୟାଁ, ହକିକତ୍ ଏବଂ ଆହୁରି ଅନେକ ଫିଲ୍ମରେ ଭୁପିନ୍ଦର ସିଂହ ଗାଇଥିବା ଗୀତ ପାଇଁ ସେ ସ୍ମରଣୀୟ ହୋଇ ରହିବେ | ତାଙ୍କର କିଛି ଲୋକପ୍ରିୟ ଗୀତଗୁଡ଼ିକ ମଧ୍ୟରେ ‘ହୋକେ ମଜବୁର ମୁଝେ, ଉସେ ବୁଲାୟା ହୋଗା’, (ମହମ୍ମଦ ରଫି, ତଲତ ମହମୁଦ ଏବଂ ମାନ୍ନା ଦେ’ଙ୍କ ସହ), ‘ଦିଲ୍ ଧୁଣ୍ଡତା ହୈ, ‘ଦୁକି ପେ ଦୁକି ହୋ ୟା ସତ୍ତେ ପେ ସତ୍ତା’ ସହ ଆହୁରି ଅନେକ ହିଟ୍ ଗୀତ ରହିଛି । ଭୁପିନ୍ଦର ସିଂହଙ୍କ ବିୟୋଗରେ ବଲିଉଡ୍ ଓ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।

Comments are closed.