ତ୍ବରାନ୍ବିତ ହେବ କୋଟିଆର ସାମଗ୍ରୀକ ବିକାଶ, ଶୀଘ୍ର କାର୍ଯ୍ୟକାରୀ ହେବ ୫୦ କୋଟିର ପ୍ରକଳ୍ପ

ଭୁବନେଶ୍ୱର: ଆନ୍ଧ୍ରର ଅନୁପ୍ରବେଶକୁ ମିଳିବ କଡ଼ା ଟକ୍କର। ହେଲେ କୌଣସି ବଳପ୍ରୟୋଗ କିମ୍ବା ଛଳନାରେ ନୁହେଁ, ବରଂ ବିକାଶ ମାଧ୍ୟମରେ ଆନ୍ଧ୍ରପ୍ରଦେଶର ପ୍ରଲୋଭନର ଜବାବ ଦେବେ ଓଡ଼ିଶା ସରକାର। ସୀମାବର୍ତ୍ତୀ ଉପାନ୍ତ ଅଞ୍ଚଳର ଓଡ଼ିଆଙ୍କୁ ନିଜ ରାଜ୍ୟ, ନିଜ ଜାତି ତଥା ଭାଷା ପ୍ରତି ଆନ୍ତରିକତା ବଜାୟ ରଖିବାକୁ ପ୍ରଭାବୀ ପଦକ୍ଷେପ ନେବାରେ ଲାଗିଛନ୍ତି ନବୀନ ପଟ୍ଟନାୟକ ସରକାର। କୋଟିଆ ଗ୍ରାମପୁଞ୍ଜର ସାମଗ୍ରୀକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ଗୁରୁତ୍ବ ଦେଇ ଆସିଛନ୍ତି। କୋଟିଆ ପଞ୍ଚାୟତର ସମୂହ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସ୍ବତନ୍ତ୍ର ଅନୁଦାନ ଘୋଷଣା କରିଥିଲେ, ଯେଉଁଥିରେକି କୋଟିଆରେ ପକ୍କା ରାସ୍ତା ନିର୍ମାଣ, ବିଦ୍ୟୁତିକରଣ ଓ ଜୀବିକା ପ୍ରକଳ୍ପ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏ ମଧ୍ୟରେ ସେଠାରେ ପୋଲିସ ଥାନା, ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇପାରିଛି। ଅଗ୍ରଗତି ପଥରେ ଊର୍ଦ୍ଧ୍ୱ ମୁହାଁ ହୋଇ ଚାଲିଛି କୋଟିଆ ଗ୍ରାମପୁଞ୍ଜର ବିକାଶ। ବର୍ଷ ପରେ ବର୍ଷ ଅବହେଳିତ ହୋଇ ରହିଥିବା ଏହି ଉପାନ୍ତ ଓଡ଼ିଆ ଅଞ୍ଚଳର ବିକାଶ ଏବେ ପୂର୍ବାପେକ୍ଷା ବେଶ୍ ତ୍ବରାନ୍ବିତ ହୋଇପାରିଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପଦାଧିକାରୀମାନେ କୋଟିଆ ବାରମ୍ବାର ଗସ୍ତ କରି ସ୍ଥିତି ବରାବର ଅନୁଧ୍ୟାନ କରି ଆସୁଛନ୍ତି। ସେହିପରି ଜିଲ୍ଲାସ୍ତରୀୟ ଅଧିକାରୀମାନେ କୋଟିଆରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଓ ଜନହିତକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ନିମନ୍ତେ ନିୟମିତ ଭାବେ କ୍ଷେତ୍ର ପରିଦର୍ଶନ କରି ସମୀକ୍ଷା କରୁଛନ୍ତି। ଚଳିତ ବର୍ଷ ୨୦୨୨- ୨୩ରେ କୋଟିଆସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୫୯ ଜଣ ଛାତ୍ର ଆଡ୍‌ମିଶନ୍ କରିଛନ୍ତି। ସେମାନଙ୍କର ଗମନାଗମନର ସୁବ୍ୟବସ୍ଥା ପାଇଁ ମାଗଣା ବସ୍ ସେବା ମଧ୍ୟ ଆରମ୍ଭ କରାଯାଇଛି। କୋଟିଆର ବିକାଶକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ନୂତନ ପ୍ରକଳ୍ପର ଚୟନ ଓ କାର୍ଯ୍ୟକାରୀ ସକାଶେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ସମୀକ୍ଷା ବୈଠକ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ନିକଟରେ ଅନୁଷ୍ଠିତ ହୋଇଥିଲା। ସେଥିରେ ଅନେକ ନୂତନ ତଥା ଆବଶ୍ୟକୀୟ ପ୍ରକଳ୍ପ ସମ୍ବନ୍ଧୀୟ ପ୍ରସ୍ତାବ ଗୁଡ଼ିକୁ ଚୟନ କରାଯାଇଛି।

ଖୁବ୍ ଶୀଘ୍ର କୋଟିଆର ଭୌଗୋଳିକ ରୂପରେଖ ବଦଳାଇବାକୁ ଯାଉଥିବା ତଥା ସେଠି ବିକାଶର ମାନଚିତ୍ରକୁ ଗଭୀର ରୂପରେ ଆଙ୍କିବାକୁ ଯାଉଥିବା ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ଡୋଲିଆମ୍ବ ଠାରୁ ନାରିଙ୍ଗିପଦର ଓ କୋଟିଆ ଠାରୁ ଦେଓମାଳି ଭାୟା କାଟ୍ରାଗୁଡ଼ା ନୂତନ ରାସ୍ତା ନିର୍ମାଣ (୧୮.୫୦ କୋଟି ଟଙ୍କା), ମାଡ଼କାର ଠାରୁ ଫାଟୁସିନେରି, ପଟ୍ଟାଙ୍ଗୀରୁ ନେରେଡ଼ିବାଲସା, କୋଟିଆ ଠାରୁ ତାଡ଼ିବାଲସା ଓ କୁରୁଡ଼ିପଦର ଠାରୁ ଗାଲିଗାବଦର ରାସ୍ତାର ଉନ୍ନତିକରଣ (୭.୭୭ କୋଟି), ଷ୍ଟ୍ରବେରି ଚାଷର ସମ୍ପ୍ରସାରଣ (୩ କୋଟି), କୋଟିଆ ଝାଡୁ ବ୍ୟବସାୟୀକରଣ / କୁକୁଡ଼ା, ଛେଳି ଇତ୍ୟାଦି ପାଳନ (୧.୯୮ କୋଟି), ବିଦ୍ୟୁତ୍ ସେବାର ଉନ୍ନତିକରଣ (୧ କୋଟି), ୬୯୦ଟି ବିଜୁ ପକ୍କା ଘର ନିର୍ମାଣ (୮.୯୭ କୋଟି), ପାନୀୟ ଜଳ ଯୋଗାଣ (୦.୨୨ କୋଟି), ଜଳସେଚନ ପ୍ରକଳ୍ପ (୧.୪୭ କୋଟି), କୋଟିଆରେ ହେଲିପ୍ୟାଡ୍ ନିର୍ମାଣ (୩ କୋଟି), କୋଟିଆର ଆଦିବାସୀ ଉନ୍ନୟନ ବିଭାଗ ଉଚ୍ଚବିଦ୍ୟାଳୟରେ ଡାଇନିଂ ହଲ୍ ଓ ଷ୍ଟାଫ୍ କ୍ବାର୍ଟର୍ସ ନିର୍ମାଣ (୧.୩୦ କୋଟି), ପ୍ରାଣୀଧନ ନିରୀକ୍ଷକ କାର୍ଯ୍ୟାଳୟ ଓ କ୍ବାର୍ଟର୍ସ ନିର୍ମାଣ (୦.୫୦ କୋଟି), ଚେକ୍ ଡ୍ୟାମ୍ ଓ ୧୦ଟି ଫିଲ୍ମ ଚ୍ୟାନେଲ (୧.୪୬ କୋଟି), ପର୍ଯ୍ୟଟନର ବିକାଶ (୧ କୋଟି) ଆଦି। ମୋଟରେ ୫୦ କୋଟି ୧୫ ଲକ୍ଷ ଟଙ୍କାର ଉନ୍ନୟନ କାର୍ଯ୍ୟ ଶୀଘ୍ର କୋଟିଆବାସୀଙ୍କ ଜୀବନଯାପନ ମାନକୁ ବେଶ୍ ଉନ୍ନତ କରିବ। ଏହି ପ୍ରକଳ୍ପଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀ ନିମନ୍ତେ ଜିଲ୍ଲା ପ୍ରଶାସନକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏସବୁ ପ୍ରକଳ୍ପଗୁଡ଼ିକୁ ଲକ୍ଷ୍ୟ କଲେ ସ୍ପଷ୍ଟ ଜଣାଯାଏ ଯେ ଭିତ୍ତିଭୂମି ନିର୍ମାଣରୁ ଆରମ୍ଭ କରି ଜୀବନଧାରଣ ମାନକୁ ଉନ୍ନତ କରିବା, ପର୍ଯ୍ୟଟନର ବିକାଶରୁ ହେଲିପ୍ୟାଡ ନିର୍ମାଣ ଭଳି ଆଧୁନିକ ସୁବିଧା ସୁଯୋଗ ଉପଲବ୍ଧ କରାଇବାକୁ ଯାଉଛନ୍ତି ଓଡ଼ିଶା ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋକସ୍‌ରେ ଥିବା କୋଟିଆ ଯେ ବିକଶିତ ଓଡ଼ିଆର ଏକ ଝଲକ ଅଞ୍ଚଳବାସୀ ତଥା ଆଗନ୍ତୁକଙ୍କ ନିକଟରେ ପ୍ରସ୍ତୁତ କରିବ ତାହା ନିଃସନ୍ଦେହ।

Comments are closed.