ନୂପୁର ଶର୍ମାଙ୍କୁ ଭର୍ତ୍ସନା କରିଥିବା ସୁପ୍ରିମକୋର୍ଟ ଖଣ୍ଡପୀଠ ଆଜି କରିବେ ସାନି ପିଟିସନର ଶୁଣାଣି

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ପୂର୍ବତନ ବିଜେପି ଜାତୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ଆବେଦନର ଶୁଣାଣି କରିବେ। ତାଙ୍କ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ରୁଜୁ ହୋଇଥିବା ମାମଲାରେ ତାଙ୍କୁ ଗିରଫରୁ ସୁରକ୍ଷା ପାଇଁ ନୂପୁର ଶର୍ମା ପୁଣି ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି ।

ନୂପୁର ଶର୍ମା ତାଙ୍କ ଆବେଦନରେ କହିଛନ୍ତି ଯେ କୋର୍ଟଙ୍କ ଭର୍ତ୍ସନା ପରେ ତାଙ୍କୁ ପୁଣି ଥରେ ମୃତ୍ୟୁ ଓ ବଳାତ୍କାର ଧମକ ଦିଆଯାଉଛି ।

ନୁପୁର ଶର୍ମା ତାଙ୍କ ପିଟିସନରେ ମଧ୍ୟ କହିଛନ୍ତି ଯେ ତାଙ୍କ ବିରୋଧରେ ପ୍ରଥମ ଏଫ୍ଆଇଆର୍ ଦିଲ୍ଲୀରେ ରୁଜୁ ହୋଇଛି, ତେଣୁ ସମସ୍ତ ଏଫ୍ଆଇଆର୍ ଦିଲ୍ଲୀର ଏଫ୍ଆଇଆର୍ ସହିତ ଯୋଡି ଦିଆଯାଉ ।

ସୁପ୍ରିମକୋର୍ଟର ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ଜେ.ବି ପାରଦୀୱାଲାଙ୍କ ଖଣ୍ଡପୀଠ ଆଜି ଏହି ପିଟିସନର ଶୁଣାଣି କରିବେ। ଏହି ଖଣ୍ଡପୀଠ ହିଁ ଜୁଲାଇ ୧ରେ ନୂପୁର ଶର୍ମାଙ୍କ ପିଟିସନ ଶୁଣିବାକୁ ମନା କରିଦେଇଥିଲେ। କୋର୍ଟ ନୂପୁର ଶର୍ମାଙ୍କୁ ଭର୍ତ୍ସନା କରି ତାଙ୍କୁ ଉଦୟପୁର ଘଟଣା ପାଇଁ ଦାୟୀ କରିଥିଲେ । ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ସେ ଦେଶବାସୀଙ୍କୁ ଟିଭିରେ କ୍ଷମା ମାଗିବା ଉଚିତ ବୋଲି କୋର୍ଟ କହିଥିଲେ । ଶୁଣାଣି ପାଇଁ କୋର୍ଟ ମନା କରିବା ପରେ ନୂପୁର ଶର୍ମା ତାଙ୍କ ପିଟିସନ ପ୍ରତ୍ୟାହାର କରିଥିଲେ ।

ନୂପୁର ଶର୍ମାଙ୍କୁ ଭର୍ତ୍ସନା ପାଇଁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ଜେ.ବି ପାରଦୀୱାଲା ସମାଲୋଚନାର ଶିକାର ହୋଇଥିଲେ। ବିଶେଷକରି ସୋସିଆଲ ମିଡ଼ିଆରେ ଉଭୟଙ୍କୁ ନୂପୁର ସମର୍ଥକମାନେ ଧମକ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ ମେ ମାସରେ ଏକ ଟିଭି ବିତର୍କ ସମୟରେ ନୂପୁର ଶର୍ମା ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ, ଯାହାକୁ ବିରୋଧ କରି ଦେଶର ଅନେକ ରାଜ୍ୟରେ ତାଙ୍କ ବିରୋଧରେ ପ୍ରାୟ ଏକ ଡଜନ୍ ଏଫ୍ଆଇଆର୍ ରୁଜୁ କରାଯାଇଥିଲା। ତାଙ୍କ ମନ୍ତବ୍ୟକୁ ନେଇ ଆରବ ରାଷ୍ଟ୍ର ଗୁଡ଼ିକ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାପରେ ବାଧ୍ୟ ହୋଇ ବିଜେପି ନୂପୁର ଶର୍ମାଙ୍କୁ ଦଳରୁ ନିଲମ୍ବିତ କରିଥିଲା ।

Comments are closed.