ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇ ସୁଟର୍ ପୋଲିସ ଏନକାଉଣ୍ଟରରେ ନିହତ

ଚଣ୍ଡିଗଡ଼: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାରେ ସମ୍ପୃକ୍ତ ଦୁଇ ଜଣ ସୁଟର୍ ପୋଲିସ ସହ ଏନକାଉଣ୍ଟରରେ ନିହତ ହୋଇଛନ୍ତି । ବୁଧବାର ଅମୃତସର ଅଟାରିରେ ହୋଇଥିବା ଏନକାଉଣ୍ଟରରେ ମୁସେୱାଲା ହତ୍ୟାକାଣ୍ଡର ଦୁଇ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଜଗରୂପ ଓରଫ୍ ରୁପା ଓ ମନପ୍ରୀତ ଓରଫ୍ ମନୁର ମୃତ୍ୟୁ ହୋଇଥିବା ପଞ୍ଜାବ ପୋଲିସ ସ୍ପଷ୍ଟ କରିଛି । ମୁସେୱାଲା ହତ୍ୟାକାଣ୍ଡ ପରେ ଏହି ଦୁଇ ସୁଟରଙ୍କୁ ପୋଲିସ ପ୍ରାୟ ଦୁଇ ମାସ ଧରି ଖୋଜୁଥିଲା । ଏନକାଉଣ୍ଟର ସମୟରେ ଏକ ଟିଭି ଚ୍ୟାନେଲର ଜଣେ ସାମ୍ବାଦିକଙ୍କ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି ।

ଗ୍ୟାଙ୍ଗଷ୍ଟରଙ୍କ ସମ୍ପର୍କରେ ସୂଚନା ପାଇବା ପରେ ପଞ୍ଜାବ ପୋଲିସ ଭାରି ଫୋର୍ସ ସହିତ ଅଟାରୀର ଚିଚା ଭାକନା ଗ୍ରାମରେ ପହଞ୍ଚିଥିଲା | ଏହି ଏନକାଉଣ୍ଟରରେ ଅମୃତସର ଜିଲ୍ଲାର ପୁରା ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଭଙ୍ଗନାକାଲାନ ଗାଁର ଏକ ପରିତ୍ୟକ୍ତ ଘରେ ଦୁଇ ସୁଟର୍ ଲୁଚିଥିଲେ ବୋଲି କୁହାଯାଇଛି । ସେମାନଙ୍କର ସହ ଆଉ ପାଞ୍ଚ ଅପରାଧୀ ମଧ୍ୟ ସେଠାରେ ଲୁଚିଥିଲେ | ପୋଲିସ ସେହି ଅଞ୍ଚଳକୁ ଚାରିଆଡୁ ଘେରି ସୁଟର୍ ଜଗରୂପ୍ ଓ ମନପ୍ରୀତଙ୍କୁ ସରେଣ୍ଡର୍ କରିବା ପାଇଁ କହିଥିଲା । ହେଲେ ସେମାନେ ପୋଲିସ ଉପରେ ଗୁଳି ଚଳାଇଥିଲେ । ପୋଲିସ ମଧ୍ୟ ଜବାବୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ପୋଲିସ ଓ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ପ୍ରାୟ ତିନି ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିଲା | ଏଥିରେ ତିନି ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ ।

ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ମେ ୨୯ରେ ତାଙ୍କ ଗାଁ ମାନସା ନିକଟରେ ଗୁଳିକରି ହତ୍ୟା କରାଯାଇଥିଲା ।

Comments are closed.