ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ ହେଲେ ଭାରତର ରାଷ୍ଟ୍ରପତି

ନୂଆଦିଲ୍ଲୀ: ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ ହୋଇଛନ୍ତି ଭାରତର ରାଷ୍ଟ୍ରପତି । ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ତାଙ୍କ ନିକଟତମ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ ବିପୁଳ ବ୍ୟବଧାନରେ ହରାଇ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ତୃତୀୟ ରାଉଣ୍ଡ ଗଣତି ପରେ ସେ ଆବଶ୍ୟକୀୟ ୫୦% ଭୋଟ୍ ଅତିକ୍ରମ କରିଛନ୍ତି । ଦେଶର ଏହି ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରି ଇତିହାସ ସୃଷ୍ଟି କରିଛନ୍ତି ଦ୍ରୌପଦୀ ମୁର୍ମୁ । ସେ ହେଉଛନ୍ତି ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଓ ପ୍ରତିଭା ଦେବୀସିଂହ ପାଟିଲଙ୍କ ପରେ ଦ୍ବିତୀୟ ମହିଳା ରାଷ୍ଟ୍ରପତି । ଓଡ଼ିଶାର ପ୍ରଥମ ମହିଳା ଭାବେ ସେ ଦେଶର ସବୁଠୁ ଗରିମାମୟ ପଦରେ ଆସୀନ ହୋଇଛନ୍ତି।

ତୃତୀୟ ରାଉଣ୍ଡ ସୁଦ୍ଧା ମୋଟ ବୈଧ ଭୋଟ ହେଉଛି ୩୨୧୯ ଓ ଏହାର ମୂଲ୍ୟ ୮,୩୮,୮୩୯। ଏହା ମଧ୍ୟରୁ ଦ୍ରୌପଦୀ ମୁର୍ମୁ ୨୧୬୧ ଖଣ୍ଡ ଭୋଟ ଓ ଯଶୱନ୍ତ ସିହ୍ନା ୧୦୫୯ ଖଣ୍ଡ ଭୋଟ ପାଇଛନ୍ତି। ଦ୍ରୌପଦୀଙ୍କ ଭୋଟ ମୂଲ୍ୟ ୫,୭୭,୭୭୭ ଓ ଶ୍ରୀ ସିହ୍ନାଙ୍କ ଭୋଟ ମୂଲ୍ୟ ୨,୬୧,୦୬୨। ଭୋଟ ମୂଲ୍ୟ ୫୦% ଅତିକ୍ରମ କରି ଯାଇଥିବାରୁ ଗୋଟିଏ ରାଉଣ୍ଡ ଗଣତି ପୂର୍ବରୁ ଦ୍ରୌପଦୀ ମୁର୍ମୁ ଭାରତର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ।

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଦେଶର ଆଦିବାସୀ ସମ୍ପ୍ରଦାୟ ଓ ବିଶେଷକରି ଓଡ଼ିଶାରେ ଖୁସିର ଲହରୀ ଖେଳିଯାଇଛି । ତାଙ୍କ ପାଖକୁ ଚାରିଆଡୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି । ରାଇରଙ୍ଗପୁର କାଉନସିଲର ଭାବେ କ୍ୟାରିୟର ଆରମ୍ଭ କରିଥିବା ଦ୍ରୌପଦୀ ମୁର୍ମୁ ଏବେ ଦେଶର ପ୍ରଥମ ନାଗରିକ।

ରାମନାଥ କୋବିନ୍ଦଙ୍କ ସ୍ଥାନ ନେଇଛନ୍ତି ଦ୍ରୌପଦୀ । କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେଉଥିବା ବେଳେ ଭାରତର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଜୁଲାଇ ୨୫ରେ ଶପଥ ଗ୍ରହଣ କରିବେ।

ଶାନ୍ତ, ସରଳ ଓ ଅମାୟିକ ବ୍ୟକ୍ତିତ୍ଵ ପାଇଁ ପରିଚିତ ଦ୍ରୌପଦୀ ମୁର୍ମୁ ୧୯୫୮ ମସିହା ଜୁନ୍ ୨୦ ତାରିଖରେ ମୟୂରଭଂଜ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ କୁସୁମୀ ବ୍ଲକ୍ ଉପରବଡ଼ୋ ଗାଁରେ ଏକ ସାନ୍ତାଳ ପରିବାରରେ ଜନ୍ମ ହୋଇଥିଲେ । ବାପା ବିରଞ୍ଚି ନାରାୟଣ ଟୁଡୁ ଥିଲେ ମୟୁରଭଂଜ ରାଜାଙ୍କ ଦରବାରରେ ଜଣେ କର୍ମଚାରୀ। ଗାଁ ପ୍ରାଥମିକ ସ୍କୁଲରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ । ୧୯୭୦ରେ ଭୁବନେଶ୍ୱର ଆସି ୟୁନିଟ୍-୨ ବାଳିକା ହାଇସ୍କୁଲରେ ମାଟ୍ରିକ୍ ଓ ପରେ ରମାଦେବୀ ମହିଳା ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ଶେଷ କରିଥିଲେ। ୧୯୭୯ ମସିହାରେ ସଚିବାଳୟରେ ଚାକିରି ଜୀବନ ଆରମ୍ଭ କରିଥିଲେ । କୁସୁମୀ ବ୍ଲକ୍ ପାହାଡପୁର ଗାଁର ଶ୍ୟାମଚରଣ ମୁର୍ମୁଙ୍କୁ ବିବାହ କରିଥିଲେ । ପାରିବାରିକ କାରଣରୁ ସରକାରୀ ଚାକିରି ଛାଡ଼ି ୧୯୯୪ରେ ରାଇରଙ୍ଗପୁର ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶିକ୍ଷକତା କରିଥିଲେ। ପରେ ରାଜନୀତିକୁ ଓହ୍ଲାଇ ରାଇରଙ୍ଗପୁର ଏନଏସି କାଉନସିଲର୍ ଓ ଉପାଧ୍ୟକ୍ଷା ଭାବେ କାର୍ଯ୍ୟ କରିଥିଲେ ।

୨୦୦୦ ମସିହାରେ ରାଇରଙ୍ଗପୁର ବିଧାନସଭା ଆସନରୁ ବିଜେପି ଟିକେଟରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେତେବେଳେ ଓଡ଼ିଶାରେ ବିଜେଡି- ବିଜେପି ମେଣ୍ଟ ସରକାର ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ୨୦୦୦ ମସିହାରୁ ୨୦୦୨ ପର୍ଯ୍ୟନ୍ତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ। ପରେ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ରହିଥିଲେ। ୨୦୦୪ରେ ଦ୍ଵିତୀୟ ଥର ରାଇରଙ୍ଗପୁରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୭ରେ ତାଙ୍କୁ ବିଧାନସଭାର ଶ୍ରେଷ୍ଠ ବିଧାୟକ ପୁରସ୍କାର ମିଳିଥିଲା।

ଜାତୀୟ ସ୍ତରରେ ଦ୍ରୌପଦୀ ଚର୍ଚ୍ଚାକୁ ଆସିଥିଲେ ୨୦୧୫ ମସିହାରେ। ତାଙ୍କୁ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା। ସେ ଥିଲେ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ। ୨୦୨୧ ମସିହା ପର୍ଯ୍ୟନ୍ତ ୬ ବର୍ଷ ସେ ରାଜ୍ୟପାଳ ଭାବେ କାର୍ଯ୍ୟକାଳ ଶେଷ କରିଥିଲେ। ଏବେ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାର ସର୍ବୋଚ୍ଚ ପଦ ଅଳଙ୍କୃତ କରି ଇତିହାସ ରଚିଛନ୍ତି ଦ୍ରୌପଦୀ।

Comments are closed.