ଦରଦାମ୍ ବୃଦ୍ଧି ପ୍ରସଙ୍ଗରେ ଲୋକସଭାରେ ବିରୋଧୀଙ୍କ ହୋହଲ୍ଲା, ଗୃହକାର୍ଯ୍ୟ ୨ଟା ଯାଏଁ ସ୍ଥଗିତ

ନୂଆଦିଲ୍ଲୀ : ଦରଦାମ୍ ବୃଦ୍ଧି, ଜିଏସଟି ଏବଂ ବେକାରୀ ଭଳି ପ୍ରସଙ୍ଗରେ ଶୁକ୍ରବାର ଲୋକସଭାରେ କଂଗ୍ରେସ ସମେତ କିଛି ବିରୋଧୀ ଦଳର ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ଅପରାହ୍ନ ୨ଟା ଯାଏଁ ସ୍ଥଗିତ ରଖାଯାଇଛି । ବିରୋଧୀ ସଦସ୍ୟଙ୍କ ହୋହଲ୍ଲା ଯୋଗୁଁ ସଂସଦର ମୌସୁମୀ ଅଧିବେଶନରେ ନିମ୍ନ ସଦନରେ ପ୍ରଶ୍ନକାଳ କ୍ରମାଗତ ପଞ୍ଚମ ଦିନ ବ୍ୟାହତ ହୋଇଛି।

ଲୋକସଭା ବାଚସ୍ପତି ଓମ ବିର୍ଲା ପୂର୍ବାହ୍ନ ୧୧ଟାରେ ଗୃହକାର୍ଯ୍ୟ ପ୍ରାରମ୍ଭରେ ପ୍ରଶ୍ନକାଳ ଆରମ୍ଭ କରିବାକୁ କହିଥିଲେ। କିନ୍ତୁ କଂଗ୍ରେସ ସମେତ କିଛି ବିରୋଧୀ ସଦସ୍ୟ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ।

ହୋହଲ୍ଲା ମଧ୍ୟରେ ବିର୍ଲା ପ୍ରଶ୍ନ ଘଣ୍ଟା ଆରମ୍ଭ କରିଥିଲେ। ଏହି ସମୟରେ କିଛି ସଦସ୍ୟ ସପ୍ଲିମେଣ୍ଟାରୀ ପ୍ରଶ୍ନ ପଚାରିଥିଲେ ଏବଂ ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ ଉତ୍ତର ଦେଇଥିଲେ।

ଏହି ସମୟରେ ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେଇ ବାଚସ୍ପତିଙ୍କ ପୋଡିୟମ ନିକଟରେ ପହଞ୍ଚିଥିଲେ। ସେମାନେ ପ୍ଲାକାର୍ଡ ଧରିଥିଲେ ଯେଉଁଥିରେ ଏଲପିଜି ସମେତ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି, ଅନେକ ଜିନିଷ ଉପରେ ଜିଏସ୍ଟି ହାର ବୃଦ୍ଧି ଭଳି ପ୍ରସଙ୍ଗ ଉଲ୍ଲେଖ କରାଯାଇଥିଲା।

ବିରୋଧୀ ଦଳର ସଦସ୍ୟଙ୍କ କୋଳାହଳ ଜାରି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ।

Comments are closed.