ଅତ୍ୟାବଶ୍ୟକ ଔଷଧ ଦର ୭୦% ଯାଏ କମିବ! ଅଗଷ୍ଟ ୧୫ରେ ହୋଇପାରେ ଘୋଷଣା

ନୂଆଦିଲ୍ଲୀ: କ୍ୟାନ୍ସର, ମଧୁମେହ ଏବଂ ହୃଦରୋଗରେ ପୀଡିତ ରୋଗୀମାନଙ୍କୁ ଆଗାମୀ ଦିନରେ ମିଳିପାରେ ବଡ଼ ଆଶ୍ବସ୍ତି । ଏହି ରୋଗଗୁଡିକର ଚିକିତ୍ସାରେ ବ୍ୟବହୃତ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ କମାଇବାକୁ ସରକାର ବିଚାର କରୁଛନ୍ତି। ଅଗଷ୍ଟ ୧୫ରେ ଏ ସମ୍ପର୍କରେ ଘୋଷଣା କରାଯାଇପାରେ ବୋଲି ସରକାରୀ ସୂତ୍ରରୁ ପ୍ରକାଶ । ସୂଚନା ଅନୁଯାୟୀ ସରକାର ଏ ବାବଦରେ କିଛି ପ୍ରସ୍ତାବ ଦେଇଛନ୍ତି, କିନ୍ତୁ ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ଏହି ସବୁ ଦୁରାରୋଗ୍ୟ ରୋଗର ଔଷଧ ଦାମ୍ ବେଶ୍ ଅଧିକ ରହିଛି | ଏଥିପାଇଁ ସରକାର ଏହି ଔଷଧ ଗୁଡ଼ିକର ମୂଲ୍ୟ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି।

ସୂତ୍ରରୁ ଜଣାପଡିଛି ଯେ ଯଦି ଏହି ପ୍ରସ୍ତାବ ଲାଗୁ ହୁଏ ତେବେ ଔଷଧର ମୂଲ୍ୟ ୭୦ ପ୍ରତିଶତ ଯାଏଁ ହ୍ରାସ ପାଇବ। ସରକାର ମଧ୍ୟ ଅତ୍ୟାବଶ୍ୟକୀୟ ଔଷଧର ଜାତୀୟ ତାଲିକାରେ ପରିବର୍ତ୍ତନ କରିବାକୁ ବିଚାର କରୁଛନ୍ତି । ଶେଷ ଥର ପାଇଁ ୨୦୧୫ରେ ଏହି ତାଲିକାରେ ପରିବର୍ତ୍ତନ କରାଯାଇଥିଲା | ଏହି ତାଲିକାରେ ସେହି ଔଷଧ ଅନ୍ତର୍ଭୁକ୍ତ କରାଯାଏ ଯାହାର ବ୍ୟବହାର ବ୍ୟାପକ ପରିମାଣରେ କରାଯାଏ | ଏହା ସହିତ ଏପରି ଔଷଧର ଉଚ୍ଚ ମାର୍ଜିନ୍ ଉପରେ ସୀମା ନିରୂପଣ ପାଇଁ ମଧ୍ୟ ବିଚାର କରାଯାଉଛି ଯାହା ରୋଗୀମାନେ ଦୀର୍ଘ ସମୟ ଧରି ବ୍ୟବହାର କରନ୍ତି |

ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଜୁଲାଇ ୨୬ରେ ଔଷଧ କମ୍ପାନୀର ପ୍ରତିନିଧୀଙ୍କ ସହ ଏକ ବୈଠକ ଡାକିଛନ୍ତି । ସୂଚନାନୁସାରେ, ଅନେକ ଔଷଧ ଉପରେ ଟ୍ରେଡ୍ ମାର୍ଜିନ ୧୦୦୦ ପ୍ରତିଶତରୁ ଅଧିକ ରହିଛି। ବର୍ତ୍ତମାନ ଡ୍ରଗ୍ ରେଗୁଲେଟର ‘ଏନପିପିଏ’ ୩୫୫ ଓଷଧର ମୂଲ୍ୟ ଉପରେ ଏକ ସୀମା ଧାର୍ଯ୍ୟ କରିଛି | ଏହି ଓଷଧଗୁଡିକ ଅତ୍ୟାବଶ୍ୟକୀୟ ଔଷଧର ଜାତୀୟ ତାଲିକାରେ ସାମିଲ ରହିଛି | ଏହି ଔଷଧ ଗୁଡିକର ଟ୍ରେଡ୍ ମାର୍ଜିନ ହୋଲସେଲରଙ୍କ ପାଇଁ ୮ ପ୍ରତିଶତ ହୋଇଥିବା ବେଳେ ଖୁଚୁରା ବ୍ୟବସାୟୀମାନଙ୍କ ପାଇଁ ୧୬ ପ୍ରତିଶତ।

Comments are closed.