ମୋ’ ନିର୍ବାଚନ ପ୍ରମାଣ ଯେ ଏହି ଦେଶର ଗରିବର ସ୍ବପ୍ନ ମଧ୍ୟ ପୂରଣ ହୋଇପାରିବ: ରାଷ୍ଟ୍ରପତି ମୁର୍ମୁ

ନୂଆଦିଲ୍ଲୀ:ଦେଶର ୧୫ତମ ରାଷ୍ଟ୍ରପତି ଭାବରେ ସୋମବାର ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିଛନ୍ତି। ଏଥିସହ ଦେଶକୁ ମିଳିଛି ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି । ସଂସଦର ସେଣ୍ଟ୍ରାଲ ହଲରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ଦ୍ରୌପଦୀ ମୁର୍ମୁଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପରେ ତାଙ୍କର ପ୍ରଥମ ଅଭିଭାଷଣରେ ଦ୍ରୌପଦୀ ମୁର୍ମୁ କହିଛନ୍ତି, ତାଙ୍କ ନିର୍ବାଚନ ପ୍ରମାଣ ଯେ ଏହି ଦେଶର ଗରିବର ସ୍ବପ୍ନ ମଧ୍ୟ ପୂରଣ ହୋଇପାରିବ । ସମାଜର ଅବହେଳିତ ଓ ନିଷ୍ପେସିତ ବର୍ଗର ବିକାଶ ପାଇଁ ସେ ସଂକଳ୍ପବଦ୍ଧ ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ।

ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ରାଷ୍ଟ୍ରପତି ପଦରେ ପହଞ୍ଚିବା ମୋର ବ୍ୟକ୍ତିଗତ ସଫଳତା ନୁହେଁ, ଏହା ହେଉଛି ଭାରତର ପ୍ରତ୍ୟେକ ଗରିବଙ୍କ ସଫଳତା। ମୁଁ ମଧ୍ୟ ଦେଶର ପ୍ରଥମ ରାଷ୍ଟ୍ରପତି ଯିଏ ସ୍ବାଧୀନ ଭାରତରେ ଜନ୍ମଗ୍ରହଣ କରିଛି। ସେ କହିଛନ୍ତି ଯେ ସାନ୍ତାଳୀ ବିପ୍ଳବ, ପାଇକା ବିପ୍ଳବ ଠାରୁ କୋଲ ଏବଂ ଭିଲ ବିପ୍ଳବ ପର୍ଯ୍ୟନ୍ତ ଆଦିବାସୀଙ୍କ ଅବଦାନ ସ୍ୱାଧୀନତା ସଂଗ୍ରାମକୁ ଆହୁରି ସଶକ୍ତ କରିଥିଲା । ସାମାଜିକ ଉନ୍ନତି ଏବଂ ଦେଶପ୍ରେମ ପାଇଁ ‘ଧର୍ମୀ ଆବା’ ପ୍ରଭୁ ବିର୍ସା ମୁଣ୍ଡାଜୀଙ୍କ ବଳିଦାନ ଦ୍ୱାରା ଆମେ ଅନୁପ୍ରାଣିତ ହୋଇଥିଲୁ।

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଅଭିଭାଷଣରେ ସନ୍ଥ କବି ଭୀମଭୋଇଙ୍କ ଏକ ପଙ୍କ୍ତି, “ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ” ଉଲ୍ଲେଖ କରି ଏହା ତାଙ୍କର ଆଦର୍ଶ ଓ ଲକ୍ଷ୍ୟ ବୋଲି କହିଥିଲେ ।

ମୁର୍ମୁ କହିଛନ୍ତି ଯେ ତାଙ୍କ ପାଇଁ ଦେଶର ଯୁବକ ଓ ମହିଳାଙ୍କ ସ୍ବାର୍ଥ ସର୍ବୋପରି ହେବ । ସେ କହିଛନ୍ତି ଯେ ସେ ନିଜ ପାଇଁ ଗର୍ବିତ ଅନୁଭବ କରୁଛନ୍ତି। ଏହାଛଡ଼ା ସେ କହିଛନ୍ତି, ବହୁ ଦଶକ ପୂର୍ବରୁ ରାଇରଙ୍ଗପୁରର ଶ୍ରୀ ଅରୋବିନ ଇଣ୍ଟିଗ୍ରାଲ ସ୍କୁଲରେ ଶିକ୍ଷକ ଭାବରେ କାର୍ଯ୍ୟ କରିବାର ମୁଁ ସୁଯୋଗ ପାଇଥିଲି। କିଛି ଦିନ ପରେ ଶ୍ରୀ ଅରୋବିନ୍ଦଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ପାଳନ କରାଯିବ | ଶିକ୍ଷା ବିଷୟରେ ଶ୍ରୀ ଅରବିନ୍ଦଙ୍କ ବିଚାରଧାରା ମୋତେ ପ୍ରେରଣା ଯୋଗାଇଥାଏ | ରାଷ୍ଟ୍ରପତି ମୁର୍ମୁ ଆହୁରି କହିଛନ୍ତି ଯେ ସଂସଦୀୟ ଗଣତନ୍ତ୍ର ଭାବରେ ୭୫ ବର୍ଷ ମଧ୍ୟରେ ଭାରତ ପ୍ରଗତିର ସଂକଳ୍ପକୁ ସହଭାଗିତା ଏବଂ ସହମତି ମାଧ୍ୟମରେ ଆଗକୁ ବଢ଼ାଇଛି । ବିବିଧତାରେ ପରିପୂର୍ଣ୍ଣ ଆମ ଦେଶରେ ଆମେ ଅନେକ ଭାଷା, ଧର୍ମ, ସମ୍ପ୍ରଦାୟ, ଖାଦ୍ୟପେୟ, ଜୀବନଶୈଳୀ ଏବଂ ରୀତିନୀତି ଆପଣାଇ ‘ଏକ ଭାରତ – ଶ୍ରଷ୍ଠ ଭାରତ’ ନିର୍ମାଣରେ ସକ୍ରିୟ ରହିଛୁ ।

ଏହାପୂର୍ବରୁ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ ଅନ୍ୟାନ୍ୟ ବହୁ ବଡ଼ ନେତା ସଂସଦ ଭବନରେ ପହଞ୍ଚିଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ । ଦ୍ରୌପଦୀ ମୁର୍ମୁ ଶପଥ ନେବା ପୂର୍ବରୁ ରାଜ ଘାଟରେ ପହଞ୍ଚି ସେଠାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Comments are closed.