ଟେଲିକମ୍ କମ୍ପାନୀର ଗାତରେ ଖସିପଡ଼ି ଗୁରୁତର ଯୁବକର ମୃତ୍ୟୁ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ମିର୍ଦ୍ଧାଡେରା ଓ ଝଣ୍ଡାପଡ଼ା ନିକଟସ୍ଥ ରାସ୍ତା କଡ଼ରେ ଏକ ଟେଲିକମ୍ କମ୍ପାନୀ ଦ୍ୱାରା ଖୋଲା ଯାଇଥିବା ଏକ ଗାତରେ ବାଇକ ସହ ଖସି ପଡ଼ି ଗୁରୁତର ଆହତ ହୋଇଥିବା ଜଣେ ଯୁବକର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣକ ବେଲପାହାଡ଼ ଟିଆରଏଲ୍‌ ଟାଉନ୍‌ସିପ୍‌ର କେ-ଟାଇପ କ୍ୱାର୍ଟରରେ ରହୁଥିବା ବିନ ମହାକୁରଙ୍କ ମଝିଆ ପୁଅ ଅମୂଲ୍ୟ ମହାକୁର (୩୮) ବୋଲି ଜଣାପଡ଼ିଛି। ଅମୂଲ୍ୟ ଟିଆରଏଲ କ୍ରୋସାକି କମ୍ପାନୀରେ ଜଣେ ସ୍ଥାୟୀ କର୍ମଚାରୀ ଥିଲେ ।

ସୂଚନାରୁ ପ୍ରକାଶ ଯେ, ମୃତ ଯୁବକ ଅମୂଲ୍ୟ ଏକ ବାଇକ ଯୋଗେ ଗତ ୮ ତାରିଖ ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟା ୩୦ ମିନିଟରେ ବେଲପାହାଡ଼ ସ୍ଥାନୀୟ ଝଣ୍ଡାପଡ଼ାକୁ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିଲେ। ଅମୂଲ୍ୟ ବାଟରେ ଯାଉଥିବା ବେଳେ ମିର୍ଦ୍ଧାଡେରା ଓ ଝଣ୍ଡାପଡ଼ା ନିକଟସ୍ଥ ରାସ୍ତା କଡ଼ରେ ଏକ ଟେଲିକମ୍ କମ୍ପାନୀ ଦ୍ୱାରା କେବୁଲ ବିଛାଇବା ପାଇଁ ଖୋଲା ଯାଇଥିବା ପ୍ରାୟ ୩ ଫୁଟରୁ ଅଧିକ ହେବ ଗାତରେ ବାଇକ ସହ ଖସିପଡ଼ି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଘଟଣା ସ୍ଥଳରୁ ଗୁରୁତର ଅବସ୍ଥାରେ ଅମୂଲ୍ୟଙ୍କୁ ଉଦ୍ଧାର କରି ତୁରନ୍ତ ବେଲପାହାଡ଼ସ୍ଥିତ ଟିଆରଏଲ କ୍ରୋସାକି ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଅମୂଲ୍ୟ ଦୀର୍ଘ ୧୭ ଦିନ ଧରି ଜୀବନ ସହ ସଂଘର୍ଷ କରିବା ପରେ ଗତ ରବିବାର ବିଳମ୍ବିତ ରାତି ପ୍ରାୟ ୧ଟା ୩୦ ମିନିଟରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ସେଠାରେ ଟିଆରଏଲ କ୍ରୋସାକି କମ୍ପାନୀ ପକ୍ଷରୁ ଅମୂଲ୍ୟଙ୍କ ଅସ୍ତ୍ରୋପଚାର ସହ ଚିକିତ୍ସା ଖର୍ଚ୍ଚ ବହନ କରାଯାଇଥିଲା। ଅମୂଲ୍ୟଙ୍କ ପରିବାରରେ ତାଙ୍କ ପତ୍ନୀଙ୍କ ସମେତ ବାପା ଓ ୫ ବର୍ଷର ଏକ ମାତ୍ର ଝିଅ ଥିବା ପ୍ରକାଶ। ପୁଲିସ ଖବର ପାଇ ଘଟଣା ସ୍ଥଳକୁ ପହଂଚି ଶବ ଜବତ କରିବା ସହ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି। ଆଜି ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି।
ଅନ୍ୟ ପଟେ ବେଲପାହାଡ଼ ସହର ବିଭିନ୍ନ ସ୍ଥାନରେ ଟେଲିକମ୍ କମ୍ପାନୀର କେବୁଲ୍ ବିଛାଇବା ଓ ପାଣି ପାଇପ ବିଛାଇବା କାର୍ଯ୍ୟ ହେତୁ ବିଭିନ୍ନ ସ୍ଥାନରେ ଗାତ ଖୋଲି ମୁକୁଲା ଛାଡ଼ି ଦେଉଛନ୍ତି । ଯାହା ଫଳରେ ବିଭିନ୍ନ ସମୟରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି । ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।

Comments are closed.