ଓଡ଼ିଶାରେ ଟେକ ହୋମ ରାସନ୍ ଆବଣ୍ଟନରେ ମହିଳା ଏସଏଚଜିଙ୍କ ଭୂମିକା ପାଇଁ ରାଜ୍ୟ ସରକାରଙ୍କୁ ନୀତି ଆୟୋଗର ପ୍ରଶଂସା

ଭୁବନେଶ୍ୱର – ଗର୍ଭବତୀ, ମା’ ଏବଂ ଶିଶୁମାନଙ୍କ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ପକ୍ଷରୁ ଘରକୁ ଘର ଦିଆଯାଉଥିବା ଟେକ୍‍ ହୋମ୍‍ ରାସନ ଆବଣ୍ଟନ ବ୍ୟବସ୍ଥାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଭାଗିଦାରୀ ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କୁ ନୀତି ଆୟୋଗ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପ୍ରଶଂସା କରିଛନ୍ତି । କୁପୋଷଣ ଦୂର କ୍ଷେତ୍ରରେ ମହିଳା ଏସ୍‍ଏଚ୍‍ଜିଙ୍କ ଭୂମିକା ଉଲ୍ଲେଖନୀୟ ବୋଲି କୁହାଯାଇଛି। ଟେକ୍‍ ହୋମ୍‍ ରାସନ କାର୍ଯ୍ୟାନ୍ୱୟନରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ପଦକ୍ଷେପକୁ ନେଇ ନୀତି ଆୟୋଗ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ମୂଲ୍ୟାୟନ କରାଯାଇଥିଲା। ଏଥିରେ ଓଡ଼ିଶାର ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରାଯାଇଛି। ଏହି ବ୍ୟବସ୍ଥାରେ ଗୁଣବତ୍ତା ଏବଂ ପରିମାଣ ସୁନିଶ୍ଚିତ କରିଥିବାରୁ ଓଡ଼ିଶାକୁ ପ୍ରଶଂସା ମିଳିଛି ।

ନୀତି ଆୟୋଗଙ୍କ ପକ୍ଷରୁ କୁହାଯାଇଛି ଯେ ଓଡ଼ିଶାର ପ୍ରତି ବ୍ଲକରେ ହାରାହାରି ଦୁଇଟିରୁ ଅଧିକ ଟେକ ହୋମ ରାସନ୍ ବା ଟିଏଚ୍‍ଆର ୟୁନିଟ୍‍ କାର୍ଯ୍ୟକାରୀ କରାଯାଇଛି, ଯାହା ମହିଳା ଏସ୍‍ଏଚ୍‍ଜିଙ୍କ ଦ୍ୱାରା ପରିଚାଳିତ। ଏସ୍‍ଏଚ୍‍ଜିଗୁଡ଼ିକ ରାସନ ପାଇଁ ଆବଶ୍ୟକ କଞ୍ଚାମାଲ ନିଜେ ସଂଗ୍ରହ କରୁଥିବା ବେଳେ କେବଳ ଗହମ ଏଫ୍‍ସିଆଇ ଯୋଗାଇ ଦେଉଛି। ରାସନ ଆବଣ୍ଟନ କାର୍ଯ୍ୟ ପାଇଁ ସମୟସୀମା ଧାର୍ଯ୍ୟ କରାଯାଇ ଥିବାରୁ ପୂରା ପ୍ରକ୍ରିୟାର ଅନୁଧ୍ୟାନ କାର୍ଯ୍ୟ ସହଜ ହୋଇପାରିଛି।

ନୀତି ଆୟୋଗ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସହଭାଗିତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରତି ଅଙ୍ଗନବାଡ଼ି କେନ୍ଦ୍ରରେ ମାତୃତ୍ୱ କମିଟି ଏବଂ ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ଯାଞ୍ଚ କମିଟି ଗଠନ କରାଯାଇଛି। ଅଙ୍ଗନବାଡ଼ି କେନ୍ଦ୍ରରେ ରାସନ ଆବଣ୍ଟନରେ ଗୁଣବତ୍ତା ସୁନିଶ୍ଚିତ କରିବା ଦାୟିତ୍ୱ ମାତୃତ୍ଵ କମିଟି ଉପରେ ନ୍ୟସ୍ତ କରାଯାଇଛି। ସେହିପରି ଯାଞ୍ଚ କମିଟି ମଧ୍ୟ ଏହାର ଗୁଣବତ୍ତା ଏବଂ ପରିମାଣ ତଦାରଖ କରୁଛି। ଗୋଷ୍ଠୀ ସହଭାଗିତା ଦ୍ୱାରା ନିର୍ଦ୍ଧାରିତ ସମୟରେ ହିତାଧିକାରୀଙ୍କୁ ରାସନ ଆବଣ୍ଟନ ଏବଂ ଗୁଣବତ୍ତା ସୁନିଶ୍ଚିତ କରାଯାଇ ପାରୁଛି।

ଓଡ଼ିଶା ସରକାରଙ୍କ ଉଦ୍ୟମକ୍ରମେ ସୁପରଭାଇଜର୍‍, ସିଡିପିଓ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ମିଶନ୍‍ ଶକ୍ତି ବିଭାଗର କର୍ମଚାରୀଙ୍କୁ ଏଥିରେ ସାମିଲ କରାଯାଇଛି। ଏସବୁ ବିଭାଗର ଅଧିକାରୀମାନେ ପ୍ରତି ମାସର ନିର୍ଦ୍ଧାରିତ ତାରିଖରେ ରାସନ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରୁଛନ୍ତି। ପରିଣାମ ସ୍ୱରୂପ ମା’, ଗର୍ଭବତୀ ଓ ଶିଶୁମାନଙ୍କୁ ଉଚ୍ଚ ମାନର ରାସନ ଯୋଗାଣ ସମ୍ଭବ ହୋଇପାରିଛି ବୋଲି କୁହାଯାଇଛି।

Comments are closed.