‘ରାଷ୍ଟ୍ରପତ୍ନୀ’ ବିବାଦ: କଂଗ୍ରେସ ନେତା ଅଧୀର ଚୌଧୁରୀଙ୍କୁ ମହିଳା କମିଶନଙ୍କ ନୋଟିସ୍

ନୂଆଦିଲ୍ଲୀ: ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ବୋଲି କହିବା ନେଇ ଶାସକ ବିଜେପି ଏବଂ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଏହି ପ୍ରସଙ୍ଗରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କଠାରୁ କ୍ଷମା ପ୍ରାର୍ଥନା କରିବାକୁ ବିଜେପି ଦାବି କରିଛି। ଏହି ବିବାଦରେ ଏବେ ଜାତୀୟ ମହିଳା କମିଶନ ହସ୍ତକ୍ଷେପ କରି କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କୁ ନୋଟିସ ଜାରି କରିଛନ୍ତି।

ସୂଚନାନୁସାରେ, ଜାତୀୟ ମହିଳା କମିଶନ ଗୁରୁବାର କଂଗ୍ରେସ ନେତା ଆଧୀର ରଂଜନ ଚୌଧୁରୀଙ୍କୁ ନୋଟିସ ଜାରି କରି ତାଙ୍କୁ ବ୍ୟକ୍ତିଗତ ଭାବେ ଆୟୋଗରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ବୋଲି କହିଥିବାରୁ ଲିଖିତ ଆକାରରେ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଏବଂ ରାଷ୍ଟ୍ରପତିଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ମହିଳା କମିଶନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖିଛନ୍ତି। ଚୌଧୁରୀଙ୍କ ମାମଲାରେ ଆସନ୍ତା ବୁଧବାର ଶୁଣାଣି କରିବେ ମହିଳା କମିଶନ ।

ଅନ୍ୟପକ୍ଷରେ ରାଷ୍ଟ୍ରପତି ମୁର୍ମୁଙ୍କ ଉପରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କ ଆପତ୍ତିଜନକ ମନ୍ତବ୍ୟ ବିରୋଧରେ ସଂସଦର ଉଭୟ ଗୃହରେ ବିଜେପି ସାଂସଦଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । ଲୋକସଭାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ମୁହାଁମୁହିଁ ହୋଇଥିଲେ ।

Comments are closed.