ରାଜ୍ୟଗୋଷ୍ଠୀ କ୍ରୀଡା: ଭାରୋତ୍ତୋଳନରେ ଭାରତକୁ ଦ୍ବିତୀୟ ପଦକ, ଗୁରୁରାଜା ପୂଜାରୀ ଜିତିଲେ ବ୍ରୋଞ୍ଜ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ରେ ସଙ୍କେତ ସରଗରଙ୍କ ପରେ ଭାରୋତ୍ତୋଳନରେ ଭାରତକୁ ମିଳିଛି ଦ୍ୱିତୀୟ ପଦକ। ପୁରୁଷ ୬୧ କିଲୋଗ୍ରାମ ଓଜନ ବର୍ଗରେ ଗୁରୁରାଜା ପୂଜାରୀ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି। ପୂଜାରୀ ସ୍ନାଚରେ ୧୧୮ କିଲୋଗ୍ରାମ ଏବଂ କ୍ଲିନ ଆଣ୍ଡ ଜର୍କରେ ୧୫୧ କିଲୋଗ୍ରାମ ଉଠାଇଥିଲେ । ଗୋଲ୍ଡ କୋଷ୍ଟ ୨୦୧୮ ସଂସ୍କରଣର ରୌପ୍ୟ ପଦକ ବିଜେତା ଗୁରୁରାଜା ମୋଟ ୨୬୯ କିଲୋଗ୍ରାମ (୧୧୮ କିଲୋଗ୍ରାମ + ୧୫୧ କିଲୋଗ୍ରାମ) ସହିତ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ମାଲେସିଆର ଅଜନିଲ ବିନ୍ ବିଦିନ୍ ମହମ୍ମଦ ୨୮୫ କିଲୋଗ୍ରାମ (୧୨୭ + ୧୫୮) ଓଜନ ଉଠାଇ ଏକ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପାପୁଆ ନ୍ୟୁ ଗିନିର ମୋରିଆ ବାରୁ ମୋଟ ୨୭୩ କିଲୋଗ୍ରାମ (୧୨୧ + ୧୫୨) ରୌପ୍ୟ ପଦକ ଜିତିଛନ୍ତି ।

ପ୍ରଥମ ପ୍ରୟାସରେ ଗୁରୁରାଜ ୧୧୫ କିଲୋଗ୍ରାମ ଉଠାଇଥିବାବେଳେ ଦ୍ୱିତୀୟ ପ୍ରୟାସରେ ୧୧୮ କିଲୋଗ୍ରାମ ଉଠାଇଥିଲେ। ସେ ତୃତୀୟ ପ୍ରୟାସରେ ବିଫଳ ହୋଇଥିଲେ। କ୍ଲିନ୍ ଆଣ୍ଡ ଜର୍କରେ ସେ ପ୍ରଥମ ଉଦ୍ୟମରେ ୧୪୦, ୧୪୮ ଏବଂ ୧୫୧ ଉଠାଇଥିଲେ । ଏହିପରି ସେ ମୋଟ ୨୬୯ କିଲୋଗ୍ରାମ ଓଜନ ଉଠାଇ ତୃତୀୟ ସ୍ଥାନରେ ରହିଥିଲେ।

ପୂର୍ବରୁ ସଙ୍କେତ ମହାଦେବ ସରଗର ୫୫ କିଲୋଗ୍ରାମ ଭାରୋତ୍ତୋଳନ ଇଭେଣ୍ଟରେ ମୋଟ ୨୪୮ କେଜି ଉଠାଇ ରୌପ୍ୟ ପଦକ ସହ ଭାରତକୁ ପ୍ରଥମ ପଦକ ଦେଇଥିଲେ ।

Comments are closed.