ଝାଡ଼ଖଣ୍ଡରେ ବିଜେପିର ‘ଅପରେସନ କମଲ’ର ପର୍ଦ୍ଦାଫାସ୍, ବିଧାୟକଙ୍କ ନିକଟରୁ ବିପୁଳ ନଗଦ ଟଙ୍କା ମିଳିବା ପରେ କଂଗ୍ରେସର ପ୍ରତିକ୍ରିୟା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ହାଓଡାରେ ନିଜ ଦଳର ତିନିଜଣ ବିଧାୟକଙ୍କ ନିକଟରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ ହେବା ପରେ ବିଜେପି ଉପରେ ଆକ୍ରମଣ କରିଛି କଂଗ୍ରେସ । ଝାଡଖଣ୍ଡରେ ଏହାର ମେଣ୍ଟ ସରକାରକୁ ଭାଙ୍ଗିବାକୁ ବିଜେପି ଉଦ୍ୟମ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ବିଜେପି ମହାରାଷ୍ଟ୍ରରେ ଯାହା କଲା, ତାହା ଝାଡ଼ଖଣ୍ଡରେ କରିବାକୁ ଚାହୁଁଛି ବୋଲି କଂଗ୍ରେସ କହିଛି ।

ଶନିବାର ରାତିରେ ପଶ୍ଚିମବଙ୍ଗର ହାଓଡ଼ା ଜିଲ୍ଲାର ଝାଡ଼ଖଣ୍ଡର ତିନି ଜଣ କଂଗ୍ରେସ ବିଧାୟକଙ୍କୁ ପୋଲିସ ଅଟକାଇଥିଲା। ସେମାନଙ୍କ ଗାଡିରୁ ବହୁ ପରିମାଣର ନଗଦ ଟଙ୍କା ଜବତ କରାଯାଇଥିଲା।

ବିଧାୟକ ଇରଫାନ ଅନସାରୀ, ରାଜେଶ କଚାପ ଏବଂ ନମନ ବିକ୍ସାଲ କୋଙ୍ଗାରୀ ଯେଉଁ ଗାଡିରେ ଯାଉଥିଲେ ଶନିବାର ଦିନ ପଞ୍ଚଲା ପୋଲିସ ଥାନା ଅନ୍ତର୍ଗତ ରାନୀହାଟୀ ଜାତୀୟ ରାଜପଥ-୧୬ ରେ ତାହାକୁ ରୋକା ଯାଇଥିଲା ଏବଂ ଗାଡ଼ିରୁ ବିପୁଳ ପରିମାଣର ଟଙ୍କା ଜବତ କରାଯାଇଥିଲା।

କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଶନିବାର ଟ୍ୱିଟ୍ କରି କହିଛନ୍ତି ଯେ ଝାଡଖଣ୍ଡରେ ବିଜେପି ଚଳାଇଥିବା ‘ଅପରେସନ୍ କମଲ’ର ଆଜି ହାଓଡ଼ାରେ ପର୍ଦ୍ଦାଫାସ୍ ହୋଇଛି। ମହାରାଷ୍ଟ୍ରରେ ଇ-ଡି (ଏକନାଥ ସିନ୍ଦେ ଏବଂ ଦେବେନ୍ଦ୍ର ଫଡନାଭିସ୍) ସହାୟତାରେ ଯାହା ସେମାନେ କରିଥିଲେ, ଝଡଖଣ୍ଡରେ ମଧ୍ୟ ତାହା କରିବାକୁ ଦିଲ୍ଲୀର ‘ହମ୍ ଦୋ’ଙ୍କ ଯୋଜନା ରହିଛି। ”

ମହାରାଷ୍ଟ୍ରରେ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରେ କଂଗ୍ରେସ ବିଜେପି ଉପରେ ଆକ୍ରମଣ କରି ଅଭିଯୋଗ କରିଥିଲା ଯେ ବିଜେପି ଅନୈତିକ ଉପାୟରେ କ୍ଷମତା ହାସଲ କରୁଛି ।

କଂଗ୍ରେସର ଝାଡଖଣ୍ଡ ୟୁନିଟ୍ ମଧ୍ୟ ଦାବି କରିଛି ଯେ ରାଜ୍ୟରେ ହେମନ୍ତ ସୋରେନ୍ ସରକାରକୁ ହଟାଇବା ପାଇଁ ଷଡଯନ୍ତ୍ରରେ ବିଜେପି ବିପୁଳ ଅର୍ଥ ବ୍ୟବହାର କରିଛି।କଂଗ୍ରେସ ବ୍ୟତୀତ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ମଧ୍ୟ ଝାଡ଼ଖଣ୍ଡ ମେଣ୍ଟ ସରକାରର ଅଂଶବିଶେଷ।

ହାଓଡା (ଗ୍ରାମୀଣ) ଏସପି ସ୍ବାତି ଭଙ୍ଗାଲିଆ କହିଛନ୍ତି, “କଳା ରଙ୍ଗର କାରରେ ବିପୁଳ ପରିମାଣର ଟଙ୍କା ନିଆଯାଉଥିବାର ଆମକୁ ସଠିକ୍ ସୂଚନା ମିଳିଥିଲା। ଏହାପରେ ଆମେ ଏହି କାରକୁ ଅଟକାଇ ତଲାସୀ କରିଥିଲୁ । କାରରେ ତିନି ଜଣ ବିଧାୟକ ଥିଲେ | କାରରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଥିଲା।

ଜବତ ନଗଦ ଟଙ୍କା ଗଣିବା ପାଇଁ ମେସିନ୍ ଅଣାଯାଇଥିଲା। ଏହି ନଗଦ ଟଙ୍କାର ଉତ୍ସ କ’ଣ ଏବଂ କେଉଁଠିକୁ ଏହା ନିଆଯାଉଛି ସେନେଇ ବିଧାୟକମାନଙ୍କୁ ମଧ୍ୟ ପଚରାଉଚରା ଜାରି ରହିଛି ବୋଲି ସେ କହିଛନ୍ତି ।

ପୋଲିସ କହିଛି ଯେ ବିଧାୟକଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ମଧ୍ୟ ଏସୟୁଭିରେ ବସିଥିଲେ। କଂଗ୍ରେସର ନିର୍ବାଚନ ପ୍ରତୀକ ସହିତ ଏହି କାରର ଏକ ବୋର୍ଡ଼ରେ “ବିଧାୟକ ଜାମତରା ଝାଡଖଣ୍ଡ” ଲେଖାଯାଇଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅନସାରୀ ଜାମତରାର ବିଧାୟକ ହୋଇଥିବାବେଳେ କଚାପ ରାଞ୍ଚି ଜିଲ୍ଲାର ଖିଜ୍ରିରୁ ବିଧାୟକ ଏବଂ କୋଙ୍ଗାରୀ ସିମଡେଗା କୋଲେବିରାରୁ ବିଧାୟକ ଅଛନ୍ତି ।

Comments are closed.