ପାଟଣାଗଡ ଓ କୁଚିଣ୍ଡାରେ ଖୋଲାଯିବ ନୂଆ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ

ଭୁବନେଶ୍ୱର: ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀରର ପାଟଣାଗଡ ଠାରେ ଦୁଇଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ITI) ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହାଦ୍ବାରା ଏହି ଜନଜାତି ବହୁଳ ଅଞ୍ଚଳର ଯୁବ ସମାଜ ବିଶେଷ ଭାବରେ ଉପକୃତ ହେବେ। କୁଚିଣ୍ଡାରେ ନୂଆ ସରକାରୀ ଆଈଟିଆଈ ପ୍ରତିଷ୍ଠା ଦ୍ବାରା କୁଚିଣ୍ଡା ବାମରା ଓ ଜମନକିରା ବ୍ଲକର ଯୁବସମାଜ ଉପକାର ପାଇବେ । ନିଯୁକ୍ତି ତଥା ଆତ୍ମନିଯୁକ୍ତିର ସୁଯୋଗ ଥିବା ଚାରିଗୋଟି ଟ୍ରେଡରେ ଏଠାରେ ୨୪୦ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦିଆଯିବ। ସମ୍ବଲପୁର ଆଖପାଖରେ ଅନେକ ଶିଳ୍ପାନୁଷ୍ଠାନ ଗଢି ଉଠୁଥିବାରୁ ଏହା ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିପୁଳ ଓ ଅତ୍ମନିଯୁକ୍ତି ପାଇଁ ସୁଯୋଗ ମଧ୍ୟ ସୃଷ୍ଟି କରିବ।

ସେହିପରି ବଲାଙ୍ଗୀରର ପାଟଣାଗଡ ଠାରେ ପ୍ରତିଷ୍ଠିତ ଆଈଟିଆଈରେ ମଧ୍ୟ ୪ ଗୋଟି ଟ୍ରେଡରେ ୨୪୦ ଜଣ ପିଲା ଶିଳ୍ପ ତାଲିମ ପାଇପାରିବେ । ବୃତ୍ତିଗତ ତାଲିମ ବ୍ୟବସ୍ଥା ଦ୍ବାରା ବ୍ଲକ୍‌ର ଯୁବକ ଯୁବତୀ ମାନଙ୍କୁ ଦକ୍ଷତା ବୃଦ୍ଧି ହେବା ସହିତ ନିଯୁକ୍ତି/ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟିରେ ସହାୟକ ହେବ।

ସୂଚନାଯୋଗ୍ୟ ଯେ ରାଜ୍ୟର ୩୧୪ଟି ବ୍ଲକ୍‌ ମଧ୍ୟରୁ ୨୫୧ଟି ବ୍ଲକ୍‌ର ସରକାରୀ/ବେସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ITI) ରହିଛି । ସେହିପରି ୫୮ଟି ସବ୍‌ଡିଭିଜନ ମଧ୍ୟରୁ ୪୮ଟିରେ ଆଈଟିଆଈ ରହିଛି । ପାଟଣାଗଡ ଓ କୁଚିଣ୍ଡାରେ ଆଈଟିଆଈ ପ୍ରତିଷ୍ଠା ହେବା ପରେ ଏହି ସଂଖ୍ୟା ୫୦କୁ ବୃଦ୍ଧି ପାଇବ।

ସୂଚନାଯୋଗ୍ୟ ଯେ ସ୍କିଲଡ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ଆମର ଯୁବକ ଯୁବତୀ ମାନେ ବିଭିନ୍ନ ସରକାରୀ ଶିଳ୍ପତାଲିମ ପ୍ରତିଷ୍ଠାନ ମାନଙ୍କରେ ତାଲିମ ନେଇ ନିଜର ଦକ୍ଷତା ଦ୍ବାରା ଓଡିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି। ଭୁବନେଶ୍ବର ନିକଟରେ ପ୍ରତିଷ୍ଠିତ ଓ୍ବାର୍ଲ୍ଡ ସ୍କିଲ ସେଣ୍ଟର୍  ଆମର ଯୁବସମାଜ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିଛି।

Comments are closed.