ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀର ହେରାଲ୍ଡ ହାଉସ ବିଲଡିଂରେ ୟଙ୍ଗ ଇଣ୍ଡିଆନ ଅଫିସକୁ ସିଲ୍ କରିଦେଇଛି । ଇଡି ଏହି ଅଫିସ୍ ସମ୍ମୁଖରେ ଏକ ନୋଟିସ ଲଗାଇଛି ଏବଂ ବିନା ଅନୁମତିରେ ଅଫିସ ଖୋଲାଯିବ ନାହିଁ ବୋଲି କୁହାଯାଇଛି । ୟଙ୍ଗ୍ ଇଣ୍ଡିଆନ୍ ହେଉଛି ନ୍ୟାସନାଲ ହେରାଲ୍ଡ ଖବରକାଗଜର ପ୍ରକାଶକ ।
ଇଡି ତରଫରୁ କୁହାଯାଇଛି ଯେ ପ୍ରମାଣ ସଂରକ୍ଷଣ କରିବା ପାଇଁ ୟଙ୍ଗ୍ ଇଣ୍ଡିଆନ୍ ଅଫିସକୁ ସାମୟିକ ଭାବେ ସିଲ୍ କରାଯାଇଛି । ଅଧିକୃତ ପ୍ରତିନିଧିଙ୍କ ଅନୁପସ୍ଥିତି କାରଣରୁ ମଙ୍ଗଳବାରର ଚଢ଼ଉ ସମୟରେ ପ୍ରମାଣ ସଂଗ୍ରହ କରାଯାଇ ପାରିନଥିଲା। ନ୍ୟାସନାଲ ହେରାଲ୍ଡର ଅବଶିଷ୍ଟ ଅଫିସ୍ ବ୍ୟବହାର ପାଇଁ ଖୋଲା ଅଛି ବୋଲି ସୂତ୍ରରୁ ପ୍ରକାଶ।
ଅଧିକାରୀ କହିଛନ୍ତି ଯେ ଇଡି ତରଫରୁ ଯାଞ୍ଚ୍ ଅଧିକାରୀଙ୍କ ଦସ୍ତଖତ ଥିବା ଏକ ନୋଟିସ୍ ୟଙ୍ଗ ଇଣ୍ଡିଆନ ଅଫିସ ବାହାରେ ଲଗାଯାଇଛି। ନୋଟିସରେ ଲେଖାଯାଇଛି ଯେ ଏଜେନ୍ସିର ଅନୁମତି ବିନା ଏହି ଅଫିସ୍ ଖୋଲାଯାଇପାରିବ ନାହିଁ। ଅଧିକାରୀ କହିଛନ୍ତି ଯେ ଚଢ଼ାଉ ପାଇଁ ଇଡି ଟିମ୍ ୟଙ୍ଗ ଇଣ୍ଡିଆନ ଅଫିସର ମୁଖ୍ୟ ଅଧିକାରୀ / ପ୍ରଭାରୀଙ୍କୁ ପରିସର ଖୋଲା ରଖିବା ପାଇଁ ଏକ ଇ-ମେଲ୍ ପଠାଇଥିଲେ ମଧ୍ୟ ଏହାର ଉତ୍ତର ମିଳିନାହିଁ।
ଉଲ୍ଲେଖଯୋଗ୍ୟ, ନ୍ୟାସନାଲ ହେରାଲ୍ଡ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଜେରା କରିସାରିଛି । ମଙ୍ଗଳବାର ଇଡି ପକ୍ଷରୁ ନ୍ୟାସନାଲ ହେରାଲ୍ଡ ଅଫିସରେ ଚଢ଼ାଉ ହୋଇଥିଲା ।
Comments are closed.