ତ୍ରିରଙ୍ଗା ପାଇଁ ଦରମାରୁ କଟାଗଲା ଟଙ୍କା, ରେଳ କର୍ମଚାରୀଙ୍କ ଅସନ୍ତୋଷ

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାର ‘ଆଜାଦୀ କି ଅମୃତ ମହୋତ୍ସବ’ ପାଳନ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ନିଜ ନିଜ ଘରେ ଜାତୀୟ ପତାକା ଲଗାଇବାକୁ କହିଛନ୍ତି । ସବୁ ସରକାରୀ ଅଫିସ ଓ କର୍ମଚାରୀଙ୍କୁ ମଧ୍ୟ ଏପରି ଦେଶପ୍ରେମ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ‘ହର ଘର ତ୍ରିରଙ୍ଗା’ ଅଭିଯାନ ଅଧୀନରେ ରେଳ କର୍ମଚାରୀଙ୍କୁ ମଧ୍ୟ ସେମାନଙ୍କ ଘରେ ଲଗାଇବା ପାଇଁ ଜାତୀୟ ପତାକା ଦିଆଯାଉଛି । ହେଲେ ପତାକା ପାଇଁ ଖର୍ଚ୍ଚ ସେମାନଙ୍କ ଦରମାରୁ କଟାଯାଇଛି । ତ୍ରିରଙ୍ଗା ପାଇଁ ରେଳ କର୍ମଚାରୀଙ୍କୁ ଦରମାରୁ ୩୮ ଟଙ୍କା ଲେଖାଏଁ କାଟି ଦିଆଯାଇଛି। ଏନେଇ ରେଳ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସୂଚନା ଅନୁଯାୟୀ, ଏକ ଘରୋଇ ସଂସ୍ଥା ଦ୍ୱାରା ପ୍ରଦାନ କରାଯାଇଥିବା ଜାତୀୟ ପତାକା ରେଳବାଇ ନିଜ କର୍ମଚାରୀଙ୍କୁ ଦେବ । ପତାକାର ମୂଲ୍ୟ ୩୮ ଟଙ୍କା ରଖାଯାଇଛି। ରେଳ କର୍ମଚାରୀଙ୍କୁ ନଗଦ ଟଙ୍କା ଦେଇ ଏହି ତ୍ରିରଙ୍ଗା କିଣିବାକୁ ପଡିବ ନାହିଁ, କିନ୍ତୁ ସେମାନଙ୍କ ବେତନରୁ ଟଙ୍କା କଟାଯିବ |

ରେଳବାଇର ଏପରି ନିଷ୍ପତ୍ତିରେ ଉତ୍ତର କେନ୍ଦ୍ରୀୟ ରେଳ କର୍ମଚାରୀ ସଂଘ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛି । ସଂଘର ସଦସ୍ୟ ଚନ୍ଦନ ସିଂହ କହିଛନ୍ତି ଯେ ତ୍ରିରଙ୍ଗା ପାଇଁ କର୍ମଚାରୀଙ୍କ ଦରମାରୁ ଟଙ୍କା କାଟିବା ଠିକ୍ ନୁହେଁ ।

ସେପଟେ ରେଳବାଇ ସିପିଆରଓ ଶିବମ୍ ଶର୍ମା କହିଛନ୍ତି, ତ୍ରିରଙ୍ଗା ପାଇଁ କର୍ମଚାରୀଙ୍କ ଦରମାରୁ ୩୮ ଟଙ୍କା ଲେଖାଏଁ କାଟିବାକୁ ନିର୍ଦ୍ଦେଶ ଆସିଛି । ରେଳବାଇ ତରଫରୁ ଏହି ପତାକା କର୍ମଚାରୀଙ୍କୁ ସେମାନଙ୍କ ଘରେ ଲଗାଇବାକୁ ଦିଆଯିବ ।

Comments are closed.