ହୀରାକୁଦ ଜଳଭଣ୍ଡାରରୁ ଦୁଇ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ଗତକାଲି ସନ୍ଧ୍ୟାରେ ବୁଡି ନିଖୋଜ ହୋଇଥିବା ଦୁଇ ଏମସିଏଲ ଅଧିକାରୀଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ଓଡ୍ରାଫର ଦୁଇଜଣିଆ ଦଳ ବହୁ ଖୋଜାଖୋଜି ପରେ ଦୁଇ ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ମୃତ ଦୁଇ ଅଧିକାରୀ ହେଲେ ମହେଶ ଚିଟୁରୀ ଏବଂ ଅଭିଷେକ କୁମାର।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତକାଲି ଅପରାହ୍ନରେ ଏମ୍ଏଲ୍ ମୁଖ୍ୟାଳୟର ପ୍ରାୟ 5 ଜଣ ଅଧିକାରୀ ଗାଧୋଇବା ପାଇଁ ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ବନ୍ଧ ସଂଲଗ୍ନ ଝାଙ୍କରାଣୀ ମନ୍ଦିର ନିକଟକୁ ଯାଇଥିଲେ। ଜଳଭଣ୍ଡାରରେ ଗାଧୋଇବା ବେଳେ ସେମାନଙ୍କ ମଧ୍ୟରୁ 3 ଜଣ ପାଣି ଭିତରେ ବୁଡିଯାଇଥିଲେ। ତେବେ, ନିକଟରେ ଥିବା ଏକ ବୋଟ୍ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ମହେଶ ଓ ଅଭିଷେକଙ୍କ ପତ୍ତା ମିଳିନଥିଲା। ସେହିପରି ଉଦ୍ଧାର ହୋଇଥିବା ମ୍ୟାନେଜର ହେଲେ ଅଭିନେଶ ରଏ (30)।

ଖବର ପାଇ ତୁରନ୍ତ ବୁର୍ଲା ପୁଲିସ ଏବଂ ଅଗ୍ନିଶମ ବାହିନୀ ଉଦ୍ଧାର ପାଇଁ ଅପରେସନ୍ ଆରମ୍ଭ କରିଥିଲେ। ହେଲେ ରାତିର ଅନ୍ଧକାର ମଧ୍ୟରେ ଉଦ୍ଧାର ସର୍ଚ୍ଚ ଅପରେସନ୍ ସମ୍ଭବପର ନ ହେବାରୁ ବନ୍ଦ କରିବାକୁ ପଡିଥିଲା। ତେବେ ଗତକାଲି ବିଳମ୍ବିତ ରାତିରେ ଓଡ୍ରାଫର ଏକ ୧୮ ଜଣିଆ ଦଳ ପହଞ୍ଚି ଆଜି ଭୋରରୁ ଉଦ୍ଧାର କାମ ଆରମ୍ଭ କରିଥିଲେ। ଆଉ ଉଭୟଙ୍କ ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି।

Comments are closed.