ଆସୁଛି ଅଗଷ୍ଟ ୧୫: ତ୍ରିରଙ୍ଗା ତିଆରି କରୁଛନ୍ତି ମହିଳା

ଛତ୍ରପୁର: ଏବେ ସାରା ଦେଶରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ସମାରୋହ ପାଳନ କରାଯାଉଛି। ଏଥିପାଇଁ ସମ୍ପୂର୍ଣ୍ଣ ସରକାରୀ କଳ ନିଜ ନିଜ କ୍ଷେତ୍ରରେ କିଛି ନିଆରା କରିବାକୁ ଚେଷ୍ଟା ଚଳାଇଛନ୍ତି। ଅମଲାତନ୍ତ୍ର ହେଉ କି ବିଭିନ୍ନ ବିଭାଗ ଅଥବା ସାମାଜିକ ଜୀବନର ବିଭିନ୍ନ ସ୍ତରରେ ଏହି ସ୍ବତନ୍ତ୍ର ଅବସରକୁ ଭିନ୍ନ ଢଙ୍ଗରେ ପାଳନ କରିବାକୁ ପ୍ରୟାସ କରାଯାଉଛି। ଆମ ରାଜ୍ୟର ମିଶନ୍ ଶକ୍ତି ବିଭାଗ ରାଜ୍ୟର କୋଣ ଅନୁକୋଣରେ ମହିଳା ସଂଘ ସଦସ୍ୟାଙ୍କୁ ସାମିଲ କରି ତ୍ରିରଙ୍ଗା ଅଭିଯାନକୁ ତ୍ବରାନ୍ବିତ ତଥା ବ୍ୟାପକ କରିବାରେ ଲାଗିଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ଆସନ୍ତା ଅଗଷ୍ଟ ୧୩ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ସମସ୍ତଙ୍କ ଘରେ ଜାତୀୟ ପତାକା ତଥା ତ୍ରିରଙ୍ଗା ପତାକା ଉଡ଼ାଇବାକୁ ଆହ୍ବାନ ଦିଆଯାଇଛି। ତେବେ ଏଥିସହ ପ୍ଲାଷ୍ଟିକ୍ ତଥା ଥରେ ମାତ୍ର ବ୍ୟବହାର ଉପଯୋଗୀ ତ୍ରିରଙ୍ଗା ବଦଳରେ ଆମ ଦେଶର ସଂସ୍କୃତି ଓ ଜନଜୀବନକୁ ପ୍ରତିଫଳିତ କରୁଥିବାର ଜାତୀୟ ପତାକା ନିଜ ନିଜ ଘରେ ଉଡ଼ାଇବାକୁ ସମସ୍ତଙ୍କୁ ଆହ୍ବାନ ଦିଆଯାଉଛି। ସେଥିପାଇଁ ଆବଶ୍ୟକ ବହୁସଂଖ୍ୟକ ତ୍ରିରଙ୍ଗା ପତାକା। ଆଉ ଏବେ ସେସବୁ ତ୍ରିରଙ୍ଗା ପତାକାକୁ ବିପୁଳ ମାତ୍ରାରେ ପ୍ରସ୍ତୁତି କରିବାରେ ଲାଗିଛନ୍ତି ବିଭିନ୍ନ ସ୍ଥାନର ମହିଳା ସ୍ଵୟଂ ସହାୟିକା ସଂଘର ସଦସ୍ୟାଗଣ। ସେ ସାନଖେମୁଣ୍ଡି ହେଉ କି ପାରଳାଖେମୁଣ୍ଡି, ମହିଳା ସଂଘ ଦ୍ୱାରା ବିପୁଳ ମାତ୍ରାରେ ତ୍ରିରଙ୍ଗା ତିଆରି କରାଯାଉଛି। କରୋନା ମୁକାବିଲା ପାଇଁ ଯେପରି ପ୍ରଥମେ ପ୍ରଥମେ ବ୍ୟାପକ ସଂଖ୍ୟାରେ ମାସ୍କ ତିଆରି କରିବାରେ ମହିଳା ସଂଘମାନେ ଜୁଟି ଯାଇଥିଲେ, ଏବେ ପୁଣି ଉଣାଅଧିକେ ସମାନ ପରିସ୍ଥିତି ଦେଖିବାକୁ ମିଳୁଛି।

ଗଞ୍ଜାମ ଜିଲ୍ଲା ପ୍ରଶାସନ ସହଯୋଗରେ ୫ ହଜାର ତ୍ରିରଙ୍ଗା ପ୍ରସ୍ତୁତିରେ ଜୁଟି ଯାଇଛନ୍ତି ସାନଖେମୁଣ୍ଡି ବ୍ଲକ୍ ପୋଡ଼ାମାରି ପଞ୍ଚାୟତର ଜୟ ବଜରଙ୍ଗୀ ମହିଳା ସଂଘର ୩୦ରୁ ଅଧିକ ସଦସ୍ୟା। ମିଶନ୍ ଶକ୍ତି ଅନ୍ତର୍ଭୁକ୍ତ ଗ୍ରାମାଞ୍ଚଳର ଏସ୍ଏଚ୍‌ଜି ସଦସ୍ୟାମାନେ ଖଦଡ଼ ତଥା କପଡ଼ାରେ ଦୈନିକ ଶହ ଶହ ଜାତୀୟ ପତାକା ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଏ ନେଇ ବେଶ୍ ଆନନ୍ଦିତ ଟେଲରିଂ ତାଲିମପ୍ରାପ୍ତ ଏହି ମହିଳାଗଣ। ଏସବୁ ତ୍ରିରଙ୍ଗା ପ୍ରସ୍ତୁତ ଓ ବିକ୍ରି କରି ଯାହା ଅର୍ଥ ଉପାର୍ଜନ ହେବ ତା ଠାରୁ ଅଧିକ ଖୁସି ଲାଗୁଛି ଦେଶ ପାଇଁ କିଛି ମହତ୍ କାମ କରିପାରୁଛୁ ବୋଲି କହିଛନ୍ତି ଏଭଳି ଅନେକ ସଭ୍ୟା। ଏଥିପାଇଁ ରାଜ୍ୟ ସରକାର ତଥା ମହିଳା ସଶକ୍ତୀକରଣ ବିଭାଗ ଓ ମିଶନ୍ ଶକ୍ତି ବିଭାଗକୁ ଧନ୍ୟବାଦ ଦେଇଛନ୍ତି ମହିଳା ସଂଘ କର୍ମକର୍ତ୍ତା। ଅଗଷ୍ଟ ୧୫ ପୂର୍ବରୁ କାମ ସାରି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିବା ଲକ୍ଷ୍ୟରେ ଦିନରାତି ଏକ କରି ଜାତୀୟ ପତାକା ସିଲେଇ କରୁଛନ୍ତି ଏସ୍ଏଚ୍‌ଜି କର୍ମକର୍ତ୍ତା। ଏଥିପାଇଁ ଗାଁର କଲ୍ୟାଣ ମଣ୍ଡପ ଏବେ ବେଶ୍ ଚଳଚଞ୍ଚଳ।

କିଏ ତ୍ରିରଙ୍ଗା ପତାକା ମାପରେ କପଡ଼ା କାଟୁଛି ତ ଆଉ କିଏ ସିଲେଇ କରୁଛି। ପୂର୍ବରୁ ଅଙ୍ଗନବାଡ଼ି ଏବଂ ସ୍କୁଲ ପିଲାଙ୍କ ୟୁନିଫର୍ମ ସିଲେଇ କରୁଥିବା ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ରାୟଗଡ଼ ଏବଂ ଜିରାଙ୍ଗ ଠାରେ ଥିବା ମିଶନ୍ ଶକ୍ତିର ମହିଳା ସଂଘ ସଦସ୍ୟାମାନେ ଏବେ ଦେଶବାସୀଙ୍କ ପାଇଁ ତ୍ରିରଙ୍ଗା ପତାକା ସିଲେଇ କରୁଛନ୍ତି। ‘ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନ୍ତର୍ଗତ ଗଜପତି ଜିଲ୍ଲାରେ ୫୦ ହଜାର ତ୍ରିରଙ୍ଗା ଲୋକଙ୍କୁ ବାଣ୍ଟିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଦ୍ବାରା ମିଶନ୍ ଶକ୍ତି ମହିଳାଙ୍କ ସହଯୋଗରେ ଦେଶର ଜାତୀୟ ପତାକା ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ଉଭୟ ଗଞ୍ଜାମ ଓ ଗଜପତି ଜିଲ୍ଲା ପ୍ରଶାସନ ଏ ନେଇ ଏସ୍ଏଚ୍‌ଜିଙ୍କୁ ଉତ୍ସାହିତ କରୁଛନ୍ତି। ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ମିଶନ୍ ଶକ୍ତି ଅନ୍ତର୍ଗତ ମହିଳା ଏସ୍ଏଚ୍‌ଜିମାନଙ୍କ ଏଭଳି ପ୍ରୟାସ ବାସ୍ତବରେ ବେଶ୍ ପ୍ରଶଂସନୀୟ।

Comments are closed.