ବିହାର ସଙ୍କଟ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର

ପାଟଣା: ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ସେ ଆରଜେଡି ତଥା ବିରୋଧୀ ଦଳ ନେତା ତେଜସ୍ଵୀ ଯାଦବଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଇଛନ୍ତି । ମଙ୍ଗଳବାର ସକାଳେ ଜେଡିୟୁ ବିଧାୟକ ଏବଂ ସାଂସଦଙ୍କ ବୈଠକ ପରେ ନୀତୀଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗିବାକୁ ଘୋଷଣା କରିଥିଲେ। ସେ ଆରଜେଡି-କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ସହ ପୁଣି ସରକାର ଗଠନ କରିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ନୀତୀଶ ମଙ୍ଗଳବାର ଅପରାହ୍ନ ପ୍ରାୟ ୩.୪୬ ସମୟରେ ରାଜ୍ୟପାଳ ଫାଗୁ ଚୌହାନଙ୍କୁ ଭେଟିଥିଲେ। ସେ ମୁଖ୍ୟମନ୍ତ୍ରୀଙ୍କ ବାସଭବନଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ରାଜ ଭବନକୁ ଯାଇ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଏହାପରେ ସେ ଆରଜେଡି ନେତା ତେଜସ୍ଵୀ ଯାଦବଙ୍କ ଘରକୁ ଯାଇଥିଲେ ।

ଜେଡିୟୁ ବିଧାନସଭା ପାର୍ଟି ବୈଠକରେ ବିଜେପି ତାଙ୍କୁ ଅପମାନିତ କରିଥିବା ନୀତୀଶ ଅଭିଯୋଗ କରିଥିଲେ। ବିଜେପି ତାଙ୍କ ପାର୍ଟିକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲା ବୋଲି ନୀତୀଶ ଆରୋପ ଲଗାଇଥିଲେ । ବିଜେପି ସହ ସମ୍ପର୍କ ଚ୍ଛିନ୍ନ କରିବା ପରେ ନୀତୀଶ ଲାଲୁ ପ୍ରସାଦ ଯାଦବଙ୍କ ଦଳ ଆରଜେଡି ଓ କଂଗ୍ରେସ ସହ ସରକାର ଗଢ଼ିବା ପାଇଁ ଦାବି ଉପସ୍ଥାପନ କରିବେ ବୋଲି ମନେ କରାଯାଉଛି ।

ଉଲ୍ଲେଖଯୋଗ୍ୟ, ୨୦୧୭ ପର୍ଯ୍ୟନ୍ତ ଆରଜେଡିର ତେଜସ୍ୱୀ ଯାଦବ ଏବଂ ତାଙ୍କ ଭାଇ ତେଜ ପ୍ରତାପ ଯାଦବ ନୀତୀଶ କୁମାରଙ୍କ ସରକାରରେ ମନ୍ତ୍ରୀ ଥିଲେ। ଲାଲୁ ଯାଦବଙ୍କ ଦଳ ଆରଜେଡି ଏବଂ କଂଗ୍ରେସ ସହାୟତାରେ ଜେଡିୟୁ ସରକାର ଗଠନ କରିଥିଲା। ବିଜେପି ସହ ସମ୍ପର୍କ ତୁଟାଇ ନୀତୀଶ ଯାଦବ ଏହି ମେଣ୍ଟ ଗଠନ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତେଜସ୍ୱୀ ଏବଂ ତାଙ୍କ ଭାଇ ତେଜ ପ୍ରତାପଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ କରି ସେ ମିଳିତ ମେଣ୍ଟରୁ ଓହରି ପୁଣି ବିଜେପି ସହ ହାତ ମିଳାଇଥିଲେ ।

Comments are closed.