ପ୍ରତି ଶୁକ୍ରବାର ହସ୍ତତନ୍ତ ଲୁଗା ପିନ୍ଧିବାକୁ ବିଭାଗୀୟ କର୍ମଚାରୀଙ୍କୁ ଅରବିନ୍ଦଙ୍କ ଅନୁରୋଧ

ଭୁବନେଶ୍ବର: ବେଶ୍ କିଛି ବର୍ଷ ପରେ ଦିଲ୍ଲୀ ଡେପୁଟେସନରୁ ଫେରି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଦାୟିତ୍ବ ନେଇଛନ୍ତି ଓଡ଼ିଆ ଆଇଏଏସ ଡ. ଅରବିନ୍ଦ ପାଢୀ। ଆଉ ଦାୟିତ୍ବ ଗ୍ରହଣ ଦିନ ହିଁ ଏକ ନିଆରା ନିର୍ଦ୍ଦେଶନାମା ଜାରି କରି ଚର୍ଚ୍ଚାକୁ ଆସିଛନ୍ତି। ପ୍ରତି ଶୁକ୍ରବାର ହସ୍ତତନ୍ତ ଲୁଗା ପିନ୍ଧିବାକୁ ତାଙ୍କ ବିଭାଗ ର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ସେ ପତ୍ର ଯୋଗେ ଅନୁରୋଧ କରିଛନ୍ତି। ଓଡିଶାର ଐତିହ୍ୟ ସଂପନ୍ନ ହସ୍ତତନ୍ତର ପ୍ରୋତ୍ସାହନ ତଥା ଅଗଣିତ ବୁଣାକାର ମାନଙ୍କ ସମ୍ମାନ ଉଦ୍ଦେଶ୍ଯରେ ଏହି ପଦକ୍ଷେପ ଉଦ୍ଧିଷ୍ଟ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହାକୁ ବିଭାଗ ଅଧୀନରେ ଥିବା ସମସ୍ତ ନିଗମର ନିର୍ଦ୍ଦେଶକ ଓ କର୍ମଚାରୀଙ୍କ ପାଇଁ ବି ଲାଗୁ କରିବାକୁ ସେ ଅନୁରୋଧ କରିଛନ୍ତି। ଡକ୍ଟର ପାଢୀଙ୍କ ଏହି ପଦକ୍ଷେପକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

ସୂଚନାଯୋଗ୍ଯ ଯେ, ଡକ୍ଟର ପାଢୀ ସମ୍ବଲପୁରର ବାସିନ୍ଦା ହୋଇଥିବା ବେଳେ ସବୁ ବେଳେ ତାଙ୍କୁ ସମ୍ବଲପୁରୀ ପୋଷାକରେ ଦେଖିବାକୁ ମିଳିଥାଏ। ଏପରିକି ସମ୍ବଲପୁରୀ କପଡାରେ ତିଆରି ଟାଏ ପିନ୍ଧିଥିବା ବି ଦେଖିବାକୁ ମିଳିଥାଏ। ସବୁ ବେଳେ ସମ୍ବଲପୁରୀ ବସ୍ତ୍ରର ପ୍ରଚାର ପ୍ରସାର କରି ଆସିଥିବା ଡକ୍ଟର ପାଢୀଙ୍କ ଏହି ପଦକ୍ଷେପକୁ ସବୁ ବୁଣାକାର ମହଲରେ ସ୍ବାଗତ କରାଯାଇଛି।

Comments are closed.