ନିରାପଦ ମାତୃତ୍ଵ ପାଇଁ ଗଞ୍ଜାମରେ ‘ନିରୀକ୍ଷଣ’: ପ୍ରସୂତିଙ୍କୁ ମାଗଣା ଅଲଟ୍ରାସାଉଣ୍ଡ ସେବା

ବ୍ରହ୍ମପୁର: ପ୍ରସବ ବେଳେ ବା ଗର୍ଭବତୀ ଥିବା ସମୟରେ ଯେପରି ମହିଳାମାନଙ୍କୁ କୈାଣସି ଗୁରୁତର ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବାକୁ ନପଡ଼େ, ସେମାନଙ୍କ ମାତୃତ୍ଵ ଯେପରି ନିରାପଦ ରହେ, ପୂର୍ବରୁ ଉଚିତ୍ ଯତ୍ନ ସହ ଆବଶ୍ୟକ ବିଭିନ୍ନ ସ୍ବାସ୍ଥ୍ୟଗତ ପରୀକ୍ଷାନିରୀକ୍ଷା ଫଳରେ ଜଟିଳତା ବିହୀନ ଛୁଆ ଜନ୍ମଗ୍ରହଣ କରେ ସେଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଏକ ନୂଆ ଯୋଜନା ‘ନିରୀକ୍ଷଣ’। ଜିଲ୍ଲା ଚିକିତ୍ସା ବିଭାଗ ଦ୍ବାରା ମାଗଣା ଅଲଟ୍ରାସାଉଣ୍ଡ ପରୀକ୍ଷା ସ୍କିମ୍ ‘ନିରୀକ୍ଷଣ’କୁ ବ୍ରହ୍ମପୁର ସିଟି ହସପିଟାଲ୍ ଠାରେ ଉଦ୍‌ଘାଟନ କରିଥିଲେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ଡାକ୍ତରଙ୍କ ପରାମର୍ଶକ୍ରମେ ଗର୍ଭବତୀଙ୍କୁ ଜିଲ୍ଲାର ଯେକୌଣସି ସରକାରୀ ଓ ତାଲିକାଭୁକ୍ତ ବେସରକାରୀ ଅଲଟ୍ରାସାଉଣ୍ଡ ୟୁନିଟ୍‌ରେ ଏହି ସୁବିଧା ୩ ଥର ପାଇଁ ମାଗଣାରେ ମିଳିବ। ଗର୍ଭଧାରଣର ୧୨ ସପ୍ତାହରେ ପ୍ରଥମ, ୧୬-୩୪ ସପ୍ତାହ ମଧ୍ୟରେ ଦ୍ବିତୀୟ ଓ ୩୬ ସପ୍ତାହ ଠାରୁ ପ୍ରସବ ମଧ୍ୟରେ ତୃତୀୟ ଥର ଅଲଟ୍ରାସାଉଣ୍ଡ ପରୀକ୍ଷା କରିହେବ। ଏହା ପୂର୍ବରୁ ଗର୍ଭଧାରଣ ସମ୍ପର୍କରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏଏନ୍ଏମ୍ ଦ୍ଵାରା ୪ ଥର ଆଣ୍ଟି ନାଟାଲ ଚେକ୍‌ଅପ୍ (ଏଏନ୍‌ସି) କରାଯିବା ଆବଶ୍ୟକ। ଏହି ଯାଞ୍ଚ ପରେ ମହିଳାଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ (ପିଏମ୍ଏସ୍ଏମ୍ଏ) କ୍ଲିନିକ୍‌କୁ ସ୍ଥାନାନ୍ତର କରାଯିବା ବ୍ୟବସ୍ଥା ରହିଛି। ପିଏସ୍ଏସ୍ଏମ୍ଏ କ୍ଲିନିକ୍ କିମ୍ବା ନିକଟସ୍ଥ ସରକାରୀ ହସପିଟାଲ୍ ଅଲଟ୍ରାସାଉଣ୍ଡ ପରୀକ୍ଷା ସକାଶେ ରେଫର୍ କରିପାରିବ। ରେଫର୍ କରାଯିବାର ୨୦ ଦିନ ଭିତରେ ଅଲଟ୍ରାସାଉଣ୍ଡ ପରୀକ୍ଷା କରିହେବ। ସରକାରୀ ହସପିଟାଲ ହେଉ କିମ୍ବା ପଞ୍ଜୀକୃତ ଘରୋଇ ଅଲଟ୍ରାସାଉଣ୍ଡ କ୍ଲିନିକ୍‌ରେ ଅଲଟ୍ରାସାଉଣ୍ଡ ଯାଞ୍ଚ ପାଇଁ ଗର୍ଭବତୀ ମହିଳା କିମ୍ବା ତାଙ୍କ ପରିବାରକୁ କୈାଣସି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ।

ଅଲଟ୍ରାସାଉଣ୍ଡ ପରୀକ୍ଷା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କ ପିଛା ଘରୋଇ ପରୀକ୍ଷା କେନ୍ଦ୍ରକୁ ୧୫୦ ଟଙ୍କା ପ୍ରଦାନ କରିବ। ବିଲ୍‌ ଗ୍ରହଣ କରିବାର ୩୦ ଦିନ ଭିତରେ ଉକ୍ତ କେନ୍ଦ୍ରକୁ ଅର୍ଥ ପ୍ରଦାନ କରାଯିବ। ଏହାଦ୍ବାରା ଘରୋଇ ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷ ମଧ୍ୟ ପ୍ରସୂତୀଙ୍କୁ ଏହି ସୁବିଧା ସଠିକ୍ ଢଙ୍ଗରେ ଯୋଗାଇ ଦେବାକୁ ଉତ୍ସାହିତ ହେବେ ବୋଲି ପ୍ରକାଶ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧ୍ୟାକାରୀ ଡା. ଉମାଶଙ୍କର ମିଶ୍ର।

ଉଲ୍ଲେଖଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଗର୍ଭବତୀଙ୍କ ସୁରକ୍ଷିତ ପ୍ରସବ ତଥା ନିରାପଦ ମାତୃତ୍ବ ତଥା ମାତୃ ଓ ଶିଶୁ ମୃତ୍ୟୁ ହାର ହ୍ରାସ ପାଇଁ ବିଭିନ୍ନ ପଦକ୍ଷେପ ନେଇ ପ୍ରଶଂସିତ ହୋଇ ଆସିଛି। ପ୍ରବଳ ବର୍ଷା, ସମ୍ଭାବ୍ୟ ବାତ୍ୟା କିମ୍ବା ବନ୍ୟା ଆଶଙ୍କା କ୍ଷେତ୍ରରେ ଆଗୁଆ ଗର୍ଭବତୀଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇ ସେମାନଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା କ୍ଷେତ୍ରରେ ଆଗୁଆ ରହିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଏଥିସହ ଗର୍ଭବତୀ ମହିଳାଙ୍କୁ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ଯୋଗାଣ, ସେମାନଙ୍କ ବିଭିନ୍ନ ସ୍ବାସ୍ଥ୍ୟଗତ ଯାଞ୍ଚ ଓ ଯତ୍ନ ନେବା ଏବଂ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀମାନଙ୍କୁ ଏ କ୍ଷେତ୍ରରେ ତତ୍ପରତା ସହ ନିୟୋଜିତ କରାଇବାରେ ଉଲ୍ଲେଖନୀୟ ସଫଳତା ହାସଲ କରି ଆସିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ। ଆଉ ବର୍ତ୍ତମାନ ନିରୀକ୍ଷଣ ଯୋଜନା ଆରମ୍ଭ କରି ଏ ଦିଗରେ ଆଉ ପାଦେ ଆଗକୁ ବଢ଼ିବା ବେଶ୍ ପ୍ରଶଂସନୀୟ।

Comments are closed.