ଗୁଣାତ୍ମକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ସର୍ବଭାରତୀୟ ସୁବିଧା ସୁନିଶ୍ଚିତ କରିପାରିଛି

ଭୁବନେଶ୍ୱର: ବିଗତ କିଛି ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ଆଖିଦୃଶିଆ ଉନ୍ନତି କରିପାରିଛି । ନିରନ୍ତର ବିକାଶ ଲକ୍ଷ୍ୟ ଅନୁଯାୟୀ ଓଡ଼ିଶା ସରକାର ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଓଡ଼ିଶାରେ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ମୂଳଦୁଆ ହେଉଛି ‘ ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା ’ ଏବଂ ସମସ୍ତଙ୍କ ପାଇଁ ସ୍ଵାସ୍ଥ୍ୟସେବା , ‘ ପ୍ରତ୍ୟେକ ଜୀବନ ମୂଲ୍ୟବାନ ’ ନୀତିଗୁଡ଼ିକ ଉପରେ ଅଧାର କରି ୪୬ ମିଲିଅନ୍‌ରୁ ଅଧିକ ଜନସଂଖ୍ୟାବିଶିଷ୍ଟ ଓଡ଼ିଶା ସୁଲଭ ତଥା ଗୁଣାତ୍ମକ ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ସର୍ବଭାରତୀୟ ସୁବିଧା ସୁନିଶ୍ଚିତ କରିପାରିଛି ।

ଏହି ଦିଗରେ କରାଯାଇଥିବା ପ୍ରୟାସଗୁଡ଼ିକ ନିତି ଆୟୋଗ ଇଣ୍ଡିଆ ଇଣ୍ଡେକ୍ସ ୨୦୨୦ – ୨୧ରେ ଓଡ଼ିଶାର ସ୍ଥିତି ‘ ପ୍ରଦର୍ଶନକାରୀ’ରୁ ‘ ଫ୍ରଣ୍ଟ ରନର୍’କୁ ଉନ୍ନୀତ ହୋଇଛି । ଶିଶୁ ମୃତ୍ୟୁହାରରେ ହ୍ରାସ , ଡାକ୍ତରଖାନାରେ ପ୍ରସବ , ଟିକାକରଣ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି । ଏବଂ ଏହା ସମସ୍ତ ପ୍ରମୁଖ ରାଜ୍ୟ ମଧ୍ୟରେ ସର୍ବୋତ୍ତମ ।

ରାଜ୍ୟରେ ପ୍ରାଥମିକ ସ୍ଵାସ୍ଥ୍ୟସେବାକୁ ସୁବ୍ୟବସ୍ଥିତ ଓ ବ୍ୟାପକ କରାଯାଇଛି । କେନ୍ଦ୍ର ସରକାରଙ୍କ ଗୁଣବତ୍ତା ମାନଗୁଡ଼ିକୁ ଗୁରୁତ୍ଵ ଦିଆଯାଉଛି । ଜାତୀୟ ରୋଗ ନିୟନ୍ତ୍ରଣ ପ୍ରୋଗ୍ରାମ ଅନୁଯାୟୀ , କୁଷ୍ଠରୋଗ , ଯକ୍ଷ୍ମା ଏବଂ ମ୍ୟାଲେରିଆ ବିଲୋପ ଦିଗରେ ଅଗ୍ରଗତିକୁ ତ୍ୱରାନ୍ବିତ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ୮ଟି ଜିଲ୍ଲାରେ ମ୍ୟାଲେରିଆ ବିଲୋପ , ୧୫ଟି ଜିଲ୍ଲାରେ ଫାଇଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ କାର୍ଯ୍ୟ ଚାଲୁରହିଛି ।

ସେହିପରି ଭାଇରାଲ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ୧୩ ଲକ୍ଷ ଗର୍ଭବତୀ ମହିଳା , ୮୭୦୦ ନବଜାତ ଶିଶୁଙ୍କୁ ଚିକିତ୍ସା କରାଯାଇଛି । ସେହିପରି ୧ ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ବ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି । ମାନବସମ୍ବଳ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ଟେଲି ମେଡ଼ିସିନ୍ ସେବାର ପ୍ରସାର ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିରେ ଜନସାଧାରଣ ବିଶେଷଜ୍ଞ ଚିକିତ୍ସାସେବା ସୁବିଧାରେ ପାଇ ପାରୁଛନ୍ତି ।

ଭବିଷ୍ୟତରେ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତିକୁ ପରିଚାଳନା କରିବା ପାଇଁ ଜନସ୍ୱାସ୍ଥ୍ୟ ଲାବୋରେଟୋରୀ ଏବଂ ଜନସ୍ଵାସ୍ଥ୍ୟ ୟୁନିଟ୍ ନେଟ୍ଓ୍ବାର୍କ ପ୍ରତିଷ୍ଠା ପାଇଁ ଆନ୍ତରିକ ପଦକ୍ଷେପ ନିଆଯାଉଛି । ଏଥି ସହ ଜିଲ୍ଲାରେ ଗୁରୁତ୍ଵପୂର୍ଣ୍ଣ ସ୍ଵାସ୍ଥ୍ୟସେବା ବ୍ଲକ୍ ପ୍ରତିଷ୍ଠା , ନିରାକରଣ ସେବାକୁ ମଜବୁତ୍ କରିବା , ସବ୍‌ସେଣ୍ଟର ସ୍ତରୀୟ ଟେଲି ମେଡିସିନ୍ ସେବାକୁ ବିସ୍ତାର କରିବା , ସମସ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ହାଇବ୍ରିଡ୍ ଆଇସିୟୁ ଓ ଆଇସିୟୁ ପ୍ରତିଷ୍ଠା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।

Comments are closed.