କନ୍ଧମାଳରେ ବର୍ଷାର ପ୍ରକୋପ, ଯୋଗାଯୋଗ ବିଚ୍ଛିନ୍ନ

ଫୁଲବାଣୀ: ଲଘୁଚାପ ପ୍ରଭାବରେ ଲଗାଣ ବର୍ଷାର ପ୍ରକୋପ କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି। ଲଗାଣ ବର୍ଷା ହେତୁ ଜିଲ୍ଲାରେ ସାଧାରଣ ଜନଜୀବନ ବେଶ୍ ପ୍ରଭାବିତ ହୋଇଥିବା ବେଳେ ବିଶେଷ କରି ଯୋଗାଯୋଗ ବ୍ୟବସ୍ଥାକୁ କ୍ଷତି ପହଞ୍ଚିଛି। ପାଣିପାଗ ବିଭାଗ ଆକଳନ ଅନୁସାରେ ଗତ କିଛି ଦିନ ଧରି କନ୍ଧମାଳରେ ଲଘୁଚାପଜନିତ ବର୍ଷା ଲାଗି ରହିବା ଫଳରେ ଜିଲ୍ଲାରେ ସଡ଼କ ଯାତାୟାତ ଅଧିକ ପ୍ରଭାବିତ ହୋଇଛି। କେଉଁଠି ପୋଲ ଭାଙ୍ଗିଯାଇଛି ତ କେଉଁଠି ରାସ୍ତାରେ ଅବରୋଧ ସୃଷ୍ଟି ହୋଇଛି। ତଳିଆ ଅଞ୍ଚଳ ପାଣିରେ ବୁଡ଼ି ଯାଇଥିବା ବେଳେ ବିଭିନ୍ନ ନଦୀ ନାଳର ଜଳସ୍ତର ଲଗାତାର ବୃଦ୍ଧି ପାଇ ଚାଲିଛି। ଏକରକମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଲାଣି। ଜିଲ୍ଲାର ତଳିଆ ଓ ଖାଲୁଆ ଅଞ୍ଚଳ ଜଳାର୍ଣ୍ଣବ ହେବାରେ ଲାଗିଛି। ବର୍ଷା ଜଳ ଓ ନଦୀ ନାଳରେ ବଢ଼ି ପାଣି ଆସି ଜିଲ୍ଲାର ଅନେକ ଅଞ୍ଚଳ ଏକରକମ ଜଳଘେରରେ ରହିଛି। ଏପରିକି ଲୋକଙ୍କ ଘରେ ବର୍ଷା ପାଣି ପଶି ଲୋକଙ୍କ ଅବସ୍ଥାକୁ ବିପର୍ଯ୍ୟସ୍ତ କରି ପକାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରୁ କଚ୍ଚା ଘର ସମ୍ପୂର୍ଣ୍ଣ ବା ଆଂଶିକ ଭାଙ୍ଗି ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି।

ଚକାପାଦ ବ୍ଲକ୍ ବ୍ୟାଙ୍କ୍ ସାହିବାସିନ୍ଦା ଜଳବନ୍ଦୀ ହୋଇ ପଡ଼ିଛନ୍ତି। ରାଇପଦା- ଜୁଇଖୋଲ ଗ୍ରାମକୁ ସଂଯୋଗ କରୁଥିବା ବୃତଙ୍ଗ ନଦୀରେ ବଢ଼ି ପାଣି କାଠ ପୋଲକୁ ଭସାଇ ନେଇଛି। ବାଘ ନଦୀରେ ଥିବା କାଠ ପୋଲ ଭାସିଯାଇଥିବା ବେଳେ ଫିରିଙ୍ଗିଆ ବ୍ଲକ୍ ଡିଣ୍ଡିରାଗାଁ ପଞ୍ଚାୟତ ଗୋଟେଣୀ ନାଳ ଉପରେ ଥିବା ପୋଲ ମଧ୍ୟ ଭାସିଯାଇଛି। ଫଳରେ ବୃତଙ୍ଗ ନଦୀ ବନ୍ୟାପାଣି ଯୋଗୁଁ ଜୁଇଖୋଲ ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଛି। ସେହିପରି ଗୋଟେଣୀ ନାଳ ବ୍ରିଜ୍ ଉପରେ ନିର୍ଭର କରୁଥିବା ଟେଲାପାଲି ଓ ଶିକୁଳିପଦର ଗାଁର ପ୍ରାୟ ୫୦ ପରିବାର ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି। ବାଘ ନଦୀର ଉଛୁଳା ପାଣି ଯୋଗୁଁ ପାଙ୍ଗାଉପର ସାହି ପଞ୍ଚାୟତର ୫ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇରହିଛି। ସମାନ ଅବସ୍ଥା ଭୋଗୁଛନ୍ତି କ୍ରାଣ୍ଡିବାଲି ପଞ୍ଚାୟତ ଡଙ୍ଗମେଣ୍ଡି ଗ୍ରାମର ପ୍ରାୟ ୩୦ରୁ ଅଧିକ ପରିବାର। ପ୍ରବଳ ବର୍ଷାରେ କ୍ରାଣ୍ଡିବାଲି ପଞ୍ଚାୟତ କାଙ୍ଗାପଡା ଗ୍ରାମର ଏକ ଘର ଭୁଶୁଡ଼ି ପଡ଼ିଛି। ଟିକାବାଲି ବ୍ଲକ୍ କଟିମାହାର ସଲପାଗାଁରେ ମଧ୍ୟ ଘର ଧସିଯାଇ ଅନେକ ପରିବାରକୁ ବାସହୀନ କରି ଦେଇଛି। ଲୁଇସିଂ ପଞ୍ଚାୟତ ଡାଙ୍ଗେଣାମା ଗ୍ରାମ ମଧ୍ୟ ଅନ୍ୟ ଅଞ୍ଚଳରୁ ବିଚ୍ଛିନ୍ନ ହୋଇଯାଇଛି।

ସେପଟେ ଜିଲ୍ଲା ସଦର ମହକୁମା ଫୁଲବାଣୀ ସହର ବାସିନ୍ଦାଙ୍କ ଜୀବନଯାତ୍ରା ମଧ୍ୟ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷା କାରଣରୁ ସହର ଚାରିପଟେ ଥିବା ବିଭିନ୍ନ ରାସ୍ତାରେ ମାଟି ଅତଡ଼ା ଧସି, ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତାରେ ଯାତାୟତ ଠପ୍ ହୋଇ ଯାଇଛି। ଫୁଲବାଣୀ- ବ୍ରହ୍ମପୁର ରାସ୍ତାର କଳିଙ୍ଗା ଘଟି ହେଉ ବା ଭୁବନେଶ୍ୱର ରାସ୍ତାର ଗାଡ଼ିଆପଡ଼ା ଘାଟି ଅଥବା ଫୁଲବାଣୀ- ବୌଦ୍ଧ ରାସ୍ତାର ରାଣୀପଥର ଘାଟି ସମେତ କୁଡୁକି ଘାଟି, ତୁମୁଡ଼ିବନ୍ଧ, ବେଲଘର ଓ ସାରଙ୍ଗଡ଼ ଘାଟିରେ ମାଟି ଅତଡ଼ା ଧସିବା ସହ ଗଛ ଉପୁଡ଼ି ପଡ଼ିଛି। ଦୁଇ ତିନି ଦିନ ହେବ ଲଗାଣ ବର୍ଷା ଫଳରେ ଜିଲ୍ଲାର ଅନେକ ସ୍ଥାନରେ ମାଟି, ଗଛ ଓ ପଥର ପଡ଼ି ଯାଆସ ପଥରେ ଅବରୋଧ ସୃଷ୍ଟି ହୋଇଛି।

ଫିରିଙ୍ଗିଆ ବ୍ଲକ୍ ମାସିରପଡ଼ା- ନୂଆପଦର ରାସ୍ତାରେ ଗଛ ପଡ଼ି ଘଣ୍ଟା ଘଣ୍ଟା ଧରି ଯାଆସ ଦୀର୍ଘ ସମୟ ଧରି ବନ୍ଦ ହୋଇଯାଇଥିଲା। ଅଗ୍ନିଶମ ବିଭାଗ ଗଛ କାଟି ରାସ୍ତା ସଫା କରିଥିଲା। ତୁହାକୁ ତୁହା ବର୍ଷା ଫଳରେ ଚାରିଆଡ଼େ ପାଣି ହିଁ ପାଣି ଦେଖିବାକୁ ମିଳିଛି। ଚାଷ ଜମିରେ ପାଣି ଜମି ରହିଥିବାରୁ ଫସଲ କ୍ଷତିଗ୍ରସ୍ତ ହୋଇ ଚାଷୀଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ସେପଟେ ବର୍ଷା ପାଣି ସୁଅ କାରଣରୁ କୋଟଗଡ଼ ବ୍ଲକ୍ ସିଦିଗୁଡ଼ା ଛକରୁ ସୁବର୍ଣ୍ଣଗିରିକୁ ସଡ଼କ ପଥ ବିଚ୍ଛିନ୍ନ ହୋଇଯାଇଛି। ସୁବର୍ଣ୍ଣଗିରି ପଞ୍ଚାୟତର କୁଟିଗୁଡ଼ାରେ ନିର୍ମାଣାଧୀନ ପୋଲର ସଂଯୋଗ ରାସ୍ତା ଧୋଇ ଯାଇଥିବାରୁ ଉଭୟ ଅଞ୍ଚଳକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଛି।

Comments are closed.