ବିଲକିସ୍ ବାନୋ ଗଣବଳାତ୍କାର ମାମଲା: ସମସ୍ତ ୧୧ ଦୋଷୀଙ୍କୁ ମୁକ୍ତ କଲେ ଗୁଜରାଟ ସରକାର

ଅହମ୍ମଦାବାଦ: ବହୁ ଚର୍ଚ୍ଚିତ ବିଲକିସ୍ ବାନୋ ଗଣ ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ସମସ୍ତ ୧୧ ଜଣ ଦୋଷୀଙ୍କୁ ମୁକ୍ତ କରାଯାଇଛି। ଗୁଜୁରାଟ ସରକାରଙ୍କ କ୍ଷମା ଯୋଜନା ଅନୁଯାୟୀ ଏହି ମାମଲାର ସବୁ ଦୋଷୀଙ୍କୁ ଜେଲରୁ ମୁକ୍ତ କରାଯାଇଛି। ୨୦୦୨ ବିଲକିସ୍ ବାନୋ ଗଣବଳାତ୍କାର ମାମଲାରେ ଏହି ୧୧ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା |

ଗୋଧ୍ରା କାଣ୍ଡ ପରେ ପରେ ଗୁଜରାଟରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ସମୟରେ ମାର୍ଚ୍ଚ ୨୦୦୨ରେ ଗର୍ଭବତୀ ବିଲକିସ୍ ବାନୋଙ୍କୁ ଗଣବଳାତ୍କାର କରାଯାଇଥିଲା। ଏଥିସହ ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ହତ୍ୟା ମଧ୍ୟ କରାଯାଇଥିଲା ।

୨୧ ଜାନୁୟାରୀ ୨୦୦୮ ରେ ମୁମ୍ବାଇର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ବିଲକିସ୍ ବାନୋ ବଳାତ୍କାର ମାମଲାରେ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ସେମାନେ ବିଲକିସ୍ ବାନୋଙ୍କୁ ବଳାତ୍କାର କରିବା ଏବଂ ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପରେ ବମ୍ବେ ହାଇକୋର୍ଟ ମଧ୍ୟ ସ୍ୱତନ୍ତ୍ର ସିବିଆଇ କୋର୍ଟର ନିଷ୍ପତ୍ତିକୁ କାଏମ ରଖିଥିଲେ ।

ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେବା ପରେ ଏହି ସମସ୍ତ ଦୋଷୀ ୧୫ ବର୍ଷ ଜେଲ୍ ସଜା କାଟିଥିଲେ। ଏମାନଙ୍କ ମଧ୍ୟରୁ ଜଣେ କଏଦୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଏବଂ ଧାର୍ଯ୍ୟ ଦଣ୍ଡାଦେଶ ଅବଧି ପୂର୍ବରୁ ମୁକ୍ତି ପାଇଁ ଆବେଦନ କରିଥିଲେ। ଏହା ପରେ ସର୍ବୋଚ୍ଚ ଅଦାଲତ ଦୋଷୀଙ୍କୁ କ୍ଷମା ଦିଆଯାଇପାରିବ କି ନାହିଁ ବିଚାର କରିବାକୁ ଗୁଜୁରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଗୁଜରାଟ ସରକାର ପଞ୍ଚମହଲ ଜିଲ୍ଲାପାଳ ସୁଜଲ ମିତ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ଏହି କମିଟି ସମସ୍ତ ୧୧ ଅଭିଯୁକ୍ତଙ୍କୁ କ୍ଷମା ପ୍ରଦାନ କରିବା ପାଇଁ ସୁପାରିସ କରିଥିଲା। କମିଟିର ଏହି ନିଷ୍ପତ୍ତି ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା। ଏହା ପରେ ସମସ୍ତଙ୍କୁ ଜେଲରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

Comments are closed.