ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ସଙ୍କଟାପନ୍ନ, ବଡ଼ ଅପଡେଟ୍ ଦେଲେ ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: କମେଡି ଏବଂ ମଜାଳିଆ ଜୋକ୍ ସହିତ ଲୋକଙ୍କୁ ମନୋରଞ୍ଜନ କରୁଥିବା ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଏମ୍ସରେ ଗତ ୧୧ ଦିନ ଧରି ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି | ସେ ଆଇସିୟୁରେ ଅଛନ୍ତି ଏବଂ ତାଙ୍କ ଚେତା ଫେରିନାହିଁ | ହୃଦ୍‌ଘାତ ପରେ ରାଜୁ ଶ୍ରୀବାସ୍ତବଙ୍କୁ ଅଗଷ୍ଟ ୧୦ରେ ଅଚେତ ଅବସ୍ଥାରେ ଏମ୍ସକୁ ଅଣାଯାଇଥିଲା | ରାଜୁ ଶ୍ରୀବାସ୍ତବ ସେହି ଦିନଠାରୁ ଆଇସିୟୁରେ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି । ତେବେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥିବା କୁହାଯାଉଛି। କିନ୍ତୁ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଏକ ବଡ଼ ଅପଡେଟ୍ ଦେଇଛନ୍ତି।

ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ବିଷୟରେ ରଣଦୀପ ଗୁଲେରିଆ କହିଛନ୍ତି ଯେ ତାଙ୍କ ଅବସ୍ଥା ଏବେବି ସଙ୍କଟାପନ୍ନ ରହିଛି ଏବଂ ସେ ଆଇସିୟୁରେ ଅଛନ୍ତି। ରଣଦୀପ ଗୁଲେରିଆ ରାଜୁ ଶ୍ରୀବାସ୍ତବଙ୍କ ବିଷୟରେ ଆଉ କିଛି ପ୍ରକାଶ କରିବାକୁ ମନା କରିଦେଇଥିଲେ। ସେ କହିଛନ୍ତି ଯେ ଏହା ଜଣେ ରୋଗୀ ଏବଂ ତାଙ୍କ ପରିବାରର ବ୍ୟକ୍ତିଗତ ବିଷୟ, ତେଣୁ ସେ ବେଶି କିଛି କହିପାରିବେ ନାହିଁ |

ରାଜୁ ଶ୍ରୀବାସ୍ତବଙ୍କ ଭାଇ ଦୀପୁ ଶ୍ରୀବାସ୍ତବ ଶନିବାର ଏକ ଭିଡିଓ ସେୟାର କରି ତାଙ୍କ ଭାଇଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଥିଲେ। ଦୀପୁ ଶ୍ରୀବାସ୍ତବ କହିଥିଲେ ଯେ ରାଜୁ ଭାଇଙ୍କ ଅବସ୍ଥା ଧୀରେ ଧୀରେ ସୁଧୁରୁଛି। ସେ କହିଥିଲେ ଯେ ରାଜୁ ଶ୍ରୀବାସ୍ତବ ଜଣେ ଯୋଦ୍ଧା ଏବଂ ସେ ଏହି ଯୁଦ୍ଧରେ ଜିତିବେ।

Comments are closed.