ସରକାର କର୍ପୋରେଟଙ୍କ ଅପେକ୍ଷା ସାଧାରଣ ଲୋକଙ୍କଠାରୁ ଅଧିକ ଟିକସ ସଂଗ୍ରହ କରୁଛନ୍ତି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ସରକାରଙ୍କ ବିରୋଧରେ ସାଧାରଣ ଲୋକଙ୍କ ଉପରେ ଅଧିକ ଟିକସ ବୋଝ ଲଦିବା ଏବଂ ତାଙ୍କ “ବନ୍ଧୁ” ମାନଙ୍କ ଟିକସ ହ୍ରାସ କରୁଥିବା ଅଭିଯୋଗ କରିଛନ୍ତି।

କଂଗ୍ରେସର ଏହି ବରିଷ୍ଠ ନେତା ଟ୍ୱିଟରରେ ଏକ ‘ଗ୍ରାଫ୍’ ମଧ୍ୟ ସେୟାର କରିଛନ୍ତି ଏବଂ ଅଭିଯୋଗ କରିଛନ୍ତି ଯେ ସରକାର ସାଧାରଣ ଲୋକଙ୍କଠାରୁ ଅଧିକ ଟିକସ ଆଦାୟ କରୁଥିବାବେଳେ କର୍ପୋରେଟଙ୍କଠାରୁ କମ୍ ଟିକସ ସଂଗ୍ରହ କରାଯାଉଛି।

ସେ ଟୁଇଟ୍ କରି କହିଛନ୍ତି ଯେ ଲୋକଙ୍କ ଉପରେ ଟିକସ ବୋଝ ବୃଦ୍ଧି ପାଇଥିବାବେଳେ ‘ବନ୍ଧୁ’ ମାନଙ୍କ ପାଇଁ ଟିକସ ହ୍ରାସ କରାଯାଇଛି – ସୁଟ୍-ବୁଟ୍-ଲୁଟ୍ ସରକାରଙ୍କ କାର୍ଯ୍ୟର ‘ସ୍ବାବାଭିକ ଉପାୟ’।

ରାହୁଲ ଗାନ୍ଧୀଙ୍କ ଦ୍ଵାରା ସେୟାର ହୋଇଥିବା ଗ୍ରାଫରେ କଂଗ୍ରେସ ଶାସନ ଏବଂ ବିଜେପି ସରକାର ସମୟରେ ଟିକସ ସଂଗ୍ରହର ଏକ ତୁଳନାତ୍ମକ ବିବରଣୀ ଦର୍ଶାଯାଇଛି । ଏଥିରେ କୁହାଯାଇଛି, “ଲୋକଙ୍କ ଉପରେ କମ୍ ଟିକସ ବନାମ ଲୋକଙ୍କ ଉପରେ ଅଧିକ ଟିକସ”।

ଗ୍ରାଫ୍ ଦର୍ଶାଯାଇଛି ଯେ ଗତ କିଛି ବର୍ଷ ମଧ୍ୟରେ କର୍ପୋରେଟ୍ ଟ୍ୟାକ୍ସ ହ୍ରାସ ପାଇଥିବାବେଳେ ସାଧାରଣ ଲୋକଙ୍କ ଉପରେ ଟିକସ ବୋଝ ବୃଦ୍ଧି ପାଇଛି। ଗତ କିଛି ବର୍ଷ ଧରି ସରକାର ସଂଗ୍ରହ କରିଥିବା ସାମଗ୍ରିକ ରାଜସ୍ୱର ପ୍ରତିଶତ ସାଧାରଣ ଲୋକଙ୍କ କ୍ଷେତ୍ରରେ ଅଧିକ ଓ କର୍ପୋରେଟଙ୍କ ମାମଲାରେ କମ୍ ରହିଛି।

ଗ୍ରାଫରେ ଦର୍ଶାଯାଇଛି ଯେ ୨୦୧୦ରେ କର୍ପୋରେଟମାନଙ୍କ ଉପରେ ଟିକସରୁ ସଂଗୃହିତ ରାଜସ୍ୱ ୪୦ ପ୍ରତିଶତରୁ ଅଧିକ ହୋଇଥିବାବେଳେ ସାଧାରଣ ଲୋକଙ୍କଠାରୁ ସଂଗ୍ରହ କରାଯାଇଥିବା ଟିକସ ୨୪ ପ୍ରତିଶତ ଥିଲା।

ଅନ୍ୟପକ୍ଷରେ ୨୦୨୧ ମସିହାରେ କର୍ପୋରେଟ୍ ମାନଙ୍କ ଉପରେ ଟିକସରୁ ରାଜସ୍ୱ ସଂଗ୍ରହ ୨୪ ପ୍ରତିଶତକୁ ଖସି ଆସିଥିବାବେଳେ ଟିକସ ରାଜସ୍ୱର ୪୮୦ ପ୍ରତିଶତ ସାଧାରଣ ଲୋକଙ୍କଠାରୁ ସଂଗ୍ରହ କରାଯାଇଥିଲା।

କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ଅତ୍ୟାବଶ୍ୟକ ଦ୍ରବ୍ୟ ଉପରେ ଜିଏସଟି ବୃଦ୍ଧିକୁ ବିରୋଧ କରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଏକ ଚିଠି ସେୟାର କରିଛନ୍ତି। ଏହି ଚିଠିକୁ ସେୟାର କରି ରମେଶ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦାବିକୁ ଖଣ୍ଡନ କରିଛନ୍ତି ।ସୀତାରମଣ ଦାବି କରିଥିଲେ ଯେ ଜିଏସଟି ପରିଷଦ ବୈଠକରେ ଖାଦ୍ୟ ସାମଗ୍ରୀ ଉପରେ କୌଣସି ରାଜ୍ୟ ଜିଏସଟି ବୃଦ୍ଧିକୁ ବିରୋଧ କରିନଥିଲେ ।

ସୂଚନାଯୋଗ୍ୟ ଯେ ଅଗଷ୍ଟ ୫ରେ ଗେହଲୋଟ୍ ଖାଦ୍ୟ ସାମଗ୍ରୀ ଉପରେ ଅଧିକ ଜିଏସଟି ଲାଗୁ କରିବାକୁ ନିଷ୍ପତ୍ତିକୁ ବିରୋଧ କରି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲେ।

Comments are closed.