ସରକାରୀ ଚାକିରି ଆଶାୟୀମାନଙ୍କ ପାଇଁ ୟୁପିଏସସି ଆରମ୍ଭ କଲା ‘ଓ୍ବାନ୍ ଟାଇମ୍ ରେଜିଷ୍ଟ୍ରେସନ’ ସୁବିଧା

ନୂଆଦିଲ୍ଲୀ: ସରକାରୀ ଚାକିରିର ଆଶାୟୀମାନଙ୍କ ପାଇଁ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ‘ଏକକାଳୀନ ପଞ୍ଜୀକରଣ’ (ଓ୍ବାନ୍ ଟାଇମ୍ ରେଜିଷ୍ଟ୍ରେସନ ବା ଓଟିଆର୍) ସୁବିଧା ଆରମ୍ଭ କରିଛି । ବର୍ତ୍ତମାନ ବିଭିନ୍ନ ନିଯୁକ୍ତି ପାଇଁ ଆବେଦନ କରିବା ସମୟରେ ପ୍ରାର୍ଥୀ ମାନଙ୍କୁ ପ୍ରତ୍ୟେକ ଥର ମୌଳିକ ସୂଚନା ଭରିବାକୁ ପଡ଼ିବ ନାହିଁ |

ଆଗାମୀ ୟୁପିଏସସି ପରୀକ୍ଷା ପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କୁ ଓଟିଆର୍ ପ୍ଲାଟଫର୍ମରେ ପଞ୍ଜୀକରଣ କରିବା ପରେ କେବଳ ଥରେ ନିଜର ବ୍ୟକ୍ତିଗତ ସୂଚନା ପ୍ରଦାନ କରିବାକୁ ପଡିବ |

ବୁଧବାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ୟୁପିଏସସି ଦ୍ୱାରା ପରିଚାଳିତ ବିଭିନ୍ନ ପରୀକ୍ଷା ପାଇଁ ବହୁ ସଂଖ୍ୟକ ପ୍ରାର୍ଥୀ ଆବେଦନ କରନ୍ତି। ଏହି ପରୀକ୍ଷା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ବିଭାଗ / ସଂଗଠନ ପାଇଁ ଅଧିକାରୀଙ୍କ ଚୟନ କରାଯାଏ । ଓଟିଆର୍ ପ୍ଲାଟଫର୍ମ ସମୟ ସଞ୍ଚୟ କରିବ ଏବଂ ଆବେଦନ ପ୍ରକ୍ରିୟାକୁ ସରଳ କରିବ | ,

ୟୁପିଏସସି କହିଛି, ପ୍ରାର୍ଥୀଙ୍କ ପଞ୍ଜୀକରଣ ଶେଷ ହେବା ପରେ ସେମାନଙ୍କର ସୂଚନା ଆୟୋଗର ସର୍ଭରରେ ସୁରକ୍ଷିତ ଭାବରେ ରହିବ। ଯେତେବେଳେ ପ୍ରାର୍ଥୀମାନେ ପରୀକ୍ଷା ପାଇଁ ଅନଲାଇନ୍ ଆବେଦନ ଭରିବେ, ସେମାନଙ୍କର ସୂଚନା ସ୍ବତଃ ସେଠାକୁ ଆସିବ |

ଆୟୋଗ କହିଛି ଯେ ପ୍ରାର୍ଥୀମାନଙ୍କ ପାଇଁ ଓଟିଆର୍ ଅତ୍ୟନ୍ତ ଉପଯୋଗୀ ହେବ କାରଣ ଏହା ପରୀକ୍ଷା ପାଇଁ ଆବେଦନ କରିବା ସମୟରେ ବ୍ୟକ୍ତିଗତ ସୂଚନା ଭରିବାରେ ସମୟ ବଞ୍ଚାଇବ ଏବଂ ସବିଶେଷ ତଥ୍ୟ ପୂରଣ କରିବା ସମୟରେ ଭୁଲ ତଥ୍ୟ ଭରିବାରୁ ମଧ୍ୟ ରୋକାଯାଇ ପାରିବ ।

Comments are closed.