କନ୍ଧମାଳ ଜିଲ୍ଲାର ଦୁର୍ଗମ ଗାଁକୁ ଯିବ ପ୍ରସବ ଯାନ, ସୁରକ୍ଷିତ ସନ୍ତାନ ଜନ୍ମ କରାଇବ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଭୌଗୋଳିକ ପରିସ୍ଥିତି ସର୍ବଦା ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଏକ ଆହ୍ବାନ ହୋଇ ରହିଛି। ଜଙ୍ଗଲ ପାହାଡ଼ରେ ଭରି ରହିଥିବା ଏହି ଜିଲ୍ଲାରେ ଏମିତି ଶହ ଶହ ଗାଁ ରହିଛି ଯେଉଁଠାକୁ ସୁବିଧାରେ ପହଞ୍ଚିପାରିବା ବେଶ୍ କାଠିକର। ଯେତେବେଳେ ଗାଁ ମାନଙ୍କରେ ପହଞ୍ଚିବା କଷ୍ଟକର ସେଠି ଲୋକଙ୍କୁ ଯେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ମଧ୍ୟ ଏକ ଚ୍ୟାଲେଞ୍ଜ କହିଲେ ଅତ୍ୟୁକ୍ତି ହେବନି। ଏଭଳି ପରିସ୍ଥିତିରେ ଜିଲ୍ଲାର ଦୁର୍ଗମ ତଥା ଉପାନ୍ତ ଗାଁମାନଙ୍କରେ ସୁରକ୍ଷିତ ପ୍ରସବ କରାଇ ମାତୃ ଓ ଶିଶୁ ମୃତ୍ୟୁହାର କମାଇବା ପାଇଁ ଜିଲ୍ଲା ପ୍ରଶାସନ ତଥା ସ୍ୱାସ୍ଥ୍ୟ ବିଭାଗ ଆରମ୍ଭ କରିଛି ଭ୍ରାମ୍ୟମାଣ ପ୍ରସବ ଓ ସ୍ବାସ୍ଥ୍ୟ ସେବା ଯାନ। ଗର୍ଭବତୀଙ୍କୁ ଆଉ ଅଟୋ କିମ୍ବା ମୋଟର ସାଇକେଲରେ ଡାକ୍ତରଖାନା ଯିବାକୁ ଜରୁରି ଆବଶ୍ୟକତା ପଡ଼ିବନି। ଦୋଳାରେ ରୋଗୀଙ୍କୁ ଚିକିତ୍ସାଳୟ ପର୍ଯ୍ୟନ୍ତ ବୋହି ନେବା ଘଟଣା ମଧ୍ୟ ହ୍ରାସ ପାଇବ। ଲୋକଙ୍କୁ ଗାଁ ପାଖରେ ମିଳିବ ସ୍ୱାସ୍ଥ୍ୟ ସେବା। ଏଭଳି ଯାନ ବିଭିନ୍ନ ବ୍ଲକର ଦୁର୍ଗମ ଗ୍ରାମାଞ୍ଚଳ ବୁଲି ଲୋକଙ୍କୁ ସେମାନଙ୍କ ଘର ବା ଗାଁ ପାଖରେ ଚିକିତ୍ସା ସେବା ଯୋଗାଇବ। ବିଶେଷ କରି ଗର୍ଭବତୀ ମହିଳାଙ୍କ ପାଇଁ ସ୍ବାସ୍ଥ୍ୟସେବାକୁ ସୁଲଭ ଉପଲବ୍ଧ କରାଇବାକୁ ଚେଷ୍ଟା କରିବ ଏହି ଯୋଜନା।

ଫୁଲବାଣୀ ଠାରେ ଏହି ଭ୍ୟାନ୍‌ ଉଦ୍‌ଘାଟନ କରାଯାଇଛି। କନ୍ଧମାଳ ସାଂସଦ, ଜିଲ୍ଲାର ତିନି ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସମେତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଅନ୍ୟ ଅଫିସରମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ର ଯେ ପ୍ରତିଟି ଜୀବନ ମୂଲ୍ୟବାନ ତାହାକୁ ଗୁରୁତ୍ଵ ଦେଇ ଜିଲ୍ଲାର ସବୁ ଗ୍ରାମବାସୀଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବାକୁ ପ୍ରଚେଷ୍ଟା କରାଯାଉଛି ବୋଲି ଏହି ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଭ୍ରାମ୍ୟମାଣ ପ୍ରସବ ଯାନ ଓ ସ୍ୱାସ୍ଥ୍ୟ ସେବା ଯାନ ଜିଲ୍ଲାବାସୀଙ୍କୁ ସ୍ବାସ୍ଥ୍ୟ ସେବା ପାଇବାରେ ଅଧିକ ସହାୟକ ହେବା ଆଶା କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ସ୍ବାସ୍ଥ୍ୟ ଓ ପୁଷ୍ଟି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କନ୍ଧମାଳ ଜିଲ୍ଲାକୁ ଜାତୀୟସ୍ତରରେ ଦ୍ଵିତୀୟ ସ୍ଥାନ ମିଳିଛି। ଏଥିପାଇଁ ପୁରସ୍କାର ସ୍ବରୂପ ୩ କୋଟି ୭୫ ଲକ୍ଷ ଟଙ୍କାର ଅନୁଦାନ ମିଳିଛି। ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନା ସମେତ ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ର କାୟାକଳ୍ପ ପୁରସ୍କାର ମଧ୍ୟ ପାଇପାରିଛନ୍ତି।

Comments are closed.