ଜିଲ୍ଲାରେ ନିର୍ମାଣାଧୀନ ସେତୁ କାର୍ଯ୍ୟ ଶୀଘ୍ର ଶେଷ କରିବା ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶ

ଛତ୍ରପୁର / ଭୁବନେଶ୍ବର: ବ୍ରହ୍ମପୁର ସ୍ଥିତ ଗ୍ରାମ୍ୟ ନିର୍ମାଣ ମଣ୍ଡଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ଦ୍ବାରା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ସମସ୍ତ ଯନ୍ତ୍ରୀମାନଙ୍କୁ ଗଞ୍ଜାମ ଜିଲ୍ଲା ସବୁବେଳେ ସୁନାମ ପାଇଆସୁଥିବା ନେଇ ସୂଚନା ଦେଇଥିଲେ । ଜିଲ୍ଲାର ସୁନାମ ଆଣିବା ଦିଗରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା କାର୍ଯ୍ୟ ହେଉଥିବା କାମ ଗୁଡିକ ସମ୍ପନ୍ନ କରିବା ଦିଗରେ ତ୍ଵରାନିତ କରିବାର ଆବଶ୍ୟକତା ରହିଛି । ସେତୁ ନିର୍ମାଣ କ୍ଷେତ୍ରରେ ଟେଣ୍ଡର କାର୍ଯ୍ୟ ସାରିଦେଇ ସମସ୍ତ କାର୍ଯ୍ୟ ଠିକାଦାରଙ୍କ ଉପରେ ନ୍ୟସ୍ତ କଲେ ହେବନାହିଁ । ଠିକାଦାରଙ୍କ କାର୍ଯ୍ୟଧାରା ଗୁଡିକ ବରାବର ତଦାରଖ କରିବାକୁ ସେ ପରାମର୍ଶ ଦେଇଥିଲେ । ଉନ୍ନୟନ କାର୍ଯ୍ୟରେ ଦେଖାଯାଉଥିବା ପ୍ରତିବନ୍ଧକଗୁଡିକ ସମାଧାନ କରି ଉକ୍ତ କାର୍ଯ୍ୟର ଶୀଘ୍ର ସମାପନ ଦିଗରେ ପ୍ରତ୍ୟେକ ତତ୍ପରତା ପ୍ରକାଶ କରିବାର ଆବଶ୍ୟକତା ରହିଛି ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ଜଣାଇଥିଲେ ।

ସେ ମଧ୍ୟ କହିଥିଲେ ଯେ ଯନ୍ତ୍ରୀମାନେ କ୍ଷେତ୍ର ପରିଦର୍ଶନ କରି ସମସ୍ତ ସୁବିଧା ଅସୁବିଧା ବୁଝନ୍ତୁ । ଅସୁବିଧା ସମ୍ପର୍କରେ ନିଜ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାନ୍ତୁ । ସେହିଠାରେ ସମସ୍ୟାର ସମାଧାନ ହୋଇନପାରିଲେ ଜିଲ୍ଲାପାଳଙ୍କ ସହାୟତା ନେଇ ସେସବୁର ସମାଧାନ କରି କାର୍ଯ୍ୟଗୁଡିକ ସଠିକ ସମୟରେ ସମାପନ କରିବାକୁ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଥିଲେ । ଯନ୍ତ୍ରୀମାନେ ସମସ୍ୟା ଦେଖିବା ସହିତ ଏହାର ସମାଧାନର ବାଟ ମଧ୍ୟ ବାହାର କରି କାର୍ଯ୍ୟ ଯେମିତି ସଠିକ ସମୟରେ ସମାପନ ହେବ ସେ ଦିଗରେ ତତ୍ପରତା ପ୍ରକାଶ କରିବାକୁ ପ୍ରମୁଖ ଶାସନ ସଚିବ ଜଣାଇଥିଲେ । ଡିପିଆର ପ୍ରସ୍ତୁତ କରିବା ପୂର୍ବରୁ କ୍ଷେତ୍ର ପରିଦର୍ଶନ କରି ପ୍ରକୃତ ଡିପିଆର ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ । ଯେଉଁ ଅଧିକାରୀମାନଙ୍କ ଦ୍ବାରା କାର୍ଯ୍ୟ ଧାରା ବିଳମ୍ବ ହେବ , ସେମାନଙ୍କୁ ଉତ୍ତରଦାୟୀ କରାଯିବ । ଅଧିକାରୀମାନେ ନିଜ ସଦରମହକୁମାରେ ରହିବା ସହିତ କ୍ଷେତ୍ର ପରିଦର୍ଶନ କରିବାକୁ ଶ୍ରୀ ସିଂ ପରାମର୍ଶ ଦେଇଥିଲେ ।

ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ପରିଡା ପ୍ରମୁଖ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରି ଜଣାଇଥିଲେ ଯେ , ଅନେକ ସମୟରେ ଜନସାଧାରଣ ରାସ୍ତାର ମରାମତି ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରନ୍ତି । ଗୋଟିଏ ରାସ୍ତାକୁ ନିୟମିତ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସଜାଡିଲେ ରାସ୍ତାଗୁଡିକର ପରିଚାଳନା ଠିକ ହୋଇପାରିବ । ରାସ୍ତା ନିର୍ମାଣ ଗୃହ ନିର୍ମାଣ କିମ୍ବା ସେତୁ ନିର୍ମାଣ କ୍ଷେତ୍ରରେ କୌଣସି ସମସ୍ୟା ଦେଖାଗଲେ ତାହା ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଆଣନ୍ତୁ । ତେବେ ଯାଇ ତାର ସମାଧାନ ବାଟ ଖୋଲିବ ଏବଂ ଉନ୍ନୟନ କାର୍ଯ୍ୟ ବିନା ଦ୍ବିଧାରେ ସଠିକ ସମୟରେ ସମାପନ ହୋଇପାରିବ ।

ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା , ବିଜୁ ସେତୁ ଯୋଜନା , ମୁଖ୍ୟମନ୍ତ୍ରୀ ସଡକ ଯୋଜନା , ବହୁମୂଖୀ ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ଯୋଜନା ଆଦି ସମ୍ପର୍କରେ ସୁବିସ୍ତୃତ ଆଲୋଚନା ହୋଇଥିଲା ।

ବୈଠକରେ ରାଜ୍ୟ ଗ୍ରାମ୍ୟ ନିର୍ମାଣ କୋଠବାଡି ଓ ସେତୁ ବିଭାଗ ଯନ୍ତ୍ରୀ ମୁଖ୍ୟ ପ୍ରଦୀପ ସାମଲ , ମୁଖ୍ୟ ଯନ୍ତ୍ରୀ ରମେଶ ଚନ୍ଦ୍ର ବେହେରା , ଗଞ୍ଜାମ ଜିଲ୍ଲା ଗ୍ରାମ ନିର୍ମାଣ ମଣ୍ଡଳ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଦୀପ କୁମାର ଜେନା , ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ– ୧ ର ଅଧ୍ୟକ୍ଷଣ ଯନ୍ତ୍ରୀ ନାରଣ ମୁର୍ମୁ ଏବଂ ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀଗଣ ଉପସ୍ଥିତ ଥିଲେ ।

Comments are closed.