ଅନ୍ୟ ଦଳର ସରକାର ଭାଙ୍ଗିବା ପାଇଁ ୬,୩୦୦ କୋଟି ଟଙ୍କା ଖର୍ଚ୍ଚ କରିଛି ବିଜେପି: କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାରକୁ ଭାଙ୍ଗିବା ଉଦ୍ୟମ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ବିଜେପିକୁ ଟାର୍ଗେଟ କରିଛନ୍ତି । କେଜ୍ରିୱାଲ ଦାବି କରିଛନ୍ତି ଯେ ବିଜେପି ବିଭିନ୍ନ ରାଜ୍ୟରେ ଅନ୍ୟ ଦଳର ସରକାରକୁ ଭାଙ୍ଗିବା ପାଇଁ ୬,୩୦୦ କୋଟି ଟଙ୍କା ଖର୍ଚ୍ଚ କରିଛି । କେଜ୍ରିୱାଲ କହିଛନ୍ତି, ଯଦି ବିଜେପି ବିରୋଧୀ ଦଳମାନଙ୍କ ସରକାର ଭାଙ୍ଗିବା ପାଇଁ ଏତେ ଟଙ୍କା ଖର୍ଚ୍ଚ କରିନଥାନ୍ତା ତେବେ କେନ୍ଦ୍ରକୁ ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଲଗାଇବାକୁ ପଡ଼ିନଥାନ୍ତା |

କେଜ୍ରିୱାଲ ଦିନକ ପୂର୍ବରୁ ବିଜେପିକୁ “ରାଜ୍ୟ ସରକାରଙ୍କ ସିରିଏଲ କିଲର” ବୋଲି କହିଥିଲେ। କେଜ୍ରିୱାଲ ଦିଲ୍ଲୀ ବିଧାନସଭାରେ ଦେଇଥିବା ଅଭିଭାଷଣରେ ଅଭିଯୋଗ କରିଛନ୍ତି ଯେ ବିଜେପି ପେଟ୍ରୋଲ, ଡିଜେଲ ଏବଂ ଜିଏସଟି ଜରିଆରେ ସଂଗ୍ରହ ଅର୍ଥକୁ ବିରୋଧୀ ଦଳ ବିଧାୟକମାନଙ୍କୁ କିଣିବାରେ ଖର୍ଚ୍ଚ କରୁଛି ।

ଆମ୍ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ କେଜ୍ରିୱାଲ ଶନିବାର କହିଛନ୍ତି ଯେ ଦରବୃଦ୍ଧି ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ‌। କିନ୍ତୁ ବିଜେପି ବିରୋଧୀ ଦଳର ବିଧାୟକ କିଣିବା ଏବଂ ବିଭିନ୍ନ ରାଜ୍ୟର ସରକାର ଭାଙ୍ଗିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି |

କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି, ଦହି, କ୍ଷୀର, ମହୁ, ଗହମ, ଚାଉଳ ଆଦି ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଲାଗୁ ହେବା ଦ୍ବାରା କେନ୍ଦ୍ର ସରକାରଙ୍କୁ ବାର୍ଷିକ ୭,୫୦୦ କୋଟି ଟଙ୍କା ରାଜସ୍ବ ମିଳିବ । ଏପର୍ଯ୍ୟନ୍ତ ସେମାନେ ବିରୋଧୀ ଦଳର ସରକାର ଭାଙ୍ଗିବାକୁ ୬,୩୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଯଦି ବିଜେପି ଏପରି କରିନଥାନ୍ତା, ତେବେ ଗହମ, ଚାଉଳ,
କ୍ଷୀର ଇତ୍ୟାଦି ଉପରେ ଜିଏସଟି ଲାଗି ନଥାନ୍ତା କି ଲୋକଙ୍କୁ ଦରବୃଦ୍ଧିର ସାମ୍ନା କରିବାକୁ ପଡ଼ିନଥାନ୍ତା । ”

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଅନ୍ୟମାନଙ୍କ ବିରୋଧରେ ଅବକାରୀ ନୀତି ଲାଗୁ କରିବାରେ ଅନିୟମିତତା ମାମଲା ରୁଜୁ କରିବା ପରେ ଆପ୍ ଏବଂ ବିଜେପି ମଧ୍ୟରେ ରାଜନୈତିକ ତିକ୍ତତା ବୃଦ୍ଧି ପାଇଛି।

Comments are closed.