ଏସିଆ କପ୍: ହଂକଂ ୧୫୫ ରନରେ ହାରିଲା, ସୁପର-୪ରେ ପୁଣି ଭାରତ-ପାକିସ୍ତାନ ମୁକାବିଲା

ଶାରଜା: ଏସିଆ କପରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ହଂକଂକୁ ଏକତରଫା ଭାବେ ୧୫୫ ରନରେ ହରାଇ ପାକିସ୍ତାନ ସୁପର-୪କୁ ଉନ୍ନୀତ ହୋଇଛ।  ଏଥିସହ ଟୁର୍ଣ୍ଣାମେଣ୍ଟରେ ପୁଣି ଥରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବା ନିଶ୍ଚିତ ହୋଇଯାଇଛି । ରବିବାର ଖେଳାଯିବାକୁ ଥିବା ସୁପର-୪ ମ୍ୟାଚରେ ଏହି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ପୁଣି ପରସ୍ପରକୁ ଭେଟିବେ | ଗ୍ରୁପ୍ ପର୍ଯ୍ୟାୟରେ ଭାରତ ୫ ଓ୍ବିକେଟରେ ପାକିସ୍ତାନକୁ ହରାଇଥିଲା ।

ଗ୍ରୁପ୍-ଏ’ର ଶେଷ ଲିଗ୍ ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨ ୱିକେଟ୍ ହରାଇ ୧୯୩ ରନ୍ କରିଥିଲା। ଏହାର ଜବାବରେ ହଂକଂ ଦଳ ୧୦.୪ ଓଭରରେ ମାତ୍ର ୩୮ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଦଳ ତରଫରୁ କେହି ଜଣେ ବି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ପାକିସ୍ତାନ ତରଫରୁ ସ୍ପିନର ଶଦାବ ଖାନ ୪ଟି ଓ ମହମ୍ମଦ ନଓ୍ବାଜ ୩ଟି ଓ୍ବିକେଟ୍ ନେଇଥିଲେ ।

ପୂର୍ବରୁ ହଂକଂ ଟସ୍ ଜିତି ପାକିସ୍ତାନକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ଏହସାନ ଖାନ ତୃତୀୟ ଓଭରରେ ପାକ୍ ଅଧିନାୟକ ବାବର ଆଜମଙ୍କୁ ଆଉଟ୍ କରି ହଂକଂକୁ ଆରମ୍ଭରୁ ଏକ ବଡ଼ ସଫଳତା ଦେଇଥିଲେ । ବାବର ମାତ୍ର ୯ ରନ୍ କରି ଏହସାନଙ୍କ ବଲରେ କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ । ହେଲେ ଏହାପରେ ରିଜୱାନ ଓ ଜମାନ ହଂକଂକୁ ଆଉ କୌଣସି ସୁଯୋଗ ନ ଦେଇ ସ୍କୋରକୁ ଆଗେଇ ନେଇଥିଲେ । ଦୁହେଁ ଅର୍ଦ୍ଧଶତକ ହାସଲ କରିବା ସହ ଦ୍ୱିତୀୟ ୱିକେଟରେ ୧୧୬ ରନ୍ ଯୋଗ କରିଥିଲେ । ଜମାନ ୪୧ଟି ବଲରେ ୩ଟି ଚୌକା ଓ ୨ଟି ଛକା ସହ ୫୩ ରନ୍ କରିଥିଲେ । ୧୭ତମ ଓଭରରେ ଜମାନଙ୍କୁ ଆଉଟ୍ କରି ଏହସାନ ମ୍ୟାଚରେ ନିଜ ଦ୍ୱିତୀୟ ୱିକେଟ୍ ହାତେଇଥିଲେ । ଜମାନଙ୍କ ୱିକେଟ୍ ପରେ କ୍ରିଜକୁ ଓହ୍ଲାଇôଥିବା ଖୁସଦିଲ ଶେଷ ୨ ଓଭରରେ ଧୂଆଁଧାର ବ୍ୟାଟିଂ କରିଥିଲେ । ସେ ଶେଷ ଓଭରରେ ୪ଟି ଛକା ସହ ୨୯ ରନ୍ ସଂଗ୍ରହ କରିଥିବା ବେଳେ ପାକିସ୍ତାନ ୨ ୱିକେଟ୍ ହରାଇ ୧୯୩ ରନର ବଡ଼ ସ୍କୋର କରିଥିଲା । ଖୁସଦିଲ ମାତ୍ର ୧୫ଟି ବଲରେ ୫ଟି ଛକା ସହ ଅପରାଜିତ ୩୫ ରନ୍ କରିଥିଲେ । ରିଜୱାନ ୫୭ଟି ବଲରେ ୬ଟି ଚୌକା ଓ ଗୋଟିଏ ଛକା ସହ ୭୮ ରନ୍ କରି ନଟ୍ ଆଉଟ୍ ରହିଥିଲେ ।

Comments are closed.