ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଜାତୀୟ କ୍ରୀଡା ଦିବସ ଅବସରରେ ଆଜି ୨୦୨୧ବର୍ଷ ପାଇଁ ପ୍ରଦାନ କରାଯାଇଛି ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ପୁରସ୍କାର । ପୂର୍ବତନ ଟେଷ୍ଟ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନା କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଛନ୍ତି।

ଉଦୀୟମାନ ସୁଟର ଶ୍ରିୟଙ୍କା ଷଡଙ୍ଗୀ ଓ ୱେଟଲିଫ୍ଟର ଝିଲି ଦଳବେହେରାଙ୍କୁ ଶ୍ରେଷ୍ଠ କ୍ରୀଡାବିତ ପୁରସ୍କାର ପ୍ରଦାନ କରାଯାଇଛି। ଆନ୍ତର୍ଜାତିକ ପାରା ଆଥଲେଟ ଜୟନ୍ତୀ ବେହେରାଙ୍କ କୋଚ୍ ବିଷ୍ଣୁ ମିଶ୍ର ପାଇଛନ୍ତି ଶ୍ରେଷ୍ଠ କୋଚ୍ ପୁରସ୍କାର। କ୍ରୀଡା ସାମ୍ୱାଦିକ ଭାବେ ବେଣୁଧର ଦାସଙ୍କୁ ସମ୍ମାନିତ କରାଯାଇଛି।

ରାଉରକେଲା ଷ୍ଟିଲପ୍ଲାଣ୍ଟକୁ ଶ୍ରେଷ୍ଠ କ୍ରୀଡା ପ୍ରୋତ୍ସାହନ ଅନୁଷ୍ଠାନ ଭାବେ ସମ୍ମାନ ପ୍ରଦାନ କରାଯାଇଛି। ଏହା ସହିତ ରାଜ୍ୟ ସାହସିକତା ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି। ପ୍ରତାପ ତରାଇ ଏବଂ ଶୁଭଶ୍ରୀ ରାଉତଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ବିଭିନ୍ନ କ୍ରୀଡ଼ାରେ ସୁନାମ ଅର୍ଜନ କରିଥିବା ଖେଳାଳିଙ୍କୁ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ୫-ଟି ସଚିବ ଭି.କେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.