ଦାଉଦ୍ ଇବ୍ରାହିମ ଉପରେ ୨୫ ଲକ୍ଷ ପୁରସ୍କାର ଘୋଷଣା କଲା ଏନ୍ଆଇଏ

ନୂଆଦିଲ୍ଲୀ: ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ମାମଲାର ମାଷ୍ଟର ମାଇଣ୍ଡ “ବିଶ୍ୱ ଆତଙ୍କବାଦୀ” ଦାଉଦ ଇବ୍ରାହିମ ସମ୍ପର୍କରେ ସୂଚନା ପ୍ରଦାନ ପାଇଁ ଜାତୀୟ ଅନୁସନ୍ଧାନ ସଂସ୍ଥା (ଏନଆଇଏ) ୨୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି । ଏଥିସହ ଏନ୍ଆଇଏ ଏହି ଅଣ୍ଡରଓ୍ବାର୍ଲ୍ଡ ଡନର ଏକ ନୂଆ ଫଟୋ ଜାରି କରିଛି। ଜାତୀୟ ଅନୁସନ୍ଧାନ ଏଜେନ୍ସି ଦାଉଦ ଇବ୍ରାହିମ ଗ୍ୟାଙ୍ଗର ସଦସ୍ୟ ଛୋଟା ଶକିଲ ଉପରେ ମଧ୍ୟ ୨୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି । ଏହି ଗ୍ୟାଙ୍ଗର ଅନ୍ୟ ତିନି ସଦସ୍ୟ ଅନିସ୍ ଇବ୍ରାହିମ୍, ଜାଭେଦ୍ ଚିକନା ଏବଂ ଟାଇଗର ମେମନ୍ ଉପରେ ସୂଚନା ପାଇଁ ମଧ୍ୟ ୧୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି।

ଏନଆଇଏ ଏକ ବିବୃତ୍ତିରେ କହିଛି ଯେ ଦାଉଦ ଇବ୍ରାହିମ ଏବଂ ଅନ୍ୟମାନେ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତଇବା, ଜୈଶ-ଏ-ମହମ୍ମଦ ଏବଂ ଅଲ କାଏଦାର ସକ୍ରିୟ ସହଯୋଗରେ କାର୍ଯ୍ୟ କରୁଛନ୍ତି।

ଗତ ବର୍ଷ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦକୁ କହିଥିଲା ​​ଯେ ଦାଉଦ୍ ଇବ୍ରାହିମ ଏବଂ ଜାତିସଂଘ ଦ୍ୱାରା ନାମିତ ଅନ୍ୟ ଆତଙ୍କବାଦୀ ପଡ଼ୋଶୀ ଦେଶରେ “ସୁରକ୍ଷା” ଉପଭୋଗ କରୁଛନ୍ତି।

ଦାଉଦ୍ ଇବ୍ରାହିମ ୧୯୯୩ ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଥିଲା । ସହରର ବିଭିନ୍ନ ସ୍ଥାନରେ ୧୨ଟି ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୨୫୭ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୭୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଜାତିସଂଘ ସୁରକ୍ଷା ପରିଷଦ କମିଟି ଦ୍ୱାରା ବିଶ୍ୱ ଆତଙ୍କବାଦୀ ଭାବେ ତାଲିକାଭୁକ୍ତ ହୋଇଥିବା ଦାଉଦ ଇବ୍ରାହିମ ଗିରଫଦାରୀକୁ ଏଡ଼ାଇବା ପାଇଁ ପାକିସ୍ତାନରେ ଆଶ୍ରୟ ନେଇଛି ।

୨୦୧୮ରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ତରଫରୁ ଜାରି ଆତଙ୍କବାଦୀ ସଂଗଠନ ତଥା ଆତଙ୍କବାଦୀଙ୍କ ତାଲିକାରେ ଦାଉଦ୍ ଇବ୍ରାହିମ ଏବଂ ତାର କରାଚି ଠିକଣାକୁ ସାମିଲ କରାଯିବା ପରେ ପାକିସ୍ତାନ ତାକୁ ସୁରକ୍ଷା ଦେଉଥିବା ନେଇ ଭାରତର ଦାବି ସତ୍ୟ ପ୍ରମାଣିତ ହୋଇଥିଲା ।

Comments are closed.