ହିଞ୍ଜିଳିକାଟୁରେ ତିନିଦିନିଆ ସ୍ବାୟତ୍ତ ଶାସନ ଦିବସ ସ୍ଵତନ୍ତ୍ର ଉତ୍ସବ: ଯୋଜନା କାର୍ଯ୍ୟକାରିତାରେ ଜନସହଭାଗିତା ପ୍ରଶଂସନୀୟ

ଛତ୍ରପୁର: ହିଞ୍ଜିଳିକାଟୁ ପୌର ପରିଷଦ ମାନ୍ୟତା ପାଇବା ପରେ ନବନିର୍ବାଚିତ ପୌରପ୍ରତିନିଧିଙ୍କ ତତ୍ତ୍ଵାବଧାନରେ ଚଳିତ ବର୍ଷ ପ୍ରଥମ ସ୍ବାୟତ୍ତ ଶାସନ ଦିବସ ଧୁମଧାମରେ ପାଳନ କରାଯାଇଛି। ଏଥିପାଇଁ ହିଞ୍ଜିଳି ମିନି ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଥିଲା ତିନିଦିନିଆ ସ୍ବାୟତ୍ତ ଶାସନ ଦିବସ ସ୍ବତନ୍ତ୍ର ଉତ୍ସବ। ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ପ୍ରତିଦିନ ବିଭିନ୍ନ କାର୍ଯ୍ୟକ୍ରମ, ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିଲା। ବିଭିନ୍ନ ଦିବସରେ ଜିଲ୍ଲା ପ୍ରଶାସନ, ପୋଲିସ, ନିର୍ବାଚିତ ଜନପ୍ରତିନିଧି ସଭା ମଞ୍ଚରେ ଆସୀନ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ବ କରୁଥିବା ନିର୍ବାଚନ ମଣ୍ଡଳୀର ଏକମାତ୍ର ସହର ତଥା ଜିଲ୍ଲାର ଏକମାତ୍ର ପୌରପାଳିକା ହିଞ୍ଜିଳିରେ ନିକଟ ଅତୀତରେ ବହୁ ବିକାଶମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି। ତେବେ ଏହା ପଛରେ ସ୍ଥାନୀୟ ଜନତା ତଥା ହିଞ୍ଜିଳି ସହରବାସୀଙ୍କ ସହଭାଗିତାକୁ ଅତିଥିମାନେ ଉଚ୍ଚପ୍ରଶଂସା କରିଛନ୍ତି। କେବଳ ଉତ୍ସବ ପାଳନ ନୁହେଁ, ବରଂ ସହରର ପ୍ରଗତିରେ ଲୋକଙ୍କ ସହଯୋଗକୁ ବେଶ୍ ପ୍ରଶଂସା କରିଥିଲେ ଅତିଥିଗଣ।

ହିଞ୍ଜିଳିକାଟୁ ପୌର ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ସ୍ବତନ୍ତ୍ର ଉତ୍ସବକୁ ପୌର କାର୍ଯ୍ୟାଳୟରେ ଜାତୀୟ ପତକା ଉତ୍ତୋଳନ କରି ଆରମ୍ଭ କରିଥିଲେ ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ। ଉପାଧ୍ୟକ୍ଷା ସୁଚିତ୍ର ପଣ୍ଡା, ନିର୍ବାହୀ ଅଧିକାରୀ ମନୋରଞ୍ଜନ ସାହୁଙ୍କ ସମେତ କାଉନସଲର, କର୍ମଚାରୀ ଉପସ୍ଥିତ ଥିଲେ। ଏହି ଅବସରରେ ସଫେଇ କର୍ମଚାରୀଙ୍କୁ ପୋଷାକ ବିତରଣ କରାଯାଇ ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇ ଥିଲା। ସଂଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଗାନ୍ଧିଜୀଙ୍କ ଫଟୋ ଚିତ୍ର ପ୍ରଦର୍ଶନୀ ଓ ମିଶନ୍ ଶକ୍ତି ମେଳା ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡିୟମରେ ଆୟୋଜିତ ହୋଇଥିଲା। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଏସପି ବ୍ରିଜେଶ କୁମାର ରାୟ, ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ସଚିବ ସୁଶାନ୍ତ କୁମାର ମିଶ୍ର ପ୍ରମୁଖ ଅତିଥି ଥିଲେ। ତେବେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଅଆଧାରିତ ଫଟୋଚିତ୍ର ପ୍ରଦର୍ଶନୀ ଥିଲା ଆକର୍ଷଣର କେନ୍ଦ୍ର। ଗାନ୍ଧୀଙ୍କ ଜୀବନର ଅନେକ ବିରଳ ଫଟୋ ଦେଖିବାକୁ ପାଇଥିଲେ ଜନସାଧାରଣ। ସେହିପରି ମିଶନ୍ ଶକ୍ତି ମେଳାରେ ମହିଳା ସଂଘ ପକ୍ଷରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ପ୍ରଦର୍ଶନୀ ଓ ବିକ୍ରୟ ସୁଯୋଗ ଆଣି ଦେଇଥିଲା। ଲୋକେ ହାତ ତିଆରି ବିଭିନ୍ନ ସାମଗ୍ରୀ କିଣିବାକୁ ପାଇବା ସହ ମହିଳା ଏସଏଚଜିମାନେ ମଧ୍ୟ ନିଜ ଜିନିଷ ବିକ୍ରିବଟା ପାଇଁ ଭଲ ବଜାରଟିଏ ପାଇପାରିଥିଲେ। ଆୟୋଜିତ ସଭାରେ ହିଞ୍ଜିଳିକାଟୁ ସହରର ସ୍ୱଚ୍ଛତା, ରାସ୍ତାଘାଟ, ଆଲୋକୀକରଣ, ପାନୀୟ ଜଳ ଓ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟରେ ରାଜ୍ୟ ଓ ଦେଶରେ ଉତ୍କୃଷ୍ଟତା ପ୍ରତିପାଦନ କରିଥିବା ମତ ପ୍ରକାଶ ପାଇଥିଲା। ସ୍ଥାନୀୟ ପ୍ରଶାସକ ଓ ଜନ ପ୍ରତିନିଧିଙ୍କ ଇଛାଶକ୍ତି ସାଙ୍ଗକୁ ଜନସାଧାରଣଙ୍କ ସହଯୋଗରୁ ସମ୍ଭବପର ହୋଇପାରିଛି ବୋଲି ଅତିଥିମାନେ ପ୍ରଶଂସା କରିଥିଲେ। ଏହି ଅବସରରେ କଳା, ସଂସ୍କୃତି, ଶିକ୍ଷା, ସାହିତ୍ୟ ଓ ବ୍ୟବସାୟ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତି ଓ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପୌର କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଭି.କୀର୍ତ୍ତି ଭାସନ୍ ଉପସ୍ଥିତ ଥିଲେ। ସଫେଇ କର୍ମଚାରୀ, ସ୍ୱଚ୍ଛ ବିଦ୍ୟାଳୟ, ମନ୍ଦିର, ବ୍ୟବସାୟିକ ପ୍ରତିଷ୍ଠାନ, ଉଠା ବେପାରୀଙ୍କୁ ସମ୍ମାନିତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାର କୃତୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇ ଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମହାତ୍ମାଗାନ୍ଧୀଙ୍କ ସମ୍ପୂର୍ଣ୍ଣ ଜୀବନୀକୁ ନେଇ ଫଟୋଚିତ୍ର ପ୍ରଦର୍ଶନୀ ନିମନ୍ତେ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କୁ ସମ୍ବଦ୍ଧିତ କରାଯାଇଥିଲା। ମିଶନ୍ ଶକ୍ତି ପକ୍ଷରୁ ପ୍ରସ୍ତୁତ ମେଳା ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିଥିଲା।

ଶେଷ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଓ ପ୍ରିୟରଞ୍ଜନ ପୃଷ୍ଟି ଅତିଥି ଥିଲେ। ହିଞ୍ଜିଳିକାଟୁ ସହରାଞ୍ଚଳ ବିକାଶ ପାଇଁ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତାରେ ଜନସାଧାରଣଙ୍କ ସହଭାଗିତା ପ୍ରଶଂସନୀୟ ବୋଲି କହିଥିଲେ ଅତିଥିଗଣ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନାଚ ଗୀତ ପରିବେଷଣ ସାଙ୍ଗକୁ ଯାତ୍ରା ଜଗତର ଜଣାଶୁଣା କଳାକାର ଦୈତାରି ପଣ୍ଡା ବିଭିନ୍ନ ସଂଳାପରେ ଲୋକଙ୍କ ମନୋରଞ୍ଜନ କରିଥିଲେ I ମୋଟାମୋଟି ଭାବେ ଏହି ତିନି ଦିନିଆ ଉତ୍ସବ ହିଞ୍ଜିଳିକାଟୁ ପୈାର ପରିଷଦର ସାମର୍ଥ୍ୟ ଓ ପ୍ରଗତିକୁ ଦର୍ଶାଇବା ସହ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ସଫେଇ କର୍ମଚାରୀ, ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସମାଜର ବିଭିନ୍ନ ବର୍ଗର ଲୋକଙ୍କ ଅଂଶଗ୍ରହଣ ଓ ସହଭାଗିତା ତଥା ସହଯୋଗକୁ ପ୍ରତିପାଦନ କରିଥିଲା।

Comments are closed.