ହତୋତ୍ସାହିତ ହୋଇ ବିଜେପି ମିଛ କହୁଛି: ବିଜେଡି

ଭୁବନେଶ୍ୱର – ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିଭିନ୍ନ ଅଭିଯୋଗର ଦୃଢ଼ ଜବାବ ରଖିଛି ବିଜେଡି । ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ୨୦୧୪ରେ ସବକା ସାଥ, ସବକା ବିକାଶର ସ୍ଲୋଗାନ ଦିଆଯାଇଥିଲା । ୨୦୧୮ରେ ଏହାକୁ ପୂରା କରାଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା । କିନ୍ତୁ ଏବେ ଏହା ୨୦୪୫ ଯାଏଁ ଗଲାଣି । ଯେଉଁ ଦଳ ନିଜର ହିସାବ ଦେଇପାରୁନି ସେ କ’ଣ ଅନ୍ୟକୁ ପ୍ରଶ୍ନ କରିବ ବୋଲି ଲେନିନ କହିଛନ୍ତି । ଧାନ କ୍ରୟ ଅବଧି ବୃଦ୍ଧି ନେଇ ବିଜେପି ପ୍ରଶ୍ନ କରୁଛି, କିନ୍ତୁ ପ୍ରତିଥର ଧାନ କ୍ରୟ ପାଇଁ ଅବଧି ବଢିଛି। ନାବାଳିକା ଦୁଷ୍କର୍ମରେ ଏନସିଆରବିରେ ତଥ୍ୟ ଶୂନ ରହିଛି । କିନ୍ତୁ ବିଜେପି ଯେଉଁ ତଥ୍ୟ ରଖିଛି ତାହା ସମ୍ପୂର୍ଣ ଭୁଲ।

୨୦୧୭,୨୦୧୮ ଓ ୨୦୧୯ ରେ କାହିଁକି ଏନସିଆରବି ତଥ୍ୟ ଆସୁନଥିଲା ବୋଲି ପ୍ରଶ୍ନ କରିଛି ବିଜେଡି। ହୁଏତ ବିଜେପି ଶାସିତ ରାଜ୍ୟରେ ଅପରାଧ ଅଧିକ ଥିଲା ବୋଲି ଆସୁନଥିଲା। ଓଡ଼ିଶାର ସ୍ଥିତି ଭଲ ଅଛି। ସେମାନେ ଆଗ ତାଙ୍କ ଘର ସମ୍ଭାଳନ୍ତୁ। ବିଜେପି ହତୋତ୍ସାହିତ ହୋଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

୨୨ ବର୍ଷରେ ୨୨ ମିଛ କହିଥିବାରୁ ଲୋକେ ପ୍ରତ୍ୟାଖାନ କରୁଛନ୍ତି। ବର୍ତ୍ତମାନ କଂଗ୍ରେସ ଓ ବିଜେପି ସ୍ଥିତି ସମାନ। ଭୁଲ ତଥ୍ୟର ଫ୍ୟାକ୍ଟ୍ରି ବିଜେପି ପାଖରେ ଅଛି । ଭଲ ଜିନିଷକୁ ପାଣିଚିଆ କରିବାକୁ ଚାହୁଁଛନ୍ତି। ଯେତେ କଲେ ବି ସ୍ଥିତି ବଦଳିବ ନାହିଁ। ମହିଳାଙ୍କ ଉପରେ ଅପରାଧ ଗ୍ରହଣୀୟ ନୁହେଁ। କିନ୍ତୁ ଓଡ଼ିଶା ଭଲ ସ୍ଥିତିରେ ଅଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର।

Comments are closed.