ବିଷାକ୍ତ ଖାଦ୍ୟ: ପୁଅ, ଝିଅ ପରେ ମାଆ ବି ଆଖି ବୁଜିଲେ

ମାଣିଆବନ୍ଧ – କଟକ ବଡମ୍ବାରେ ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ହୋଇଛି । ପୁଅ ଓ ଝିଅଙ୍କ ମୃତ୍ୟୁ ପରେ ଗତକାଲି ବିଳମ୍ବିତ ରାତିରେ ମା’ ବି ଆଖି ବୁଜିଛନ୍ତି। ବଡମ୍ବା ମାଣିଆବନ୍ଧ ଅଧିନ ଅଭିମାନପୁର ବୀରବରପୁର ଗାଁରେ ଘଟିଛି ଏହି ଅଘଟଣ । ଗତ ଶୁକ୍ରବାର ରାତିରେ ଘରେ ମା’ ରୁନୁ ପାତ୍ର ନିଜ ହାତରେ ତିଆରି କରିଥିଲେ ଚାଟ, ଘୁଗୁନି ଓ ଭାତ। ସମସ୍ତେ ଆନନ୍ଦ ଉଲ୍ଲାସର ସହ ଖାଇଥିଲେ। ପରେ ଦାଣ୍ତରେ ପୂଜା କରୁଥିବା ଗଣେଶଙ୍କର ପ୍ରତିମୂର୍ତ୍ତିକୁ ବିସର୍ଜନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଥିଲା। କିନ୍ତୁ ଖାଇସାରିବା ପରେ ୧୦ ବର୍ଷିୟ ପୁଅ ରୁଦ୍ର ଏବଂ ୭ ବର୍ଷର ଝିଅ ରୁଚିକାଙ୍କର ଭୀଷଣ ବାନ୍ତି ସହ ମୁଣ୍ଡ ବୁଲାଇ ହୋଇଥିଲା । ପ୍ରଥମେ ସେମାନଙ୍କୁ ସ୍ଥାନୀୟ ମାଣିଆବନ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିଲା।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଚାଟରେ କିଛି ବିଷାକ୍ତ ପଦାର୍ଥର ମିଶ୍ରଣ ଯୋଗୁଁ ଏହିପରି ହୋଇଥିଲା। ଠିକ ୧୫ ମିନିଟ ମଧ୍ୟରେ ପୁଣି ଉଭୟ ବାପା ଗୋବିନ୍ଦ ଏବଂ ସ୍ତ୍ରୀ ରୁନୁ ପାତ୍ରଙ୍କର ବାନ୍ତି ହେବା ସହ ଅଚେତ ହୋଇ ପଡ଼ିଥିଲେ। ୪ ଜଣଙ୍କୁ ପ୍ରଥମେ କଟକ ସିଟି ହସ୍ପିଟାଲ ଏବଂ ପରେ କଟକ ଜଗତପୁରର ସଦଗୁରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ସକାଳ ପ୍ରାୟ ୯ଟା ବେଳ ଝିଅ ରୁଚିକା ଏବଂ ଦିନ ୧୧ଟା ସମୟରେ ପୁଅ ରୁଦ୍ର ପାତ୍ରଙ୍କର ବିୟୋଗ ଘଟିଥିଲା। ଏଣେ ଗୁରୁତର ଅବସ୍ଥାରେ ସଦଗୁରୁ ମେଡିକାଲରେ ଚିକିତ୍ସିତ ହେଉଥିବା ମା ରୁନୁ ପାତ୍ରଙ୍କର ବି ରାତିରେ ମୃତ୍ୟୁ ହୋଇଛି ।

Comments are closed.